– ମହିଳା କମିଶନଙ୍କ ଆଭିମୁଖ୍ୟ ବିରୁଦ୍ଧରେ ମହିଳା ମୋର୍ଚ୍ଚାର ବିକ୍ଷୋଭ
– କମିଶନଙ୍କ ନିଷ୍କ୍ରିୟତା ଓ ନୀରବତାକୁ ବିରୋଧ କରି ବିଜେପି ତରଫରୁ ତାଙ୍କୁ ଚୁଡି ଭେଟି
ଭୁବନେଶ୍ୱର, ତା ୦୧/୦୨ (ଓଡ଼ିଆ ପୁଅ) : ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି। ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ପୀଡିତା ଜଣକ ଶେଷରେ ନିରାଶ ହୋଇ ମୃତ୍ୟୁବରଣ କରିବା ନିଶ୍ଚିତ ଭାବେ ସଭ୍ୟ ସମାଜ ପାଇଁ ଲଜ୍ଜା। କେବଳ ଯେ କୁନ୍ଦୁଲି ପୀଡିତା କ୍ଷେତ୍ରରେ ନୁହେଁ, ବରଂ ବାରମ୍ବାର ଘଟୁଥିବା ଏଭଳି ନିନ୍ଦନୀୟ ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି। ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଦୋଷୀକୁ ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ପ୍ରଦାନ କରିବା ବଦଳରେ ଦୋଷୀକୁ ଘଂଟ ଘୋଡାଇବା କାରଣରୁ ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣର ବାହାରକୁ ଚାଲିଗଲାଣି। ଅନ୍ଧ, ମୁକ, ବଧିର ସାଜିଥିବା ଅପାରଗ, ସ୍ଥାଣୁ ଓ ନିଷ୍କ୍ରିୟ ରାଜ୍ୟ ସରକାରଙ୍କ ଶାସନ କାରଣରୁ ମାଁ ଓ ଭଉଣୀମାନଙ୍କୁ ଆଜି ଅସୁରକ୍ଷିତ। ସେହି ଭଳି ମହିଳାମାନଙ୍କୁ ତାଙ୍କର ମୈାଳିକ ଅଧିକାରର ସୁରକ୍ଷା ପ୍ରଦାନ କରିବାକୁ ଗଠିତ ରାଜ୍ୟ ମହିଳା କମିଶନ ଆୟୋଗ ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ସମ୍ବେଦନଶୀଳ କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ମହିଳା କମିଶନ କୈାଣସି କାର୍ଯ୍ୟାନୁଷ୍ଠାନ କିମ୍ବା ପଦକ୍ଷେପ ଗ୍ରହଣ କରିନାହାନ୍ତି। ପୋଲିସ, ପ୍ରଶାସନକୁ ହାତବାରିସୀ କରି ଶାସକ ବିଜେଡି କୁନ୍ଦୁଲି ପ୍ରସଙ୍ଗକୁ ଚାପି ଦେବାର ଅପଚେଷ୍ଟା କରୁଥିବାବେଳେ ରାଜ୍ୟ ମହିଳା କମିଶନ ମଧ୍ୟ ଏହି ଚକ୍ରାନ୍ତରେ ସାମିଲ ହୋଇଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି।
ରାଜ୍ୟ ମହିଳା କମିଶନଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରି ଆଜି ବିଜେପି ରାଜ୍ୟ ସଭାନେତ୍ରୀ ଶ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। କମିଶନଙ୍କ ନିଷ୍କ୍ରିୟତା ଓ ନୀରବତାକୁ ବିରୋଧ କରି ବିଜେପି ତରଫରୁ ତାଙ୍କୁ ଚୁଡି ଭେଟି କରାଯାଇଥିଲା। ଆଗାମୀ ୨୪ ଘଂଟା ମଧ୍ୟରେ ନିରପେକ୍ଷ ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି କମିଶନଙ୍କ କାର୍ଯ୍ୟାଳୟ ପ୍ରତିଶୃତି ଦିଆଯାଇଛି। ଯଦି କମିଶନଙ୍କ ତରଫରୁ ପ୍ରତୃଶୃତି ପୂରଣ କରିବାରେ ଖିଲାପ କରାଯାଏ, ତେବେ ଏହି ଅନ୍ଦୋଳନ ଆହୁରି ତୀବ୍ର ଓ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି।
ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକ, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ଜୋତ୍ସାରାଣୀ ମର୍ଦ୍ଦରାଜ, ସୁନୀତା ମହାନ୍ତି, ନିରିପମା ଜେନା, ମୀନା ସେଠୀ, ସୁବାଷିନୀ ପୃଷ୍ଟି, ପୂର୍ଣ୍ଣମା ଦାଶ ପ୍ରମୁଖଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
