କୁଦଗୁଣ୍ଡେରପୁର ମହାନଦୀ ସେତୁ ଜାନୁଆରୀକୁ ଘୁଞ୍ଚିଲା

ସମ୍ବଲପୁର, ୧/୯(ଓଡ଼ିଆ ପୁଅ) : ସମ୍ବଲପୁର ଜିଲ୍ଲା ସଦର ସବ୍ଡ଼ିଭିଜନ ଧନକଉଡ଼ା ବ୍ଳକ ଅନ୍ତର୍ଗତ ମହାନଦୀ କୁଦକୁ ସଂଯୋଗ କରିବା ପାଇଁ ମହାନଦୀ ଉପରେ ଚାରପାଲି ଘାଟରୁ ନିର୍ମାଣାଧୀନ ସେତୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ଦେଖାଦେଇଛି। ପ୍ରବଳ ବର୍ଷା ଏବଂ ଜଳସ୍ତର ବୃଦ୍ଧି ପାଇବାରୁ ଏହାର ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି। ଏବେ ଆଗାମୀ ଡିସେମ୍ବର ବଦଳରେ ଆସନ୍ତାବର୍ଷକୁ ଏହି ସେତୁ ସମ୍ପୂର୍ଣ୍ଣ କରାଯିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୯ କୋଟି ଟଙ୍କାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାୟ ୧୧ ଥର ଟେଣ୍ଡର ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଠିକାଦାର ପୋଲ ନିର୍ମାଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପରେ ସରକାର ପୋଲ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ଶେଷରେ ୨୦୧୬ ନଭେମ୍ବର ୨୧ରେ ୪୪୬ ମିଟର ଲମ୍ବ ଏବଂ ୧୦.୫ ମିଟର ଚଉଡ଼ା ତିନି ଲେନ ବିଶିଷ୍ଟ ଏହି ପୋଲ ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ପ୍ରୟ ୩୪ କୋଟି ଟଙ୍କା ଅଟକଳରେ ଏହି ପୋଲ ନିର୍ମାଣ ଜାରି ରହିଛି। ନାବାର୍ଡ଼ ଏଥିପାଇଁ ଅନୁଦାନ ଯୋଗାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ୧୫ଟି ପିଲର୍ ମଧ୍ୟରୁ ୧୨ଟିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଏଭଳି ସ୍ଥିତିରେ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାନେଇ ସନ୍ଦେହ ପ୍ରକାଶ ପାଇଛି। ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲେ ନିଶ୍ଚିତ ଭାବେ ପଞ୍ଚାୟତବାସୀଙ୍କ ବହୁ ସମସ୍ୟାର ସମାଧାନ ହେବ।

ତେବେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସୁବିଧା ପାଇବା ପାଇଁ ପଞ୍ଚାାୟତବାସୀ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏନେଇ ମଧ୍ୟ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଥିବା ସାଧାରଣରେ ମତପ୍ରକାଶ ପାଉଛି। ଏଠାକାର ଛାତ୍ରଛାତ୍ରୀ ଦୂର ଦୂରାନ୍ତରେ ଥିବା ସମ୍ପର୍କୀୟଙ୍କ ନିକଟରେ ରହି ହାଇସ୍କୁଲ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପଞ୍ଚାୟତରେ ସ୍ୱାସ୍ଥ୍ୟସେବା ପାଇଁ ୧୦ ହଜାର ଲୋକଙ୍କ ସକାଶେ ବିଶେଷ ଡାକ୍ତରୀ ସେବା ନଥିବାରୁ ପ୍ରାୟ ୨୫ କିମି ଦୂର ବୁର୍ଲାକୁ ଆସି ଚିକିତ୍ସିତ ହେବାକୁ ଲୋକେ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ରୋଗୀଙ୍କୁ ଚିକିତ୍ସା ପାଇଁ ଡଙ୍ଗାରେ ନେବା ବେଳେ ଅଘଟଣ ଘଟୁଛି। କିଛିମାସ ତଳେ ଡଙ୍ଗାରେ ପାରିହେବା ପରେ ଜଣେ ଗର୍ଭବତୀ ନଦୀ ପଠାରେ ସନ୍ତାନ ପ୍ରସବ କରିବା ଭଳି ଅଭାବନୀୟ ଘଟଣା ମଧ୍ୟ ଘଟିଛି। ଏଭଳି ସ୍ଥିତିରେ ସରକାର ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟସେବା ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ କେତେ ତତ୍ପର ତାହା ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ସ୍ପଷ୍ଟ ହେବ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି।

କୁଦରେ ଥିବା ୬ଟି ଗ୍ରାମ କୁଦ ପାତଖାଇ, ଅମଲିପାଲି, ଗୁଣ୍ଡେରପୁର, ଜାମପାଲି ଓ ତବଡାକୁ ନେଇ କୁଦ-ଗୁଣ୍ଡେରପୁର ପଞ୍ଚାୟତ ଗଠିତ। ଏଠାରେ ବର୍ତ୍ତମାନ ୫ ହଜାର ଭୋଟର ରହିଛନ୍ତି। ପୂର୍ବରୁ ଏହି ଗ୍ରାମଗୁଡ଼ିକ କର୍ଡୋଲା ପଞ୍ଚାୟତ ଅଧୀନରେ ରହିଥିବା ବେଳେ ୧୯୮୪ରେ ସ୍ୱତନ୍ତ୍ର ପଞ୍ଚାୟତର ମାନ୍ୟତା ପାଇଥିଲା। ମହାନଦୀର ଟାପୁରେ ଅବସ୍ଥିତ ଓ ଉଭୟ ପାର୍ଶରେ ମହାନଦୀ ପ୍ରବାହିତ ହେଉଥିବାରୁ ଗମନାଗମନ ଏମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ପରିସ୍ଥିତି ଏଭଳି ରହିଛି ଯେ, କେବଳ ଗମନାଗମନ ସୁବିଧା ନ ଥିବାରୁ ଏହି ପଞ୍ଚାୟତକୁ ବରଯାତ୍ରୀ ଆସିବାକୁ କୁଣ୍ଠିତ ହେଉଛନ୍ତି। ଗମନାଗମନ ସୁବିଧା ନ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ କାଠଡଙ୍ଗାରେ ନଦୀ ପାରିହୋଇ ଚିପିଲିମା ଆସିବା ପରେ ଯାହାକିଛି ସୁବିଧା ପାଇବା ସମ୍ଭବ ହେଉଛି। କେବଳ ଏତିକି ନୁହେଁ, କୃଷି ଉପରେ ନିର୍ଭର କରି ଚଳି ଆସୁଥିବା ଗ୍ରାମବାସୀଙ୍କୁ ଧାନ ବିକ୍ରି କରିବା ପାଇଁ ମଧ୍ୟ ଘୋର ସସମ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଚାଷୀମାନଙ୍କୁ ଦଲାଲଙ୍କ ଉପରେ ନିର୍ଭର କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।

Leave a Reply

Your email address will not be published. Required fields are marked *