କୁଣ୍ଢିନଦୀ ଉପରେ ୬୫ ଲକ୍ଷ ଟଙ୍କାର ସ୍ଲୁଇସ ଗେଟ କାମରେ ଆସୁନି ଆବଶ୍ୟକ ବେଳେ ଛଣ ବିଡା ଦେଇ ଜଳକୁ ଅଟକାଉଛନ୍ତି ଚାଷୀ

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାର କା ମାଲ, ଦରିଆ ମେଁ ଡାଲ ନ୍ୟାୟରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଯେଉଁ ପ୍ରକଳ୍ପ ନିର୍ମାଣ ହେଉଛି ତାହା କେତେଦୂର ଚାଷୀଙ୍କ କାମରେ ଲାଗୁଛି ତାହାକୁ ଦେଖିବାକୁ ସତେ ଯେପରି କାହାରି ଉତ୍ତରଦାୟିତ୍ୱ ନାହିଁ। ଜଳସେଚନ ସୁବିଧା ବୃଦ୍ଧି ପାଉଥିବା କଥା କୁହାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହି ସୁବିଧା ପ୍ରତିବର୍ଷ ହ୍ରାସ ପାଉଛି। ଗତ ୩ ବର୍ଷ ମଧ୍ୟରେ ତିହିଡି ବ୍ଲକରେ ୫୬ ପ୍ରତିଶତ ଜଳସେଚନ ସୁବିଧା ହ୍ରାସ ପାଇଛି। ସେହିପରି ବହୁ ପ୍ରକଳ୍ପ ମଧ୍ୟ ଅବହେଳିତ ହୋଇପଡିଛି। ଏହାର ଏକ ଉଦାହରଣ ହେଉଛି ପାଳିଆବିନ୍ଧା ପଞ୍ଚାୟତରେ କୁଣ୍ଢୀନଦୀ ଉପରେ ନିର୍ମିତ ଏକ ସ୍ଲୁଇସ ଗେଟ। ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟରେ ଅଳ୍ପ କେଇବର୍ଷ ତଳେ ନିର୍ମିତ ଏହି ପ୍ରକଳ୍ପ ଅକାମୀ ହୋଇ ପଡିରହିଛି। ବାରମ୍ବାର ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପାଳିଆବିନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ ନାୟକ। ଏଥିରେ ଲାଗିଥିବା ୩ଟି ଲୁହାଗେଟରୁ ଗୋଟିଏ ଗେଟ କାମ କରୁନାହିଁ। ଫଳରେ ଗେଟ୍ଟି ଉଠି ରହିଛି। ଏହାକୁ ତଳକୁ ପକାଯାଇ ପାରୁନି କି ପାଣିକୁ ଅଟକ ରଖାଯାଇ ପାରୁନି। ଖରିଫ ବା ରବି ଚାଷ ସମୟରେ ପାଣି ଅଟକାଇବାକୁ ଚାହିଁଲେ ବି ଏହା ସମ୍ଭବ ହେଉନାହିଁ। ଏହି ସ୍ଲୁଇସ ଗେଟ ଅଚଳ ହୋଇଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ୨ ଶହ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ଗତବର୍ଷ ଚାଷୀମାନେ ମିଳିତ ହୋଇ ସଂପୃକ୍ତ ଅକାମୀ ଗେଟରେ ଛଣବିଡା ଓ ବାଉଁଶ ସାହାଯ୍ୟରେ ଜଳ ଅଟକ ରଖି ଜମିକୁ ସେଚିତ କରିଥିଲେ। ତୁରନ୍ତ ଏହି ସ୍ଲୁଇସ ଗେଟର ମରାମତି କରି ଚାଷୀଙ୍କୁ ଜଳସେଚନର ସୁବିଧା ଦେବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *