କୁଢକୁଢ ଆବର୍ଜନା, ବିପଦରେ ଗୋରୁଗାଈ!

ରାଉରକେଲା ୯-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆସନ୍ତା ଅକ୍ଟୋବର ମାସ ୨ ତାରିଖରୁ ସାରାରାଜ୍ୟରେ ପଲିଥିନ ନିଷେଦ୍ଧ ହେବା ଲାଗି ସରକାରଙ୍କ ପକ୍ଷରୁ ନିଷ୍ପତି ହୋଇଥିବା ବେଳେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ସ୍ଥାନରେ ଖୋଲାଜାଗାରେ ଅଳିଆ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି। ସହରର ପେଣ୍ଠସ୍ଥଳୀ ଭାବେ ପରିଚିତ ପାୱାର ହାଉସ ରୋଡ଼ର ଛକ ଜାଗା ମାନଙ୍କରେ ଅଳିଆ ଆବର୍ଜନା ମାସ ମାସ ଧରି ଜମି ରହୁଛି। ବର୍ଷାଦିନରେ ଅଳିଆରେ ବର୍ଷା ପାଣି ଜମି ରହିବ ା କାରଣରୁ ଏହା ପଚିଯାଇ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହି ସମସ୍ୟାକୁ ନେଇ ବାରମ୍ବାର ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ପ୍ରତିଦିନ ଏହି ରାସ୍ତାଦେଇ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି। ସ୍କୁଲ ଯିବା ସମୟରେ ଅଳିଆ ଆବର୍ଜନାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ଅଂଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି। ଏହି ଅଳିଆକୁ ସମୟ ସମୟରେ ଆରଏମସି ପକ୍ଷରୁ ଉଠାଇ ନିଆଯାଉଥିବା ବେଳେ ବର୍ଷର ଅନେକ ସମୟରେ ଅଳିଆ ଜମି ରହୁଛି। ତେଣୁ ଏହି ସମସ୍ୟାର ପ୍ରତିକାର ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଅପରପକ୍ଷରେ ରାଊରକେଲା ମହାନଗର ନିଗମ ପକ୍ଷରୁ ଅଳିଆ ଆବର୍ଜନା ସଫା କରାଯାଉଛି ବୋଲି ଆରଏମସିର ଜଣେ ଅଧିକାରୀ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *