ଓଡ଼ିଶା

କିଙ୍ଗ ନୁହଁ କିଙ୍ଗ ମେକର୍ ପ୍ରସ୍ତୁତିରେ ନିରଞ୍ଜନ !

ଭୁବନେଶ୍ୱର ୨୪ ମଇ (ଓଡିଆ ପୁଅ-ପ୍ରିୟରଂଜନ ସାହୁ) ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଏକ ବିବାଦୀୟ ମନ୍ତବ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ ଯେ, ଓଡିଶାରେ ଶାସକ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ରହିଛି। ବହୁ ପୂର୍ବରୁ ଏହା ଉପରେ ଆମେ ଖବର ପ୍ରକାଶ କରି ସାରିଛୁ। କର୍ଣ୍ଣାଟକ ରାଜନୈତିକ ଲଢେଇ ପରେ ଏହାର ବାସ୍ତବତା ଧିରେ ଧିରେ ଦୃଷ୍ଟି ଗୋଚର ହେଉଛି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଭାଙ୍ଗି ପଡିଥିବା କଂଗ୍ରେସ ଏବେ ସଳଖ ହେବାକୁ ଚେଷ୍ଟା କରୁଛି। ନିରଞ୍ଜନ ମଧ୍ୟ ପ୍ରାଣମୂର୍ଚ୍ଚା ଚେଷ୍ଟା କରୁଛନ୍ତି କଂଗ୍ରେସର ପୁନରୁଦ୍ଧାର ପାଇଁ। ମାତ୍ର ସେ ଭଲ ଭାବରେ ହୃଦୟଙ୍ଗମ କରି ସାରିଛନ୍ତି ଯେ ଆଉ ହାତରେ ବର୍ଷୁଟିଏ ବି ନାହିଁ। ତେଣୁ ଏ ବର୍ଷ ଭିତରେ ଏପରି କିଛି ଚମତ୍କାରିତା ହୋଇ ପାରିବ ନାହିଁ ଯେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଲାଭ କରି ସରକାରରେ ବସିବ। ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି, ନିରଞ୍ଜନ ପଟ୍ଟନାୟକ କିଙ୍ଗ ହେବା ଅପେକ୍ଷା କିଙ୍ଗ ମେକର୍ ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି। ସେହି ପରିପ୍ରେକ୍ଷୀରେ ସେ ତାଙ୍କ ରଣନିତୀ ଆରମ୍ଭ କରି ଦେଇଛନ୍ତି। ଏପଟେ ବିଜେଡିକୁ ପୂର୍ବ ଥର ଭଳି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରୁ ରୋକିବାକୁ ପଡିବ ଏବଂ ଭାରତୀୟ ଜନତା ପାର୍ଟୀକୁ ଆଗକୁ ବଢିବାକୁ ପଡିବ। ଏପରି ପରିସ୍ଥିତି ହେଲେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ। ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଏକକ ସଂଖ୍ୟାଗରିଷ୍ଠତା ଦଳ ଭାବରେ ରହିବ ଏହା ନିଃସନ୍ଦେହ। କଂଗ୍ରେସ ଓ ବିଜେପି ଯଦି ଆଶାତୀତ ସଫଳତା ହାସଲ କରନ୍ତି ତେବେ ଝୁଲା ବିଧାନସଭା ହେବାଟା ଥୟ। ଏଭଳି ପରିସ୍ଥିତିରେ କଂଗ୍ରେସ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ବିଜେପି ସହିତ କଂଗ୍ରେସର ଗଠବନ୍ଧନ ଅସମ୍ଭବ। ତ୍ରୀଶଙ୍କୁ ଅବସ୍ଥା ହେଲେ କେବଳ ବିଜେଡି ଓ କଂଗ୍ରେସ ଭିତରେ ଗଠବନ୍ଧନ ସମ୍ଭବ। କଂଗ୍ରେସ ଜାତୀୟ ସଭାପତି ରାହୁଳ ଗାନ୍ଧୀ ଏଥିରେ ପୂର୍ଣ୍ଣ ସହମତି ପ୍ରକାଶ କରିବେ। ଏହା ଦ୍ୱାରା ବିଜେପିକୁ କ୍ଷମତାରୁ ଦୂରେଇ ରଖି ହେବ। ଦୀର୍ଘ ଦିନ ପରେ ଏକୁଟିଆ ନ ହେଲେ ମଧ୍ୟ ସହ ଭାଗିଦାରରେ କଂଗ୍ରେସ ଓଡିଶାରେ କ୍ଷମତାକୁ ଆସି ପାରିବ। ଅପରପକ୍ଷରେ ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି କୌଣସି ହାଲରେ ଶାସନ ଡୋରୀ ଛାଡିବାକୁ ରାଜି ହେବ ନାହିଁ। ଯଦି ମ୍ୟାଜିକ୍ ନମ୍ବର ଆସିଲା ତ ଠିକ୍ ନହେଲେ ନିଶ୍ଚିତ ଭାବରେ କଂଗ୍ରେସ ସହିତ ନିର୍ବାଚନୀ ପର ଗଠବନ୍ଧନ କରିବାକୁ ବାଧ୍ୟ ହେବ। ବର୍ତ୍ତମାନ ବିଜେଡିରେ ଅର୍ନ୍ତଦ୍ୱନ୍ଦ ପ୍ରବଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ସମୟରେ ବା ତା ପରେ ଏହା ଉତ୍କଟ ରୂପ ଧାରଣ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। କୌଣସି ମତେ ବିଜେଡି ଯଦି ସରକାର କରିବାର କ୍ଷମତାକୁ ଆସିଯାଏ ତେବେ ଏହି ଅର୍ନ୍ତଦ୍ୱନ୍ଦ ପ୍ରତିଫଳନ ହେବାରୁ ବଂଚି ଯାଇପାରେ। ଭାରତୀୟ ଜନତା ପାର୍ଟୀ ଯଦି ଦୁଇ ଅଙ୍କରେ ପହଁଚିଯାଏ ତେବେ ସେ ବିଜେଡି ବିଭାଜନ ପାଇଁ ଜୋରସୋରରେ ଉଦ୍ୟମ କରିବ। ବିଜେଡିରୁ ଗୋଟିଏ ବଡ ଗୋଷ୍ଠୀକୁ ଉଠାଇବାକୁ ଚେଷ୍ଟା କରିବ। ଯଦି ବିଜେଡି ସରକାର ଗଢିବାକୁ ସକ୍ଷମ ହୋଇଯିବ ତେବେ ଦଳ ବିଭାଜନରୁ ମଧ୍ୟ ବଂଚିଯିବ।

ତେଣୁ ଏ ସମସ୍ତ ଆକଳନରୁ ସ୍ପଷ୍ଟ ବୁଝା ପଡୁଛି ଯେ, ଆସନ୍ତା ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ରାଜନିତୀରେ ଦୀର୍ଘ ଅଭିଜ୍ଞତା ଥିବା ନିରଞ୍ଜନ ଏବେ ତାଙ୍କ ରଣନିତୀକୁ ଠିକ୍ ଏହି ଆକଳନ ହିସାବରେ ପରିଚାଳନା କରୁଛନ୍ତି। ବିଜେଡି ଓ ବିଜେପିକୁ ସମାନ ଭାବରେ ଟାର୍ଗେଟ କରୁଛନ୍ତି। ତାଙ୍କ ପାଇଁ ବର୍ତ୍ତମାନ ମୁଖ୍ୟ କାର୍ଯ୍ୟ ହେଲା କଂଗ୍ରେସକୁ ବଂଚାଇବା। କଂଗ୍ରେସ ଯଦି ଭଲ ପ୍ରଦର୍ଶନ କରି ମୁଖ୍ୟ ରାଜନୈତିକ ସ୍ରୋତକୁ ଆସି ପାରିଲା ତେବେ ଏଥର ନହେଲେ ବି ଆସନ୍ତା ଥରକୁ ନିଜ ଚେଷ୍ଟାରେ ସରକାର ଗଠନ କରିବାକୁ ସକ୍ଷମ ହୋଇ ପାରିବ। ଅଶୀ ଦଶକରେ ଓଡିଶା ଯେପରି କଂଗ୍ରେସର ଗଡ ଥିଲା ସେପରି ଅବସ୍ଥାକୁ ଆସି ପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top