କାଡ଼ା ବିଭାଗର ଅଣଦେଖା ; ଚାଷ ଜମିକୁ ଯାଉନାହିଁ ପାଣି, ଚାଷୀ ହତାଶ

ଯାଜପୁର -୨୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜଳ ସମ୍ପଦ ବିଭାଗ ଅଧିନରେ ଥିବା କେନାଲ ଗୁଡ଼ିକରେ ପାଣି ଛଡ଼ା ଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ସୋଠ ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଚାଷ ଜମିକୁ କେନାଲ ପାଣି ଯାଉନଥିବାରୁ ଚାଷୀ ହତାଶ ହୋଇଥିବା ଦେଖିବାକୁ ମିଳୁଛି। ଯାଜପୁର ବ୍ଲକର ଅଧିକାଂଶ ପଞ୍ଚାୟତ ଚାଷ ନିମନ୍ତେ କେନାଲ ପାଣି ଉପରେ ନିର୍ଭର କରିଥାନ୍ତି। ମକେଇପୁର ମୁଖ୍ୟ କେନାଲରୁ ବାହାରିଥିବା କେନାଲ ଖଇରାବାଦ, ବିଚିତ୍ରପୁର, ଜାହାନପୁର, ବାସୁଦେବପୁର, ଚଇନପୁର, ମାର୍କଣ୍ଡପୁର ସମେତ ଅନ୍ୟ ପଞ୍ଚାୟତ ଗୁଡ଼ିକର ଚାଷୀ ମାନେ କେନାଲ ପାଣି ଉପରେ ନିର୍ଭର କରିଥାନ୍ତି। କେନାଲ ମରାମତି ଓ କଂକ୍ରିଟ୍ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ କେନାଲର ସୋଠ ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ ହେଉଛି। ଯାହାଫଳରେ ଚାଷ ଜମିକୁ କେନାଲ ପାଣି ଯାଇପାରୁ ନାହିଁ ବୋଲି କେତେକ ଚାଷୀ ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରକୃତପକ୍ଷେ ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ କେନାଲରେ ପାଣି ଛଡ଼ା ଯାଉଥିବା ବେଳେ କୌଣସି ସୋଠକୁ ବନ୍ଦ କରାଯାଇନାହିଁ। କିନ୍ତୁ କେନାଲରୁ ଚାଷ ଜମିକୁ ପାଣି ଛାଡ଼ିବା ପାଇଁ ଛୋଟ ଛୋଟ ନାଳ କାଡ଼ା ବିଭାଗ ପକ୍ଷରୁ କରାଯାଇଥାଏ। ଏହି କାଡ଼ା ବିଭାଗ ନାଳ ମାଧ୍ୟମରେ ଜମିର ଶେଷ ମୁଣ୍ଡକୁ ପାଣି ଯୋଗାଇବାର ଦାୟିତ୍ୱ ତୁଲାଇଥାଏ। କିନ୍ତୁ ଏହି ଛୋଟ ଛୋଟ ନାଳଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ ଚାଷ ଜମିକୁ ପାଣି ଯାଇପାରୁ ନାହିଁ। ଏପରିକି କେନାଲ ପାର୍ଶ୍ୱ ଚାଷ ଜମିରେ ସୋଠ ଦ୍ୱାରା ଅଧିକ ପରିମାଣ କେନାଲ ପାଣି ନିଷ୍କାସନ ହୋଇନପାରି ଚାଷ ଜମିରେ ଜମି ରହୁଥିବାରୁ ଚାଷୀ ବାଧ୍ୟ ହୋଇ ନିକଟସ୍ଥ ଜମିରେ ଥିବା ସୋଠକୁ ବନ୍ଦ କରି ଦେଇଥାଏ। ଯଦି କାଡ଼ା ବିଭାଗ ପକ୍ଷରୁ ପ୍ରତିବର୍ଷ ଛୋଟ ଛୋଟ ନାଳଗୁଡ଼ିକ ରକ୍ଷଣବେକ୍ଷଣ କରାଯିବା ସହ ଠିକ୍ ସମୟରେ ମରାମତି କରାଯାଇପାରନ୍ତା ତେବେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି କେତେକ ଚାଷୀ ମତ ଦେଇଛନ୍ତି। କିନ୍ତୁ କାଡ଼ା ବିଭାଗ ଏହି ଛୋଟ ଛୋଟ ନାଳ ପ୍ରତି କେବେବି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ପୂର୍ବରୁ କଲେଜ ରୋଡ଼ରେ କାଡ଼ାର ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟଟି ଥିଲା। ଚାଷୀ ମାନେ ଅସୁବିଧାର ସମ୍ମୁଖୀନ ହେଲେ କାଡ଼ା କାର୍ଯ୍ୟାଳୟକୁ ଆସି ସହକାରୀ ଯନ୍ତ୍ରୀଙ୍କୁ ସେମାନଙ୍କର ଅଭିଯୋଗ ଦର୍ଶାଇଥାନ୍ତି। କିନ୍ତୁ ଏବେ କାଡ଼ାର ଅଫିସଟି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଶୁଣିବାକୁ ମିଳୁଛି। ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଠାରେ କାଡ଼ାର ସେକ୍ସନ ଅଫିସ କାର୍ଯ୍ୟ କରୁଛି ବୋଲି କେତେକ ଚାଷୀ ପ୍ରକାଶ କରିଛନ୍ତି। ଯଦି କାଡ଼ାର ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ବିଭାଗ ଦ୍ୱାରା ନିର୍ମିତ ଛୋଟ ଛୋଟ ନାଳ କିପରି ଅଛି ତଦାରଖ କରନ୍ତେ ତେବେ ଏ ଅବସ୍ଥା ସୃଷ୍ଟି ହୁଅନ୍ତା ନାହିଁ। କିନ୍ତୁ କାଡ଼ାର କୌଣସି ଯନ୍ତ୍ରୀ ନାଳ ସମ୍ପର୍କରେ ଦୃଷ୍ଟି ଦେଉନଥିବାରୁ ଚାଷ ଜମିର ତଳ ମୁଣ୍ଡକୁ କେନାଲ ପାଣି ଯାଉନଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଚାଷୀମାନେ କାଡ଼ା ନିକଟରେ ଅଭିଯୋଗ କରିବା ପରିବର୍ତ୍ତେ ଜଳ ସମ୍ପଦ ବିଭାଗରେ ସେମାନଙ୍କର ଅଭିଯୋଗ ଜଣାଉଥିବା ଜଣାପଡ଼ିଛି। ଚାଷୀଙ୍କ ହିତ ଦୃଷ୍ଟିରୁ ଜଳ ସମ୍ପଦ ବିଭାଗ କେନାଲରେ ପାଣି ଛାଡ଼ିବା ପାଇଁ ଅହରହ ଚେଷ୍ଟା ଚଳାଇଥିବା ବେଳେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କାଡ଼ା ବିଭାଗ ଚାଷୀଙ୍କ ପ୍ରତି ଅଣଦେଖା କରୁଥିବା ଅଭିଯୋଗ ହେଉଛି। ତୁରନ୍ତ କାଡ଼ା ବିଭାଗ ପକ୍ଷରୁ ଛୋଟ ଛୋଟ ନାଳକୁ ମରାମତି କରାଯାଇ ଜମିର ଶେଷ ମୁଣ୍ଡକୁ ପାଣି ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *