ଜିଲ୍ଲା ପରିକ୍ରମା

କାଷ୍ଠ ଶିଳ୍ପକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ; ୧୭ଦିନ ହେଲା କାଷ୍ଠ ଶିଳ୍ପ କର୍ମଚାରୀ ଧାରଣାରେ

ଯାଜପୁର-୨୯/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ବ୍ଲକ ବିଚିତ୍ରପୁର ପଞ୍ଚାୟତ ମାନସାପୋଲ ଅନତି ଦୂରରେ କାଷ୍ଠ ଶିଳ୍ପ କାରଖାନା ଅଛି। ଏହି କାରଖାନାରେ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟରୁୁ ବାହାର କରିଦେଇଥିବାରୁ ଏହାକୁ ପ୍ରତିବାଦ କରି ଦୀର୍ଘ ୧୭ ଦିନ ହେବ ଖୋଲା ଆକାଶ ତଳେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି କର୍ମଚାରୀ। ଏହି କର୍ମଚାରୀଙ୍କ କଥା ଜିଲାପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ କାରଖାନାର କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ସବୁଦିନ ପାଇଁ କାଷ୍ଠ ଶିଳ୍ପକୁ ବନ୍ଦ କରିଦେବା ପାଇଁ ଏକ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି ବୋଲି ଧାରଣାରେ ବସିରହିଥିବା କର୍ମଚାରୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କାଠକାରଖାନା ଚାଲୁନଥିବାରୁ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ୧୩ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି ବୋଲି ପଞ୍ଚାୟତ ଇଣ୍ଡ୍ରଷ୍ଟ୍ରି ଅଫିସର(ପିଆଇଓ) ରମାକାନ୍ତ ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୃହ ନିର୍ମାଣ ସମୟରେ କାଠ କାରଖାନାକୁ ଘରର କବାଟ, ଝରକା ଓ ଅନ୍ୟାନ୍ୟ ଆସବାସ ପତ୍ର ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ଓ ପୁଲିସ ହାଉସିଂ ଏଣ୍ଡ ୱେଲଫେୟାର କର୍ପୋରେସନ କାର୍ଯ୍ୟାଦେଶ ପ୍ରଦାନ କରୁଥିଲେ। କିନ୍ତୁ ଏବେ ଇଟେଣ୍ଡର ହେଉଥିବାରୁ ନିର୍ମାଣ ଦାୟିତ୍ୱ ନେଉଥିବା ସଂପୃକ୍ତ ଠିକା ସଂସ୍ଥା ସମସ୍ତ ଜିନିଷ ଯୋଗାଇ ଦେଉଥିବାରୁ କାଠ ଶିଳ୍ପର ଗୁରୁତ୍ୱ ହ୍ରାସ ପାଇବା ସହ କାର୍ଯ୍ୟାଦେଶ ମିଳୁନାହିଁ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ। ଏପରିକି ସାଧାରଣ ଲୋକଙ୍କ ବିକ୍ରି ନିମନ୍ତେ ନିର୍ମାଣ ହେଉଥିବା କାଠ ନିର୍ମିତ ଜିନିଷ ଜିଏସଟି ଲାଗୁ ହେଉଥିବାରୁ କେହି ଏହାର କ୍ରୟ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁନାହାଁନ୍ତି ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ। କାଠ ଶିଳ୍ପକୁ କାର୍ଯ୍ୟାଦେଶ ମିଳିଲେ କର୍ମଚାରୀମାନଙ୍କୁ କାଠ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସୂଚନା ଦେଇଥିଲେ। ଅନ୍ୟ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ୧୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି ଧାରଣାରେ ବସି ରହିଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏ ନେଇ ଧାରଣାରେ ବସିରହିଥିବା କର୍ମଚାରୀ ରାଜ୍ୟ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ସ୍ଥାନୀୟ ବିଧାୟକ, ଜିଲାପରିଷଦ ଅଧ୍ୟକ୍ଷ, ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ, ଶ୍ରମ କମିଶନର ଓ ସ୍ଥାନୀୟ ସରପଞ୍ଚଙ୍କୁ ଛଟେଇ ସମ୍ପର୍କରେ ଲିଖିତ ଜଣାଇଥିବା କର୍ମଚାରୀମାନେ ପ୍ରକାଶ କରିଥିଲେ। କାଷ୍ଠ ଶିଳ୍ପ ନିକଟରେ ଥିବା ଲୁହା କାରଖାନା ଓ ତେଲ ମିଲକୁ ଯେପରି ଢ଼ଙ୍ଗରେ ବନ୍ଦ କରି ଦିଆଗଲା ସେହିପରି କାଷ୍ଠ ଶିଳ୍ପକୁ ବନ୍ଦ କରି ଦିଆଯିବା ପାଇଁ ଏକ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି ବୋଲି ଅଭିଯୋଗ ହେଉଛି। କାଷ୍ଠ ଶିଳ୍ପ ଦାୟିତ୍ୱରେ ଥିବା ଅଧିକାରୀ ଜିଏସଟି କଥା ଉଠାଇ ନିର୍ମାଣ ହେଉଥିବା କାଠ ସାମଗ୍ରୀ ବିକ୍ରି କରାଯାଇ ପାରୁନାହିଁ ବୋଲି କହୁଥିବା ବେଳେ ବିଗତ ଦିନରେ ସେଲ୍ଟ୍ୟାକ୍ସ ବିଭାଗକୁ ଟ୍ୟାକ୍ସ ଦେଇ କିପରି କାଠ ସାମଗ୍ରୀ ସେତେବେଳେ ବିକ୍ରି ହେଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଯଦି ସେତେବେଳେ ସେଲ୍ଟ୍ୟାକ୍ସ ବିଭାଗକୁ ଟ୍ୟାକ୍ସ ଦେଇ କାଠ ନିର୍ମିତ ଜିନିଷ ଘରୋଇ ଅନୁଷ୍ଠାନ, ବେସରକାରୀ ପ୍ରତିଷ୍ଠାନ, ସରକାରୀ ପ୍ରତିଷ୍ଠାନକୁ ବିକ୍ରି କରାଯାଇ ପାରୁଥିଲା ତେବେ ବର୍ତ୍ତମାନ ଜିଏସଟି ଲାଗୁ ହେଲେ କ’ଣ ପାଇଁ ବିକ୍ରି କରାଯାଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି କାଷ୍ଠ ଶିଳ୍ପ ସମଗ୍ର ରାଜ୍ୟରେ ଚହଳ ପକାଇଥିଲା। ୧୯୬୫ ମସିହାରେ କାଷ୍ଠଶିଳ୍ପ କାରଖାନା ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ବହୁ କାଠ ମିସ୍ତ୍ରୀ ଏହି କାରଖାନାରେ କାର୍ଯ୍ୟକରି ନିଜର ପରିବାର ଭରଣ ପୋଷଣ କରି ଆସୁଥିଲେ। ଧିରେ ଧିରେ କାଷ୍ଠଶିଳ୍ପ ରୁଗ୍ଣ ହେବା ସହ ବହୁ କର୍ମଚାରୀ କାର୍ଯ୍ୟ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିଲେ। କିନ୍ତୁ କିଛି କର୍ମଚାରୀ କାଠ କାରଖାନାରେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଏବେ ସେହି କର୍ମଚାରୀମାନଙ୍କୁ ଛଟାଇ କରି ଦିଆଯାଇଥିବା ଦେଖିବାକୁ ମିଳିଛି। ଏହିି ଛଟେଇ ହୋଇଥିବା କର୍ମଚାରୀ ଶ୍ରମ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନିରାଶ ହୋଇ ଚଳିତ ମାସ ୧୩ ତାରିଖରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଖୋଲା ଆକାଶ ତଳେ ବସି ରହିଥିବା ଦେଖିବାକୁ ମିଳିଛି। ଏହି ଧାରଣା ସ୍ଥଳକୁ ଜିଲାପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ କିମ୍ବା କାଷ୍ଠ କାରଖାନାର କର୍ତ୍ତୃପକ୍ଷ ଆସିନଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶାର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ପଞ୍ଚାୟତ ଶିଳ୍ପ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା କରିଥିଲେ। ଏହି ଶିଳ୍ପରେ ସ୍ଥାନୀୟ କାରିଗରୀମାନେ କାର୍ଯ୍ୟ କରି ନିଜ ପରିବାର ଭରଣପୋଷଣ କରିବା ସହ କାରଖାନା ଦ୍ୱାରା ନିର୍ମିତ ହେଉଥିବା ଜିନିଷ ବାହାରେ ବିକ୍ରି କରାଯାଇ ଶିଳ୍ପ ଅଗ୍ରଗତି ହେଉଥିଲା। କିନ୍ତୁ ଏହି ଶିଳ୍ପଗୁଡ଼ିକ ଧିରେ ଧିରେ ବନ୍ଦ ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏହି କାରଖାନାରେ ଜୀବନ ଭରି କାର୍ଯ୍ୟ କରିଥିବା ବହୁ କର୍ମଚାରୀ ଏବେ ଦୁର୍ଦିନରେ ନିଜର ଜୀବନ ବିତାଉଥିବା ବେଳେ ବନ୍ଦ ହୋଇ ପଡ଼ିଥିବା କାରଖାନା ଏବେ ଜବରଦଖଲକାରୀଙ୍କ କବଳରେ ଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top