କାଶ୍ମୀରରେ ଫସି ରହିଛନ୍ତି ଦାଦନ ଶ୍ରମିକ :୪୦ ଦିନ ପରେ ଫଳାଫଳ ଶୁନ, ଧାରଣା ଚେତାବନୀ

ରାଉରକେଲା ୧୩/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ମାନବଚାଲାଣ ସମସ୍ୟା ବଢିବାରେ ଲାଗିଛି। ଅର୍ଥର ଲାଳସା ଦେଖାଇ ନିରୀହ ଗରିବ ଆଦିବାସୀ ମାନଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ, ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ଖଟାଯାଉଛି। ଏପରିକି ସେମାନଙ୍କୁ ମାନସିକ ଓ ଶାରୀରୀକ ନିର୍ଯ୍ୟାତନା ଦିଆଯାଉଛି। ଦଲାଲ ହାବୁଡ଼ରେ ପଡ଼ି କାଶ୍ମୀର ଚାଲି ଯାଇଥିବା ଲାଠିକଟା ବ୍ଲକ ଅଂଚଳର କିଛି ନିରୀହ ଯୁବକ ସେଠାରୁ ମୁକୁଳି ପାରିନାହାନ୍ତି। ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ପୂର୍ବରୁ ରାଉରକେଲା ଏସପି ଡ. ଉମାଶଙ୍କର ଦାଶଙ୍କୁ ସାକ୍ଷାତ କରି ବନ୍ଦୀ ଶ୍ରମିକ ମାନଙ୍କୁ ଉଦ୍ଧାର ଲାଗି ଫେରାଦ କରିଥିଲେ। ମାତ୍ର ଏହି ଘଟଣାର ୪୦ ଦିନ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ଏବେଯାଏ ପୁଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ପରିବାର ଲୋକେ ଏସପି କାର୍ଯ୍ୟାଳୟ ନିକଟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଶ୍ରମିକ ମାନେ ବହୁଦିନ ହେଲା କାଶ୍ୱୀରରେ ରହିବା କାରଣରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଘରେ ଚୁଲି ଜଳିବା ମଧ୍ୟ ଏକପ୍ରକାର ମୁସ୍କିଲ ହୋଇ ପଡ଼ିଛି। ଏଣୁ ପ୍ରଶାସନ ଅତିଶୀଘ୍ର ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଧ୍ୟାନ ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *