କାର୍ ସହିତ ବିପୁଳ ପରିମାଣର କୋରେକ୍ସ ସିରପ ଏବଂ ନିଶା ଟାବ୍ଲେଟ ଜବତ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ କ୍ଷେତରାଜପୁର ଥାନା ପୋଲିସ ମହାନଦୀ ରିଙ୍ଗରୋଡ଼ରେ ଗତକାଲି ନାକାବନ୍ଦୀ ସମୟରେ ଏକ କାର୍ ଖାନ୍ତଲାସ କରି ଏଥିରୁ ବିପୁଳ ପରିମାଣର କୋରେକ୍ସ ଏବଂ ନିଶା ବଟିକା ଜବତ କରିଛନ୍ତି। କାର୍ରେ ଯାଉଥିବା ୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସଙ୍ଗେ ସଙ୍ଗେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଗତ ରାତି ଥାନାର ଏଏସ୍ଆଇ ଏ.କେ.ପ୍ରଧାନ ଏବଂ ଏସ୍.କେ.ମହାଖୁଡ଼, ହାବିଲଦାର ଏସ. ପାତ୍ର, ଏ. ସେଠୀ, କେ.ସି.ସାହୁ ପେଟ୍ରୋଲିଂ କରୁଥିବା ବେଳେ ମହାନଦୀ ରିଙ୍ଗରୋଡ଼ରେ ଏକ ୱାଗନର କାର୍ (ଓଆର-୦୫ଏନ-୯୮୯୧) ବୁର୍ଲା ପଟରୁ ସହର ଆଡ଼କୁ ଆସୁଥିବା ବେଳେ ସନ୍ଦେହରେ ଏହାକୁ ଅଟକାଇ ଖାନତଲାସ କରିଥିଲେ। ଏହି ସମୟରେ ଏଥିରେ ଗୋଟିଏ ଅଖାବସ୍ତାରେ ରଖାଯାଇଥିବା ୧୦୦ ଏମ୍ଏଲ ପରିମାଣର ୪୪୨ଟି ଏସ୍କଫ୍ ସିରଫ (ବ୍ୟାଚ୍ ନମ୍ବର ଏଚଇକେଏସ୍-୩୬୫), ୪୪ ଷ୍ଟି୍ରପ ନାଇଟ୍ରୋସମ୍ -୧୦ ଟାବ୍ଲେଟ, ୧୨ଟି ଏକ ଲିଟର ବିଶିଷ୍ଟ ନିଶା ଦ୍ରବ୍ୟ, ୧୫ଟି ଗ୍ଲାସ ଏବଂ ନଗଦ ୩୩୦୦ଟଙ୍କା ଉଦ୍ଧାର କରିଥିଲେ। ଏ ବାବଦରେ ଥାନାର କେସ ସଂଖ୍ୟା ୮/୨୦୧୭ ଉପରେ ଆଇପିସିର ଧାରା ୨୭୪, ୨୭୫ ଏବଂ ୩୪ ବଳରେ ମାମଲା ରୁଜୁ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। କାର୍ରେ ବସିଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ କ୍ଷେତରାଜପୁର ଥାନା ହଳଦୀମିଲ ପଡ଼ା ଓ ପଠାଣ ପଡ଼ାର ୨ ଜଣ, ଟାଉନଥାନାର ମୁଦିପଡ଼ା, ଧନୁପାଲିର ଭୂତାପଡ଼ାର ଜଣେ ଲେଖାଏଁ ଯୁବକ ଅଛନ୍ତି।

Leave a Reply

Your email address will not be published. Required fields are marked *