କାଠ ନାହିଁତ ଖାଇବା ନାହିଁ, ଛାତ୍ରବାସ କଥା ଭୁଲିଗଲେ ଶିକ୍ଷକ, ଭୋକରେ ଥିବା ଛାତ୍ରଙ୍କ ଭୋଜନ ବ୍ୟବସ୍ଥା କଲେ ଥାନା ଅଧିକାରୀ

ମାଲକାନଗିରି, ୨୩ା୮(ଓଡିଆ ପୁଅ ) କାଠ ନାହିଁତ ରୋଷେଇ ନାହିଁ କି ଖାଇବା ନାହିଁ। ଏ କଥା ଛାତ୍ରବାସରେ ଘଟିଛି, ରୋଷେଇ ନହେବା ଦ୍ୱାରା ୧୧୯ଜଣ କଣ୍ଡାରେଡି ଛାତ୍ର ଭୋକରେ ଆଉଟୁ ପାଉଟୁ ହୋଇଥିଲେ। ଶିକ୍ଷକ ଛାତ୍ରବାସର ପିଲାଙ୍କ ଖାଇବା କଥା ଭୁଲି ଯାଇଥିବା ବେଳେ ସ୍ଥାନୀୟ କିଛି ଯୁବକ ଓ ଥାନାବାବୁ ଏହା ଜାଣିବା ପରେ ଛାତ୍ରବାସକୁ ଯାଇ ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିବାର ଜଣାପଡିଛି। ଏମିତି ଏକ ଘଟଣା ମାଲକାନଗିରି ଜିଲ୍ଲାସ୍ଥ ଚିତ୍ରକୋଣ୍ଡା ଠାରେ ଘଟିଯାଇଛି ଚିତ୍ରକୋଣ୍ଡା ହାଇସ୍କୁଲ ନିକଟରେ ଥିବା କଣ୍ଡାରେଡି ଆଦିବାସୀ ସଂପ୍ରଦାୟର ଛାତ୍ରବାସରେ ଗତକାଲି ରାତ୍ରକାଳୀନ ଭୋଜନ ପାଇଁ ରୋଷେଇ ହୋଇନଥିବାରୁ ଛୋଟ ଛୋଟ ପିଲାମାନେ ରାତ୍ରଭୋଜନ ନକରିପାରି ଭୋକରେ ଆଉଟୁ ପାଉଟୁ ହେଉଥିଲେ।ଏହି ଛାତ୍ରବାସ ଦାଇତ୍ୱରେ ଥିବା ଶିକ୍ଷକ ଓ କର୍ମଚାରିମାନେ ପିଲାମାନଙ୍କୁ ଜଙ୍ଗଲକୁ କାଠଆଣିବା ପାଇଁ ପଠାଇଥାନ୍ତି। ଗତକିଛି ଦିନହେଲା ଲଗାତର ବର୍ଷାହେବାଦ୍ୱାରା ପିଲାମାନେ ଜଙ୍ଗଲକୁ କାଠଆଣିବାକୁ ଯାଇପାରିନଥିଲେ, କାଠ ସରି ଯାଇଥିବାରୁ ଗତକାଲି ରାତ୍ର ଭୋଜନ ରୋଷେଇ ହୋଇପାରିନଥିଲା। ଛାତ୍ରମାନେ ଭୋକରେ ବହୁ ସମୟ ଧରି ରହିବା ପରେ ଛାତ୍ରବାସରେ ଶିକ୍ଷକ କେହି ନଥିବାରୁ ସେଠାରେ ଥିବା ଛାତ୍ର ମାନେ ପାଟିକରି କାନ୍ଦିଥିଲେ, ରାତ୍ରରେ ଛାତ୍ରବାସର ପିଲାମାନେ କାହିଁକି କାନ୍ଦୁଛନ୍ତି ବୋଲି ନିକଟରେ ଥିବା କିଛି ଯୁବକ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ସେଠାକୁ ଯାଇପରିସ୍ଥିୁତି ଦେଖିଥିଲେ। ଏ ଖବର ଚିତ୍ରକୋଣ୍ଡା ଥାନା ଅଧିକାରୀ ରାମପ୍ରସାଦ ନାଗ ଜାଣିବା ପରେ ଉକ୍ତଛାତ୍ର ବାସରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରି ପିଲାମାନଙ୍କୁ ବୁଝାଇ ଶାନ୍ତକରିଥିଲେ। ରାତ୍ର ୧୧ଟା ପର୍ଯ୍ୟନ୍ତ ଛାତ୍ରମାନେ ରାତ୍ର ଭୋଜନ ଖାଇନଥିବାର ଜାଣିପାରି ଥାନା ଅଧିକାରୀ ସଙ୍ଗେ ସଙ୍ଗେ ସେମାନଙ୍କର ଖାଇବାର ବ୍ୟବସ୍ଥା କରିଥିଲେ। ପୁଲିସ ଓ ସ୍ଥାନୀୟ ଯୁବକ ମାନେ କାଠସଂଗ୍ରହ କରି ରୋଷେଇର ବ୍ୟବସ୍ଥା କରିବାପରେ ରାତ୍ର୧୨ଟା ପରେ ପିଲାମାନେ ରାତ୍ର ଭୋଜନ ଖାଇଥିଲେ। ସାଧାରଣତ ପୁଲିସ କଥା ଶୁଣିଲେ କି ସେମାନଙ୍କୁ ଦେଖିଲେ ଲୋକମାନଙ୍କ ମନରେ ଟିକିଏ ଭୟ ସଂଚାରହୋଇ ଥାଏ।

ହେଲ ଏହି ପୁଲିସ ଜନସାଧରଣଙ୍କୁ ସୁରକ୍ଷା ଯୋଗାଇ ଦେବାସହିତ ଅନେକ ଜନହିତକର କାର୍ଯ୍ୟ ମଧ୍ୟକରିଥାନ୍ତି। ଛାତ୍ରବାସରେ ରହୁଥିବା ଛାତ୍ରମାନଙ୍କ ରାତ୍ର ଭୋଜନ କଥା ଭୁଲି ଯାଇ ଶିକ୍ଷକ ମାନେ ଛାତ୍ରବାସ ଛାଡି ନିଜ ନିଜ ବସାଘରକୁ ପଳାଇ ଖାଇପିଇ ଆରାମରେ ଶୋଇଥିବା ବେଳେ ନିରିହ କୋଣ୍ଡାରେଡି ଛାତ୍ରମାନେ ନ ଖାଇ ଭୋକରେ ଆଉଟୁପାଉଟୁ ହେବା ପରେ ଥାନା ଅଧିକାରୀ ସେମାନଙ୍କପାଇଁ ଖାଇବାର ବ୍ୟବସ୍ଥା କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି। ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା କୋଣ୍ଡାରେଡି ସଂପ୍ରଦାୟଙ୍କ ପିଲାମାନଙ୍କ ଶିକ୍ଷାଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଠିଂରୁ ଜିଲ୍ଲାର ଚିତ୍ରକୋଣ୍ଡା ବାଳକ ଛାତ୍ରବାସ ଠାରେ୧୨୦ଜଣ ବାଳିକା ଛାତ୍ରୀବାସରେ ୧୨୨ଜଣ କାଲିମେଳା ଠାରେ୧୨୨ଜଣ, କୁର୍ମାନୁର ରେ ୧୨୬ଜଣ, ପପୁଲୁର ଠାରେ ୧୮୦ଜଣ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ରହି ନିକଟସ୍ଥ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି, ଏହି ସବୁ ଛାତ୍ରବାସ ଦାଇତ୍ୱରେ ଥିବା ଶିକ୍ଷକ ମାନଙ୍କ ପାଇଁ ନିରିହ ପିଲାମାନେ ଅଧିକାଂଶ ସମୟରେ ଭୋକରେ ରହିଥାନ୍ତି। ଛାତ୍ରବାସ ଚଳାଇବା ପାଇଁ ଠିକ ସମୟରେ ସରକାରଙ୍କ ଠାରୁ ଅନୁଦାନ ମିଳୁନଥିବାରୁ ଶିକ୍ଷକ ମାନେ କୋମଳମତି ଛାତ୍ର ମାନଙ୍କ ଦ୍ୱାରା ରୋଷେଇ ଠାରୁ ଆରମ୍ଭ କରି ଜଙ୍ଗଲରୁ କାଠଆଣିବା ପର୍ଯ୍ୟନ୍ତ କାମରେ ଲଗାଇଥାନ୍ତି। ଗତକାଲି ରାତ୍ରରେ କୋଣ୍ଡାରେଡି ଛାତ୍ରବାସର ଅବ୍ୟବସ୍ଥା ସଂପର୍କରେ ପିଏ ଆଇଟିଡିଏ ଙ୍କ ମତାମତ ନେବାପାଇଁ ଫୋନ ଯୋଗା ଯୋଗ କରାଯାଇଥିଲା ହଲେ ସେ ନେଟଓ୍ୟାର୍କ ବାହାରେ ଥିବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ।ଗରିବ ଆଦିବାସୀ ହରିଜନ ସଂପ୍ରଦାୟର ପିଲାମାନଙ୍କୁ ମାଗଣାରେ ଛାତ୍ରବାସରେ ରହିବା ଖାଇବା ସହ ଶିକ୍ଷାଦନ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ କରା ଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିକ୍ଷାବିଭାଗ, ମଙ୍ଗଳବିଭାଗ ଅଧିନରେ ଥିବା ଅନେକ ବିଦ୍ୟାଳୟ ଓ ଛାତ୍ରବାସ ଗୁଡିକରେ ନାନାପ୍ରକାର ସମସ୍ୟା ଲାଗିରହିଛି। ଗତ କିଛି ଦିନତଳେ ଶିଖପାଲି ମଙ୍ଗଳବିଭାଗ ହାଇସ୍କୁଲରେ ଶିକ୍ଷକଙ୍କ ଯୌନ ନିର୍ଯ୍ୟାତନା ସହି ନପାରି ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ସେ ଘଟଣା ଲୋକମାନଙ୍କ ମନରୁ ନ ପାଷୋରୁଣୁ ପୁଣି ଏକ ଘଟଣା ନଜରକୁ ଆସିଛି, ଚିତ୍ରକୋଣ୍ଡା କୋଣ୍ଡାରେଡି ଛାତ୍ରବାସରେ ଥିବା ଛାତ୍ରମାନଙ୍କୁ ରାତ୍ରଭୋଜନ ନଦେଇ ଶିକ୍ଷକ ଘରକୁ ପଳାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ, ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ସଂପୃକ୍ତ ଶିକ୍ଷକ ମାନଙ୍କ ବିରୋଧରେ ଦୃଢପଦକ୍ଷେପ ନେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।

Leave a Reply

Your email address will not be published. Required fields are marked *