କାଗଜକଳ ଠିକା ଶ୍ରମିକଙ୍କ ମଜୁରି ବୃଦ୍ଧି ଦାବି : ପଦଯାତ୍ରା ଓ ବିକ୍ଷୋଭ

ରାୟଗଡ଼ା, ୨୩।୫ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜକଳରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ଦାବି ହୋଇଛି। ଏଥିସହ ଶ୍ରମିକ ସଂଘ ଓ କାଗଜକଳ ମଧ୍ୟରେ ହୋଇଥିବା ଚୁକ୍ତିକୁ ବାତିଲ କରିବା ପାଇଁ ଶ୍ରମିକମାନେ ଦାବି କରିଛନ୍ତି। ଏ ନେଇ ଜିଲ୍ଲା ଶ୍ରମ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶ୍ରମିକମାନେ ଏକତି୍ରିତ ହୋଇ ଆଜି ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶତାଧିକ ପୁରୁଷ ଓ ମହିଳା ଶ୍ରମିକ ଏକତ୍ରିତ ହୋଇ ପ୍ରଥମେ ଜେକେପୁର ଠାରୁ ୧୦ କିଲୋମିଟର ରାୟଗଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରିଆସି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭା ପ୍ରଦର୍ଶନ କରିଥିଲେ। ଘଟଣାରୁ ପ୍ରକାଶ ଯେ, ପ୍ରତି ୪ ବର୍ଷରେ ଥରେ କାଗଜକଳ କର୍ତ୍ତୃପକ୍ଷ ଏବଂ ଶ୍ରମିକ ସଂଘ ମଧ୍ୟରେ ମଜୁରୀକୁ ନେଇ ଚୁକ୍ତି ହୋଇଥାଏ। ଚୁକ୍ତି ପୂର୍ବରୁ ସଂଘ ଶ୍ରମିକମାନଙ୍କ ସହିତ ଆଲୋଚନା ପରେ ଚୁକ୍ତି କରିଥାଏ। କିନ୍ତୁ ଚଳିତ ବର୍ଷ ଏପ୍ରିଲ ୨ ତାରିଖରେ ହୋଇଥିବା ୪ ବର୍ଷିଆ ଚୁକ୍ତି ପୂର୍ବରୁ ସଂଘର କର୍ମକର୍ତମାନେ ଶ୍ରମିକଙ୍କ ସହିତ କୌଣସି ଆଲୋଚନା କରିନଥିଲେ। ନିଜ ଇଚ୍ଛା ମୁତାବକ ଗୁପ୍ତ ଭାବେ ଏହି ଚୁକ୍ତି କରିଥିବା ଶ୍ରମିକମାନେ ଆଜି ଅଭିଯୋଗ କରିଛନ୍ତି। ଯଦ୍ୱାରା କାରଖାନାରେ କାର୍ଯ୍ୟରତ ୧୩୦୦ ଶ୍ରମିକ ଅଧିକ ମଜୁରୀ ପାଇବାରୁ ବଂଚିତ ହେଉଛନ୍ତି। ମାତ୍ର ୨୨୨ ଟଙ୍କା ଦୈନିକ ମଜୁରୀରେ ସେମାନେ କାମ କରୁଥିବା ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ଯେଉଁ ଶ୍ରମିକମାନେ କାମ କରୁଛନ୍ତି ସେମାନଙ୍କୁ ଅନ୍ୟ କୌଣସି ସୁବିଧା କାରଖାନା କର୍ତ୍ତୃପକ୍ଷ ପ୍ରଦାନ କରୁନାହାଁନ୍ତି। ଏଭଳିକି ସଂଘର କର୍ମକର୍ତାମାନେ ଯେଉଁ ଜାଲିଆତି କରି ଚୁକ୍ତି କରିଛନ୍ତି ତାହା ରଦ୍ଦ ପାଇଁ ମଧ୍ୟ ଦାବି ହୋଇଛି। କାରଣ ଏଥିପୂର୍ବରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକମାନେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଅତିରିକ୍ତ ଶ୍ରମ ଆୟୁକ୍ତ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଖୋଲା ଖୋଲି ଅଭିଯୋଗ କରାଯାଇଛି। ଏ ନେଇ ବିକ୍ଷୋଭ ବେଳେ ଜେକେ କାଗଜକଳର ଠିକାଦାର ଓ ଶ୍ରମ ବିଭାଗର ଅଧିକାରୀଙ୍କ ବିରୁଦ୍ଧରେ ଶ୍ରମିକମାନେ ବିଷୋଦଗାର କରିଥିଲେ। କେଉଁ କାରଣରୁ ଶ୍ରମ ବିଭାଗର କର୍ତ୍ତୃପକ୍ଷ ଗରିବ ଶ୍ରମିକଙ୍କ ପ୍ରତି ଅଣଦେଖା କରୁଛନ୍ତି ତାହାର ଉତର ରଖିବାକୁ ଜିଦ ଧରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ ଆନ୍ଦୋଳନରତ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ଶ୍ରମ ଅଧିକାରୀ ଶ୍ରୀ ଭୋଇ ଗଣମା୍ମମକୁ କହିଛନ୍ତି ଯେ, ଶ୍ରମିକମାନେ ଯେଉଁ ଦାବି କରୁଛନ୍ତି ତାହା ଏକ ଆଇନଗତ ପ୍ରକିୟା ଓ ଗଣତାନ୍ତ୍ରିକ ପଦ୍ଧତି। ତେଣୁ ନିଷ୍ପତି ଗ୍ରହଣରେ ବିଳମ୍ବ ହେଉଛି। କିନ୍ତୁ ଶୀଘ୍ର ସମାଧାନ ପାଇଁ ଆମେ ଉଦ୍ୟମ କରୁଛୁ। ଏହାପରେ ଶ୍ରମିକଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସମାଧାନ ପାଇଁ ନିବେଦନ କରିଥିଲେ। ଶ୍ରମିକ ନେତା ଚନ୍ଦନା ହରେନ୍ଦ୍ର ନାଥ ଓ ଆଇନଜୀବୀ ତଥା ଉପଦେଷ୍ଟା ସୁନୀଲ କରଙ୍କ ନେତୃତ୍ୱରେ ରଦମା ମହାନନ୍ଦିଆ, ଏମ.ଶ୍ରୀନିବାସ ପାତ୍ର, ଜି.ଚନ୍ଦନା ରାଓ, କେ.ଆଦିଗା, ଲାଲୁ ବାଗ, ଭାସ୍କର ନିଳଗିରି, ଗଣେଶ୍ୱର ଜେନା, ଦୟାନିଧି ବେବର୍ତା ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଶ୍ରମିକଙ୍କ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉଭୟ ରାୟଗଡ଼ା ଓ ଚାନ୍ଦିଲି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *