କଶିଆ ଓ ଚୂଡାମଣି ତଟ ସୁରକ୍ଷା ପାଇଁ ନାହିଁ ଅର୍ଥ, କର୍ମଚାରୀ ଓ ବୋଟ୍ର ଅଭାବ, ବାକି-କାଳିରେ ଚାଲିଛି ୨ଟି ଥାନା

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଧାରଉଧାରରେ ଚାଲିଛି ସମୁଦ୍ର ଉପକୂଳ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା। ଜଳ ପଥରେ ବାହ୍ୟଶତ୍ରୁର ଆକ୍ରମଣକୁ ପ୍ରତିହତ କରିବା, ଚୋରା କାରବାର ଉପରେ ନଜର ରଖିବା ଏବଂ ଅନୁପ୍ରବେଶକାରୀଙ୍କ ଉପରେ ସତର୍କ ଦୃଷ୍ଟି ଲାଗି ଏହି ଜିଲାର ବାସୁଦେବପୁର ଅଞ୍ଚଳରେ ରହିଛି କଶିଆ ଓ ଚୂଡାମଣୀ ଦୁଇଟି ଥାନା। ହେଲେ ଏହି ଥାନା ଦୁଇଟିର ଅବସ୍ଥା ଏବେ ଶୋଚନୀୟ। ସମୁଦ୍ରରେ ପ୍ରହରା ବ୍ୟବସ୍ଥା ପାଇଁ ନା ଅଛି ବୋଟ ନା କାର୍ଯ୍ୟାଳୟରେ ଅଛନ୍ତି ଆବଶ୍ୟକ କର୍ମଚାରୀ। ଆଧୁନିକ ଉପକରଣର ବି ଅଭାବ ରହିଛି। ବିପଦଆପଦ ଆସିଲେ ଧାରଉଧାରରେ ବୋଟ ଆଣି କାମରେ ଲଗା ଯାଉଛି। ହାତଗଣତି କେତେଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଉପକୂଳ ସୁରକ୍ଷା ବ୍ୟବସ୍ଥା। ବାସୁଦେବପୁର ଅଞ୍ଚଳର ଚୂଡାମଣୀ ଓ କଶିଆରେ ପର୍ଯ୍ୟାୟ କ୍ରମେ ଦୁଇଟି ସାମୁଦ୍ରିକ ଥାନା ଗଢି ଉଠିଥିଲା। ୨୦୧୪ ଅଗଷ୍ଟ ୨୯ ତାରିଖରେ ପ୍ରଥମେ ଚୂଡାମଣୀ ଥାନା ଆରମ୍ଭ ହୋଇଥିଲା। ଆଡିଆ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଥାନାର କାର୍ଯ୍ୟାଳୟ ଚାଲିଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ସେହିବର୍ଷ ଡିସେମ୍ବର ୧୯ ତାରିଖରେ ସୁନାମୁହିଁ ବାତ୍ୟା ଆଶ୍ରୟସ୍ଥଳୀରେ କଶିଆ ସାମୁଦ୍ରିକ ଥାନା ଉଦ୍ଘାଟନ ହୋଇଥିଲା। କିଛିବର୍ଷ ପରେ ଚୂଡାମଣୀ ଥାନା ସ୍ଥାୟୀ କାର୍ଯ୍ୟାଳୟକୁ ଫେରିଥିଲା। କଶିଆ ଥାନା ଏବେ ବି ବାତ୍ୟା ଆଶ୍ରୟସ୍ଥଳୀରେ ଚାଲୁଛି। କେବଳ ହାତଗଣତି କିଛି କର୍ମଚାରୀଙ୍କୁ ଛାଡିଦେଲେ ଶତ୍ରୁକୁ ମୁକାବିଲା କରିବା ପାଇଁ ଆବଶ୍ୟକ ଆଧୁନିକ ଉପକରଣର ଅଭାବ ରହିଛି। ଦୀର୍ଘଦିନ ହେବ ସାମୁଦ୍ରିକ ଥାନା କାର୍ଯ୍ୟକ୍ଷମ ହୋଇଥିଲେ ବି ଆଜିଯାଏ ଦୁଇ ଥାନାକୁ ସମୁଦ୍ରରେ ପ୍ରହରା ପାଇଁ ବୋଟଟିଏ ମିଳିନି। କୌଣସି ବିପଦଆପଦ ହେଉ ଅବା ଜରୁରୀ ପରିସ୍ଥିତିର ସୂଚନା ଆସିଲେ, ସାମୁଦ୍ରିକ ଥାନା ମତ୍ସ୍ୟଜୀବୀଙ୍କ ନିକଟରୁ ବୋଟ ନହେଲେ ଧାମରା ପୋର୍ଟ ଉପରେ ନିର୍ଭର କରୁଛି। ନିକଟରେ ଚୂଡାମଣୀ ଅଞ୍ଚଳର ବୋଟ ଧାମରା ମୁହାଣରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ବୋଟରେ ଯାନ୍ତ୍ରିକ ତ୍ରୁଟିରୁ ମତ୍ସ୍ୟଜୀବୀମାନେ ବିପଦରେ ପଡିଥିଲେ। ସୂଚନା ପାଇ ଚୂଡାମଣୀ ସାମୁଦ୍ରିକ ଥାନା ଧାମରା ପୋର୍ଟ ଓ ମେରାଇନ ସହିତ ସଂପର୍କ କରି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲା। ଏପରିକି ମାଛ ଧରା ଉପରେ କଟକଣା ସମୟରେ ସମଦ୍ରକୁ ବେଆଇନ ଭାବେ ମାଛ ଧରିବାକୁ ଯାଉଥିବା ବୋଟକୁ ଧରିବା ପାଇଁ ସାମୁଦ୍ରିକ ଥାନାକୁ ବୋଟ ପାଇଁ ମତ୍ସ୍ୟଜୀବୀଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ତା’ଛଡା ବିଭିନ୍ନ ସମୟରେ ଓଡିଶା ଆତଙ୍କବାଦୀଙ୍କ ନଜରରେ ରହିଆସିଛି। ଫଳରେ ସାମୁଦ୍ରିକ ଥାନାକୁ ସଜାଗ ରହିବାକୁ କୁହାଯାଉଛି। ଏପରି ସ୍ଥିତିରେ ବି ସାମୁଦ୍ରିକ ଥାନାଗୁଡିକୁ ଆଧୁନିକୀ କରଣ କରାଯାଇ ପାରୁନି। ସବୁଠାରୁ ବଡକଥା ହେଲା, ଥାନାରେ ଆବଶ୍ୟକ କର୍ମଚାରୀ ପଦ ପୂରଣ ହେଉନି। ଆଗପଛ ହୋଇ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ହେବ ଥାନା କାର୍ଯ୍ୟକ୍ଷମ ହୋଇଥିଲେ ବି କର୍ମଚାରୀ ପୂରଣ ହୋଇ ନପାରିବା ଚିନ୍ତାଜନକ ବିଷୟ ପାଲଟିଛି। ତେବେ ଜଳ ପଥରେ ପ୍ରହରା ପାଇଁ ବୋଟ, ଆବଶ୍ୟକ କର୍ମଚାରୀ ଓ ଥାନାକୁ ଆଧୁନିକ ଉପକରଣ ଯୋଗାଇ ଦେବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *