କଳ୍ପନା ବସ୍ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, କଟକ ସ୍ଥାନାନ୍ତର ୪ ଗୁରୁତରରୁ ୧ ମୃତ

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତକାଲି ରାତିରେ ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିବା “କଳ୍ପନା’ ନାମକ ଯାତ୍ରୀବାହୀ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିବା ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରିଜଣ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି। ଯାତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବସ୍ ଚାଳକର ହାତ ପୂର୍ବରୁ ଆଘାତ ପ୍ରାପ୍ତ ହୋଇ ସେ ଏକ ବେଣ୍ଡେଜ୍ ବାନ୍ଧି ଗାଡି ଚାଳନା କରୁଥିଲେ। ଫଳରେ ଏକ ଟ୍ରକକୁ ଓଭରଟେକ୍ କରୁଥିବା ସମୟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍କୁ ଓଲଟି ପଡିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବସ୍ଟି ଧାମନଗର ଛକ ନିକଟ ମଜୁରିଗଡିଆ ୪ନଂ କେନାଲ ନିକଟ ଏକ ନିଛାଟିଆ ସ୍ଥାନରେ ପଲଟିଛି। ଘଟଣା ସଂପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୩ଟି ଦମକଳ ଗାଡି, ୬ଟି ଆମ୍ବୁଲାନ୍ସ ଯୋାଗେ ପୁଲିସ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା ହୋଇଥିଲା। ତେବେ ସ୍ଥାନଟି ଅନ୍ଧାରିଆ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଭଦ୍ରକ ମେଡିକାଲରେ ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ତହସିଲଦାର ପ୍ରଦୀପ୍ତ ସାହୁ, ସହରାଞ୍ଚଳ ଥାନାଧିକାରୀ ଦିଲ୍ଲୀପ ସାହୁ, ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ ପ୍ରମୁଖ ପହଞ୍ଚି ଆହତଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତଙ୍କର ସହ ଆଲୋଚନା କରିଥିଲେ। ସର୍ବଶେଷ ସୂଚନାରୁ ଯାହା ଜଣାଯାଏ କଟକ ସ୍ଥାନାନ୍ତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଭଦ୍ରକ ଜିଲାର ଧୁଷୁରୀ ଅଂଚଳର ରଶ୍ମିରେଖା ରାଉତ (୩୫) ଙ୍କ ସେଠାରେ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *