କଳା ଛାତ୍ରଛାତ୍ରୀଙ୍କ ତରଫରୁ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଆଜି ପୂର୍ବାହ୍ନରେ ବିଭିନ୍ନ ଦାବି ନେଇ ୫୦ରୁ ଉର୍ଦ୍ଧ୍ୱ ଜିଲ୍ଳାର କଳା ଛାତ୍ରଛାତ୍ରୀ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ନିଜର ମୌଳିକ ଦାବି ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଶିକ୍ଷାବିଭାଗର ୱେବସାଇଟ୍ରୁ ଜଣା ପଡିଛି ଯେ ୨୦୧୨ ମସିହାରେ ଭଦ୍ରକ ଜିଲ୍ଲାରେ ବିଦ୍ୟାଳୟ ମାନଙ୍କର କଳା ଶିକ୍ଷକ ପଦବୀ ପାଇଁ ୧୦୦ଟି ପଦବୀ ସୃଷ୍ଟି କରାଯାଇଥିଲା। ତନ୍ମଧ୍ୟରୁ ୭୦ ଜଣଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଅବଶିଷ୍ଟ ୩୦ଟି ପଦବୀରେ କୌଣସି ନିଯୁକ୍ତି ଦିଆ ଯାଇ ନ ଥିଲା। ସେହିଭଳି ୨୦୧୫ ଅଗଷ୍ଟରେ ମାତ୍ର ୨୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ସମସ୍ତ ୨୦ଟି ପଦବୀ ୨୦୧୬ ଡିସେମ୍ବରରେ ନିଯୁକ୍ତି ଦିଆ ଯାଇଥିଲା। ଏପଟେ ଜିଲ୍ଲାରେ ବେକାର କଳା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ବଢୁଥିବା ବେଳେ ସେପଟେ ୨୦୧୫ରୁ କୌଣସି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ ନାହିଁ। ଦାବି ମୁତାବକ ଜିଲ୍ଳାରେ ବିଦ୍ୟାଳୟମାନଙ୍କର କଳା ଶିକ୍ଷକ ପଦବୀ ସୃଷ୍ଟି କରାଯାଉ ଏବଂ ପୂର୍ବରୁ ଯେଉଁ ପଦବୀ ସୃଷ୍ଟି ହୋଇଥିଲା ତାହାର ନିଯୁକ୍ତି ଦିଆଯାଉ। ଛାତ୍ରମାନଙ୍କର ଏକ ପ୍ରତିନିଧି ଦଳ ଉକ୍ତ ଦାବି ଜିଲ୍ଳାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ତୁରନ୍ତ ଏ ଘଟଣାର ତଦନ୍ତ କରିବା ସହିତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏହାର କୌଣସି ସମାଧାନ ନ ହୁଏ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇବାକୁ ଛାତ୍ର ପ୍ରତିନିଧିମାନେ ପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାର୍ଥôଙ୍କ ତରଫରୁ ଜିଲ୍ଳାପାଳଙ୍କୁ ପ୍ରଭୁ ଜଗନ୍ନାଥଙ୍କର ଦୁଇଟି ତୈଳ ଚିତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଛାତ୍ର ପ୍ରତିନିଧି ଦଳରେ କଳାଛାତ୍ର ସନ୍ତୋଷ ମହାରଣା, ଷ୍ଟାଲିନ ବଳ, ପଙ୍କଜ କୁମାର ଦାସ, ହିମାଂଶୁ ପଣ୍ଡା, ଚନ୍ଦନା ଗାହାଣ, ମିନତୀଲତା ପାଢୀ, ହିମାଂଶୁ ମଲ୍ଲିକ, ସ୍ମୃତିପ୍ରଭା ରାଉତ ଏବଂ ଛାତ୍ରନେତା ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *