କଳାହୀରା ମାୟା ୭ ବର୍ଷରେ ନେଲାଣି ୫ ଜୀବନ, ୨୧ ଜଣ ଆହତ କଲା କୁକର୍ମର ଫଳ ଭୋଗୁଛନ୍ତି

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ବନ୍ଦରରୁ ମାଲବାହୀ ଟ୍ରେନ୍ କୋଇଲା ଧରି ବାହାରିବା ପରେ ଭଦ୍ରକ ପର୍ଯ୍ୟନ୍ତ ରେଳପଥରେ କୋଇଲା ଚୋରି ଚାଲିଛି। ୬୨ କିଲୋମିଟର ରେଳପଥ ମଧ୍ୟରେ ଏହି କୋଇଲା ଚୋରି ଅନବରତ ୭ ବର୍ଷ ହେଲା ଜାରି ରହିଛି। ଧାମରା ରେଳପଥରେ ଅତି ବିପଦ ଜନକ ଭାବେ କୋଇଲା ଚୋରି କରୁଥିବା ବେକାର ଯୁବକମାନେ ଅଧିକାଂଶ ସମୟରେ ରେଳ ଧାରଣା ଖୁଣ୍ଟରୁ ଖସିପଡି ଆହତ ହେବା ପରେ ବିକଳାଙ୍ଗ ହେଉଛନ୍ତି। ଏହାର ସଂଖ୍ୟା ୭ ବର୍ଷ ଭିତରେ ୨୧ ଟପିଛି। ଏବଂ ୫ରୁ ଅଧିକ ମୃତ୍ୟୁ ଘଟିଥିବା ତଥ୍ୟ କହୁଛି। ସେହିଭଳି ଜିଲାର ୮ଟି ଥାନାରେ ୧୮୮ ଟି ମାମଲା ରୁଜୁ ହୋଇଛି। ପୁଲିସ୍ ଏହି କାରବାରରେ ସଂପୃକ୍ତ ୧୮୩ ଟି ଗାଡି ସମେତ ୧ ଲକ୍ଷ କ୍ୱିଣ୍ଟାଲରୁ ଅଧିକ କୋଇଲା ଜବତ କରିଥିବା ଜଣାପଡିଛି। ଧାମରା ରେଳପଥରେ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ନିଯୁକ୍ତ ସିକ୍ୟୁରିଟି ଗାର୍ଡ ପଇଁତରା ଦିନରାତି ମାରୁଥିଲେ ମଧ୍ୟ ମାଲବାହୀ ଟ୍ରେନ୍ରୁ ଅତି ବିପଦ ଜନକ ଭାବେ କୋଇଲା ଚୋରି ହେଉଛି। ରେଳ ଧାରଣା ଖୁଣ୍ଟରେ ଚଢି ଏହି କୋଇଲା ଚୋରି ଚାଲିଛି। ଏଥିପାଇଁ ତିହିଡି, ଚାନ୍ଦବାଲି, ଧାମନଗର, ନାୟକାଣୀଡିଡି, ଧାମରା ସାମୁଦ୍ରିକ ଥାନା, ବାଂଶଡା ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଏବଂ ଭଦ୍ରକ ଟାଉନ୍ ଥାନାରେ ମୋଟ ୧୮୮ ଟି ମୋକଦ୍ଦମା ଏହି କୋଇଲା ଚୋରି ପାଇଁ ରୁଜୁ ହୋଇଛି। ୫୧୨ ଜଣ କୋଇଲା ଚୋରଙ୍କ ନାମରେ କେଶ୍ ହୋଇଥିବା ବେଳେ କୋଇଲା ଚୋରିରେ ବ୍ୟବହାର ହୋଇଥିବା ଟ୍ରକ୍, ବୋଲେରୋ, ଟାଟା ଏସି, ମିନି ଟ୍ରକ୍ ଏବଂ ମୋଟର ସାଇକେଲ୍ ଓ ଅଟୋ ସହିତ ୧୮୩ ଟି ଗାଡି ପୁଲିସ୍ ଜବତ କରିଛି। ଜିଲା ପୁଲିସ୍ ୨୦ ହଜାର କ୍ୱିଣ୍ଟାଲ ମୂଲ୍ୟବାନ ଅଷ୍ଟ୍ରେଲିୟ କୋଇଲା ଜବତ କରିଛି। ତିହିଡି ଥାନାରେ ମୋଟ ୫୪ ଟି କେଶ୍ ୧୬୧ ଜଣଙ୍କ ବିରୋଧରେ ରୁଜୁ ହୋଇଥିବାବେଳେ ୩୬ ଟି ଗାଡି ଜବତ ହୋଇଛି। ୬୫୦୦ କ୍ୱିଣ୍ଟାଲ କୋଇଲା ଲୋକଙ୍କ ବାଡି ବଗିଚାରୁ ଉଦ୍ଧାର କରାଯାଇଛି। ସେହିପରି ଚାନ୍ଦବାଲି ଥାନା ପୁଲିସ୍ ୭୮ ଜଣ କୋଇଲା ଚୋରଙ୍କୁ ଗିରଫ କରିଥିବାବେଳେ ୧୧୨ ଜଣଙ୍କ ନାମରେ ମୋକଦ୍ଦମା ଏବଂ ୨୧ଟି ଗାଡି ସହ ୨୦୦୦ କ୍ୱିଣ୍ଟାଲ କୋଇଲା ଜବତ କରିଛି। ଧାମନଗର ଥାନାରେ ଏହି ଚୋରା କୋଇଲା ଚାଲାଣ ବେଳେ ଧରାପଡିଥିବା ୧୪ ଜଣ ଅଭିଯୁକ୍ତଙ୍କ ନାମରେ ୫ଟି ମୋକଦ୍ଦମା ରୁଜୁ ହୋଇ ୩ଟି ଗାଡି ଜବତ କରାଯାଇଛି। ନାୟକାଣୀଡିହି ଥାନାରେ ୧୩ଟି ମୋକଦ୍ଦମା ହୋଇଛି। ୫ଟି ଗାଡି ଜବତ ହେବା ସହ ୫୦୦ କ୍ୱିଣ୍ଟାଲ କୋଇଲା ଜବତ ହୋଇଛି। ସେହିପରି ଧାମରା ସାମୁଦ୍ରିକ ଥାନା ତରଫରୁ ଗୋଟିଏ କେଶ୍ କରାଯାଇଛି। ୪ ଜଣ ଅଭିଯୁକ୍ତଙ୍କ ନାମରେ ଏବଂ ୪ଟି ଗାଡି ଜବତ କରାଯାଇ ୧୦୦ କ୍ୱିଣ୍ଟାଲ କୋଇଲା ଜବତ ହୋଇଛି। ବାଂଶଡା ଥାନା ପୁଲିସ୍ ଏହି କୋଇଲା ଚୋରି ବାବଦରେ ୪୯ ଟି ମୋକଦ୍ଦମା କରିଛନ୍ତି ୧୭୧ ଜଣଙ୍କ ନାମରେ। ୨୬ଟି ଗାଡି ଜବତ ହୋଇଛି ଏବଂ ୩୩୦୦ କ୍ୱିଣ୍ଟାଲ ଅଷ୍ଟ୍ରେଲିୟ କୋଇଲା ଜବତ କରିଛି ପୁଲିସ୍। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଏହି କୋଇଲା ଚୋରି ବାବଦରେ ୪୧ଟି ମୋକଦ୍ଦମା ୩୦୬ ଜଣଙ୍କ ନାମରେ ରୁଜୁ କରିବା ସହ ୨୨ଟି ଗାଡି ଓ ୮ ହଜାର ୧୦୦ କ୍ୱିଣ୍ଟାଲ କୋଇଲା ଜବତ କରିଛି। ଭଦ୍ରକ ଟାଉନ୍ ଥାନା ଏହି କୋଇଲା ଚୋରି ବାବଦରେ ୧୪ ଜଣଙ୍କ ନାମରେ ୬ଟି ମୋକଦ୍ଦମା କରିବା ସହ ୯ଟି ଗାଡି ଜବତ ଓ ୩୧୮ କ୍ୱିଣ୍ଟାଲ କୋଇଲା ଜବତ କରିଛି। ପୁଲିସ୍ ତରଫରୁ ଏହି ୨୦ ହଜାର କ୍ୱିଣ୍ଟାଲ କୋଇଲା ଜବତ କରିବା ପରେ ଧାମରା ବନ୍ଦର କଂପାନୀକୁ ହସ୍ତାନ୍ତର କରିଛନ୍ତି। ଅବଶ୍ୟ ଏହି କୋଇଲା ଚୋର ଓ କୋଇଲାକୁ ଧରିବା ପାଇଁ ଜିଲା ପୁଲିସ୍ ଚଢଉ ଜାରି ରଖିଥିବାବେଳେ ଧାମରା ବନ୍ଦର ତରଫରୁ କେତେକ ସିକ୍ୟୁରିଟି କର୍ମଚାରୀଙ୍କୁ ପଠାଇ ଜବତ କୋଇଲା ବୁହାବୋହିରେ ସାହାଯ୍ୟ କରିଥିଲା। ଅନ୍ୟପକ୍ଷରେ ପୁଲିସ୍ ତରଫରୁ ଏତେ ପରିମାଣରେ କୋଇଲାକୁ ଲୋକଙ୍କ ଘର ଓ ବାଡିରୁ ଜବତ କରିବା ପରେ ଧାମରା ବନ୍ଦର କଂପାନୀକୁ ହସ୍ତାନ୍ତର କରିଥିଲା। ଧାମରା ବନ୍ଦରର ଅଷ୍ଟ୍ରେଲିୟ ଜାହାଜରୁ କୋଇଲା ଓହ୍ଲାଯିବା ପରେ ଦେଶର ବିଭିନ୍ନ ଶିଳ୍ପ ସଂସ୍ଥା ଟ୍ରେନ୍ ଯୋଗେ ନେଉଛନ୍ତି। ବନ୍ଦର କଂପାନୀ ମାଲବାହୀ ଟ୍ରେନ୍ରେ କୋଇଲା ଲୋଡିଂ କରି ବନ୍ଦର ଗେଟ୍ ପାରି କରାଇବା ପରେ କୋଇଲା ଦାୟିତ୍ୱ ବାଟରେ କିଏ ନେବ, ତାହା ସଠିକ୍ ଭାବେ ଜଣାପଡିନ। ପୁଲିସ୍ ତରଫରୁ ଜବତ ହୋଇଥିବା ଏହି କୋଇଲା ସବୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଯାଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *