କଳାହାଣ୍ଡି ସାହିତ୍ୟକଥାର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି -୨୭-୭ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିରୁ ପ୍ରକାଶିତ ପାଉଥିବା ଓଡିଶାର ଏକମାତ୍ର ସାହିତ୍ୟ ସମ୍ବାଦ ଭିତିକ ମାସିକ ପତ୍ରିକା ସାହିତ୍ୟକଥା ର ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ଛଅବର୍ଷ ତଳେ ଅଙ୍କୁରୋଦଗମ ହୋଇଥିବା ଏହି ଚାରାଟି ଧିରେଧିରେ ମହାଦ୍ରୁମରେ ପରିଣତ ହେବାକୁ ଯାଉଛି। କେବଳ ଓଡିଶା କାହିଁକି ସାରା ଦେଶରେ ଏପରିକି ବିଦେଶରେ ମଧ୍ୟ ଓଡିଆ ପାଠକୀୟତା ସୃଷ୍ଟିକରିବାରେ ସାହିତ୍ୟକଥାର ଭୂମିକା ଅନନ୍ୟ ବୋଲି ଭବାନୀପାଟଣାସ୍ଥିତ ବିବେକାନନ୍ଦ ଭବନରେ ଆୟୋଜିତ ଷଷ୍ଠ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସାଂପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ଯୁଗରେ ଆମର ସମସ୍ତ ସାଧନ ଉପଲବ୍ଧ ଥାଇ ସୁଦ୍ଧା ସମୟର ଅଭାବ ପରିଲକ୍ଷିତ ହେଉଥିବା ସହିତ ସାମାଜିକ ଆବେଗ ତଥା ସମ୍ବେଦନଶୀଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସୃଜନଶୀଳନ ଉପରେ ପ୍ରତିବନ୍ଧକ ସାଜିଛି। ଏ ଦିଗରେ ସମନ୍ୱୟ ରକ୍ଷା କରି ସମଗ୍ର ସାହିତ୍ୟ ସମାଜ, ସାହିତ୍ୟିକ, ପାଠକ ମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାର ସଂକଳ୍ପ ନେଇ ମାସିକ ସାହିତ୍ୟକଥାର ସୃଷ୍ଟି ହୋଇଥିବା ପ୍ରକାଶ। ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ଔପନ୍ୟାସିକ, ଲେଖକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାସବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶିବରାମ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସାହିତ୍ୟକଥାର ସମ୍ପାଦକ ସୁଧିର କୁମାର ଧଂଗଡାମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ଲେଖକ ସୁଶୀଳ କୁମାର ବାଗ ସଭାପରିଚାଲନା କରିଥିଲେ। ଏହି ଅବସରରେ ସାହିତ୍ୟିକ ତଥା ଲେଖକ ସକିତ ରତେଙ୍କ ଅନନ୍ୟ ସୃଷ୍ଟି ଅନୁବାଦ ଗଳ୍ପ ସଂକଳନ ଭାରତୀୟ କଥାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଶେଷରେ ଉପସ୍ଥିତ କବି, କବିୟତ୍ରୀ ଓ ଲେଖକ ମାନେ ସାହିତ୍ୟ କଥା ଏବଂ ଭାରତୀୟ କଥା ଉପରେ ସ୍ୱ ସ୍ୱ ମତାମତ ପ୍ରଦାନ କରିଥିଲେ। ଶେଷରେ ରଜତ ବଂଶଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *