କଳାହାଣ୍ଡି- ୧୧-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ ବାହିନୀ ତାଙ୍କ ଉପସ୍ଥିତି ଜାହିର କରିଥିବା ଜଣାପଡିଛି। ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ର ଜାମକନା ଗାଁରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରୁଥିବା ଠିକାଦାର କେମ୍ପରେ ଗତ ମଙ୍ଗଳବାର ରାତିରେ ରାସ୍ତା ନିର୍ମାଣକୁ ବିରୋଧ କରି ୭ଟି ଗାଡିକୁ ପୋଡି ଦେଇଛନ୍ତି। ଭବାନୀପାଟଣା ସହର ଠାରୁ ମାତ୍ର ୧୬ କି.ମି. ଦୂର ଏବଂ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଠାରୁ କାଡମ ୧୩.୨୦ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ୬ କୋଟି ୫୦ଲକ୍ଷ ୮୦ ହଜାର ଟଙ୍କା ଭବାନୀପାଟଣାସ୍ଥିତ ଠାକୁର ବିଲ୍ଡଟେକ ପ୍ରାଇଭେଟ ଲିମିଟେଡ ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଉଥିଲା। ଲାଲ ବାହିନୀ ପକ୍ଷରୁ ଏହି ରାସ୍ତା କାମକୁ ବିରୋଧ କରି ରାସ୍ତା ନିର୍ମାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ବାରମ୍ବାର ଧମକ ଦିଆଯାଉଥିଲା। ଏପରିକି ରାସ୍ତା ନିର୍ମାଣ ବନ୍ଦ ନକଲେ କେମ୍ପ ପୋଡି ଦେବାକୁ ମଧ୍ୟ ଧମକ ଦିଆଯିବା ଏହି ଅଂଚଳରେ ଚାଂଚଲ୍ୟ ଖେଲି ଯାଇଛି। କଳାହାଣ୍ଡି ପୋଲିସ ପକ୍ଷରୁ ତନାଘନା ଅନୁସନ୍ଧାନ ଚାଳିଥିବା ବେଳେ ଜିଲ୍ଲାରେ ନୂଆ ପୋଲିସ ଅଧିକ୍ଷକ କାର୍ଯ୍ୟଭାର ନେବା ପରେ ମାଓବାଦୀ ମାନେ ତାଙ୍କ ଉପସ୍ଥିତି ଜାହିର କରିଥିବା ବେଳେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏହି ଘଟଣାରେ ଡିଆଇଜି ପି.ସାଇନି କଳାହାଣ୍ଡିରେ ପହଂଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଘଟଣା ନେଇ ଭବାନୀପାଟଣା ସଦର ଥାନାରେ ସଂପୃକ୍ତ ଠିକା ସଂସ୍ଥାର ସାଇଟ ମେନେଜର ଧର୍ମେନ୍ଦ୍ର ପଣ୍ଡାଙ୍କ ଏତାଲା କ୍ରମେ ଏକ ମାମଲା ରୁଜ୍ଜୁ କରାଯାଇ ଆଇଆଇସିଙ୍କ ଦ୍ୱାରା ତଦନ୍ତ କରୁଥିବା ବେଳେ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଭାର ଦେବାକୁ ଡିଆଇଜିଙ୍କ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଜାମକନା ଗାଁରେ ଥିବା ଠିକାଦାର କେମ୍ପକୁ ମଙ୍ଗଳବାର ସଂଧ୍ୟା ସାଢେ ଛଅ ସାତ ମଧ୍ୟରେ ୫୦ ରୁ ୬୦ ଜଣ ସଶସ୍ତ୍ର ମାଓବାଦୀ ଆସି ସେଠାରେ ଥିବା ସମସ୍ତ ଶ୍ରମିକ ମାନଙ୍କୁ ଏକାଠି ହେବାକୁ କହି ଆଗାମୀ ଦିନରେ ରାସ୍ତା କାମ ବନ୍ଦ ନକଲେ କେମ୍ପ ପୋଡି ଦିଆଯିବ ବୋଲି ଧମକ ଦେଇଥିଲେ। ଶ୍ରମିକ ମାନେ ଏକାଠି ହେବା ପରେ କେମ୍ପରୁ ଡିଜେଲ ନେଇ ସେଠାରେ ଥିବା ୪ଟି ଟ୍ରାକ୍ଟର, ଗୋଟିଏ ଜେସିବି ମେସିନ, ଗୋଟିଏ ଟ୍ରିପର ଗାଡିକୁ ନିଆଁ ଲଗାଇ ଦେଇଥିଲେ। ଗାଡିସବୁ ପୋଡିବା ପରେ ସେଠାରେ ଥିବା ସମସ୍ତ ଶ୍ରମିକ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ମାନଙ୍କୁ ସେଠାରୁ କେମ୍ପ ଛାଡି ଚାଲିଯିବାକୁ କହିଥିଲେ। ପୋଷ୍ଟରକୁ କେହି ଚିରିଦେଲେ କିମ୍ବା ନେଇଗଲେ ତାକୁ ଶାସ୍ତି ଦିଆଯିବା ବୋଲି ଧମକ ଦେଇଥିଲେ। ଦୀର୍ଘ ଦୁଇରୁ ତିନି ଘଂଟା କାଳ ଏଭଲି କାଣ୍ଡ ଭିଆଇ ମାଓବାଦୀମାନେ ସେଠାରେ ୧୫ରୁ ଅଧିକ ହାତଲେଖା ପୋଷ୍ଟର ଛାଡି ଚାଲିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ମାନେ ପୋଲିସ ଆଗରେ କହୁଥିବା ଜଣାପଡିଛି। ମହିଳା ଓ ପୁରୁଷ ମାଓବାଦୀମାନେ ୟୁନିଫର୍ମ ପିନ୍ଧିଥିବା ବେଳେ ସମସ୍ତେ ବନ୍ଧୁକ ଓ ଲାଠି ଧରିଥିବା ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ସୂତ୍ରରୁ ପ୍ରକାଶ। ସେଠାରୁ ଗୁଣ୍ଡୁରି, କାର୍ଲି ଓଶୋଷପଦର ରାସ୍ତାକୁ ମାଓବାଦୀମାନେ ସିଲ କରି ଦେଇଥିବାର ଜଣାପଡିଥିଲା।
ଜିଲ୍ଲା ସଦର ମହକୂମା ଠାରୁ ଅଳ୍ପ ଦୂରରେ ଏଭଲି ଭାବେ ମାଓ ତାଣ୍ଡବ ହୋଇଥିବା ବେଳେ ଜିଲ୍ଲା ମୂଖ୍ୟାଳୟ କେତେ ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ରାସ୍ତା ର ଶିଳାନ୍ୟାସ ସମୟରେ ଲାଞ୍ଜିଗଡ ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଘଣା ସଂପର୍କରେ ଥାନାରେ କେଶ ଦାଏର ହୋଇଥିବା ପ୍ରକାଶ।