କଳାହାଣ୍ଡି; ଲଡୁଗାଁରେ ଡେଙ୍ଗୁ ଆତଙ୍କ । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏବଂ ମିଲ ଗୁଡିକର ବର୍ଯ୍ୟ ବସ୍ତୁ ଦାୟୀ ବୋଲି ଅଭିଯୋଗ ।

କଳାହାଣ୍ଡି – ୧୪/୦୮/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଂଚଳରେ ଗତ ଏକ ସପ୍ତାହରୁ ଅଧିକ ହେବ ଡେଙ୍ଗୁ ଆତଙ୍କ ବଢିବାରେ ଲାଗିଛି । ଜିଲ୍ଲାପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉଥିଲେହେଁ ଡେଙ୍ଗୁ ରୋଗୀ ସଂଖ୍ୟା ପ୍ରତ୍ୟହ ବଢିବାରେ ଲାଗିଛି । କୋକସରା ବ୍ଲକ ଅଧିନସ୍ଥ ଏକ ପ୍ରମୂଖ ଜନବସତି ଭାବେ ଲଡୁଗାଁ ପରିଚିତ ଥିବା ବେଳେ ଏବଂ ଗ୍ରାମାଂଚଳ ହୋଇଥିଲେହେଁ ଏହା ପ୍ରାୟତଃ ଏକ ସହରାଂଚଳ ଭଲି ଅଟେ । ଏହି ଲଡୁଗାଁ ଗ୍ରାମଟି ଏଗାର ହଜାର ରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏବଂ ୧୫ ଗୋଟି ୱାର୍ଡ ବିଶିଷ୍ଟ ତଥା ଲଡୁଗାଁ ଗ୍ରାମପଂଚାୟତ ଅନ୍ତର୍ଭୁକ୍ତ ଏହି ଅଂଚଳର ପ୍ରମୂଖ ବ୍ୟବସାୟୀକ ପେଣ୍ଠସ୍ଥଳ ଅଟେ । ଆଖପାଖ ଅଂଚଳର ପ୍ରାୟ କୋଡିଏରୁ ଅଧିକ ଗ୍ରାମର ଲୋକେ ଏହି ଲଡୁଗାଁ ଉପରେ ନିର୍ଭର କରିଥାନ୍ତି । ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକେ ଲଡୁଗାଁକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ପାଇଁ ଯିବା ଆସିବା କରିଥାନ୍ତି । ଗତ ଏକ ସପ୍ତାହ ହେବ ଲଡୁଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆବଶୟକୀୟ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସ୍ୱତନ୍ତ୍ର ଟିମ ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରୁଥିଲେ ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଚିକିତ୍ସା ପରାମର୍ଶ ଦେଉଥିବା ଜଣାପଡିଛି । ପ୍ରତ୍ୟହ ରୋଗୀ ସଂଖ୍ୟା ବଢୁଥିବାରୁ ଜନସାଧାରଣରେ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି । ଦିକାନ ବଜାର ପ୍ରାୟତଃ ବନ୍ଦ ରହୁଥିବା ବେଳେ ଲୋକେ ପ୍ରାୟତଃ ବାହାରକୁ ବାହାରିବାକୁ ଭୟ କରୁଥିବା ଜଣାପଡିଛି । ଅଦ୍ୟାବଧି ସନ୍ଦିଗ୍ଧ ୨୨୦ ଜଣ ରୋଗୀଙ୍କ ରକ୍ତ ନମୁନା ପରିକ୍ଷା କରାଯାଇ ୫୭ ଜଣଙ୍କ ଡେଙ୍ଗୁ ପଜିଟିଭ ଥିବା ଜଣାପଡିଛି । ଅକ୍ରାନ୍ତ ରୋଗୀ ମାନଙ୍କ ମଧ୍ୟରୁ ୧୨ ଜଣ ସଦରମହକୁମା ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସତ୍ସିତ ହେଉଥିବା ବେଳେ ସେଠାରେ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରି ତିନି ଜଣ ରୋଗୀ ସେଠାରୁ ଅନ୍ୟତ୍ର ଚିକିତ୍ସିତ ହେବା ପାଇଁ ଚାଲିଯାଇଥିବା ଅଭିଯୋଗ ହୋଇଛି । ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ବୁର୍ଲା ପଠାଯାଇ ସେଠାରେ ଉତମ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସିଡିଏମଓ ପ୍ରକାଶ କରିଛନ୍ତି । ଏହା ଛଡା ଅନେକ ଡେଙ୍ଗୁ ରୋଗୀ ବିଶାଖାପାଟଣା,ରାୟପୁର ଆଦି ବିଭିନ୍ନ ବଡ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗରିବ ଲୋକେ ନିଜ ଘରେ ରହି ମଧ୍ୟ ଚିକିତ୍ସିତ ହେଉଥିବା ଦେଖାଯାଉଛି । ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ପଦାଧିକାରୀ ଏବଂ ସିଡିଏମଓ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନେକ ପଦାଧିକାରୀ ଲଡୁଗାଁ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ସିଡିଏମଓ ତଥା ସ୍ୱସ୍ଥ୍ୟ ବିଭାଗ ଅଧିକାରୀ ପରିସ୍ଥିତିକୁ ନଜରରେ ରଖିଥିବା ବେଳେ ସ୍ୱତନ୍ତ୍ର ଦଳ ଲଡୁଗାଁରେ କେମ୍ପ ପକାଇ ଡେଙ୍ଗୁ ରୋଗର ଆୟତ କରିବାକୁ ଉଦ୍ୟମ ଜାରି ରଖିଚନ୍ତି । ଧର୍ମଗଡ ବିଧାୟକ, ପୂର୍ବତନ ସାଂସଦଙ୍କ ସହିତ କଂଗ୍ରେସର ଏକ ଦଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ସମେତ ବିଜେପି ର ଏକ ପ୍ରତିନିଧି ଦଳ ମଧ୍ୟ ଘଟଣା ଅନୁଧ୍ୟାନ କରିଥିବା ଜଣାପଡିଛି । ଗ୍ରାମପଂଚାୟତ ଅଧିନସ୍ଥ ହୋଇଥିବା ବେଳେ ଏବଂ ଏତେ ସଂଖ୍ୟକ କନସଂଖ୍ୟା ଥିବା ବେଳେ ଏଠାରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତା ପାଶ୍ୱର୍ରେ ଅଳିଆ ଆବର୍ଜନା ସହିତ ମଇଳା ପାଣି ଜମି ରହୁଥିବା ଦେଖାଯାଉଛି । ଅନ୍ୟପକ୍ଷରେ ଲଡୁଗାଁରେ ପ୍ରାୟତଃ ଜନବସତି ପାଶ୍ୱର୍ରେ ବାର ଗୋଟି ରାଇସ ମିଲ ଥିବା ହେତୁ ସେଥିରୁ ଦୂଷିତ ପାଣି,କଳାଗୁଣ୍ଡ,ତଥା ଅନେକ ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ସେସବୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ରାଜ୍ୟ ପରିବେଶ ସୁରକ୍ଷା ବିଭାଗ ପକ୍ଷରୁ ୱାଟର ଟ୍ରିଟମେଂଟ ବ୍ୟବସ୍ଥା ଓ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ରାଇସ ମିଲ ଗୁଡିକୁ ଅନୁମତି ଦେବାର ନିୟମ ଥିବା ବେଳେ ସେସବୁ ପ୍ରତି ପ୍ରତ୍ୟକ୍ଷ ଦୃଷ୍ଟି ଦିଆଯାଉନଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଲଡୁଗାଁର ଯେକୌଣସି ରାସ୍ତା ହେଉକି ଗଳି ହେଉ ସବୁ ସ୍ଥାନରେ ମଇଳା ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶକୁ ଦ୍ୱୀଗୁଣିତ କରୁଥିବା ଜନସାଧାରଣରେ ଅଭିଯୋଗ ହେଉଛି । ପ୍ରଶାସନ ପକ୍ଷରୁ ଡେଙ୍ଗୁ ରୋଗ ବ୍ୟାପିବାର କାରଣ ଖୋଜି ପାଇପାରୁନଥିବା ବେଳେ ବାହାରୁ ରୋଗୀ ଆସି ଡେଙ୍ଗୁ ରୋଗ ବ୍ୟାପିଥିବା ଅନୁମାନ କରୁଥିବା ବେଳେ ଡେଙ୍ଗୁ ରୋଗର ପ୍ରକୃତ କାରଣ ବାହାର କରିପାରୁ ନଥିବା ଜଣାପଡିଛି । ଡେଙ୍ଗୁ ମଶାର ଅଣ୍ଡା କେଉଁଠି ଦେଇଛି ତାହା ଖୋଜି ପାରିନଥିବା ଜଣାପଡିଛି । ଏଥି ସହିତ ୩/୪ ଜଣ ମିଲ ମାଲିକ ମାନେ ମଧ୍ୟ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଅନ୍ୟତ୍ର ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ସମସ୍ତ ମିଲ ର ଷ୍ଟାଫ ଛୁଟିରେ ପଳାଇଯାଇଥିବା ଜଣାପଡିଛି । ମିଲ ଗୁଡିକର ବର୍ଯ୍ୟବସ୍ତୁ ଓ ମଇଳା ତଥା ବ୍ରଏଲର ପାଣି ଜମି ରହୁଥିବା ସ୍ଥାନ ଗୁଡିକୁ ପରୀକ୍ଷା କରାଗଲେ ବର୍ଷ ବର୍ଷ ଧରି ସେଠାରେ ଜମାଟ ବାନ୍ଧି ପାଣି ରହୁଥିବା ହେତୁ ସେସବୁ ସ୍ଥାନରେ ହୁଏତ ଡେଙ୍ଗୁ ମଶା ବଂଶ ବୃଦ୍ଧି କରିଥାଇପାରେ ବୋଲି ଜନସାଧାରଣରେ ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । ଏବେ ଲଡୁଗାଁର ଆଖପାଖ ଅଂଚଳ ଯଥା ଆଇଲି ଗାଁ, ଫୁପଗାଁ ଭଲି କେତେକ ଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି । ତୁରନ୍ତ ଡେଙ୍ଗୁ ରୋଗର ଅସଲ କାରଣ ଖୌଜା ନଗଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ବୁଦ୍ଧୀଜୀବୀ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *