କଳାହାଣ୍ଡିରେ ବର୍ଷା ସାଙ୍ଗକୁ ଧାନ ବିହନର ଅଭାବ; ଚାଷୀ ହତାଶ

କଳାହାଣ୍ଡି ୧୦/୦୭/୨୦୧୮ – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ବର୍ଷାର ଅଭାବରେ ସର୍ବୋପରି ଇନ୍ଦ୍ରାବତୀରେ ଜଳାଭାବ ହେତୁ କେନାଲ ପାଣି ଯୋଗାଣରେ ବ୍ୟାଘାତ ଦେଖାଦେଇଛି। ତାସାଙ୍ଗକୁ ଜିଲ୍ଲାସାରା ଧାନ ବିହନର କୃତ୍ରିମ ଅଭାବ ଚାଷୀର କଷ୍ଟକୁ ଦ୍ୱୀଗୁଣିତ କରିଦେଇଛି। ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥ ଆରମ୍ଭ ହେବା ପର୍ବରୁ କଳାହାଣ୍ଡିର ଚାଷୀ ଖରିଫ ଋତୁରେ ଧାନ ଅମଳ ହେଲେ ଆଗାମୀ ଋତୁ ପାଇଁ ଆବଶ୍ୟକୀୟ ବିହନ ପ୍ରସ୍ତୃତ କରି ରଖିବା ଏକ ପ୍ରାଚୀନ ପରମ୍ପରା ଥିଲା। ହେଲେ ଇନ୍ଦ୍ରାବତୀରୁ ଜଳସେଚନ ବ୍ୟବସ୍ଥା ହେବାପରେ ଦୁଇଫସଲି ଚାଷ ଆରମ୍ଭ ହେବା ପରଠାରୁ ଚାଷୀକୁ ନିଜସ୍ୱ ବିହନ ରଖିବା ସମ୍ଭବପର ହୋଇପାରୁନାହିଁ। ଅନିଶ୍ଚିତ ଜଳସେଚନ ବ୍ୟବସ୍ଥା ତଥା ଆବଶ୍ୟକୀୟ ଶ୍ରମିକ ଏବଂ ନୂଆ ନୂଆ କିସମର ହାଇବ୍ରିଡ ଧାନ ଚାଷ କରିବା ମଧ୍ୟରେ ଚାଷୀ ଏକ ପ୍ରକାର ପେଷି ହୋଇଯାଉଥିବାର ଲକ୍ଷ୍ୟ କରାଯାଉଛି।

ଏଭଲି ଘଡିସନ୍ଧି ସମୟରେ ଚଳିତ ଖରିଫ ଚାଷ ପାଇଁ ବର୍ଷା ଦାଉ ସାଧିଥିବା ବେଳେ ଚାଷୀଙ୍କୁ ଆବଶ୍ୟକ ପରିମାଣରେ ଧାନ ବିହନ ମିଳିପାରୁନଥିବାର ଅଭିଯୋଗ ହେଉଛି। ସରକାର କୃଷି ବିଭାଗ ଜରିଆରେ ସମବାୟ ସମିତି ଦ୍ୱାରା ଧାନ ବିହନ ଯୋଗଇବାର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକ ପରିମାଣର ଧାନ ବିହନ ମିଳିପାରୁନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଲାଗିରହିଛି। ସରକାର ଓଡିଶା ରାଜ୍ୟ ବିହନ ନିଗମ ଦ୍ୱାରା ପ୍ରତି ଜିଲ୍ଲାକୁ ଆବଶ୍ୟକ ପରିମାଣରେ ଧାନ ବିହନ ନିଗମର ନିଯୁକ୍ତ ପ୍ରାପ୍ତ ବିହନ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଧାନ ବିହନ ଯୋଗାଇ ଆସୁଥିଲେ। ଗତବର୍ଷ ଠାରୁ ଓଡିଶା ରାଜ୍ୟ ବିହନ ନିଗମର ପ୍ରାଧିକାରୀ ସଂସ୍ଥା ଭାବେ ସମସ୍ତ ସମବାୟ ସମିତି ଗୁଡିକ ମାଧ୍ୟମରେ ଧାନ ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଚାଷୀ ସରକାରୀ ଧାନ ବିହନ ଉପରେ ହିଁ ନିର୍ଭର କରିଥିବା ବେଳେ ଧାନ ବିହନର କୃତିମ ଅଭାବ ଦେଖାଦେଇଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କୃଷି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ଖରିଫରେ କଳାହାଣ୍ଡି ଜିଲ୍ଲାରେ ମୋଟ ୧, ୮୫, ୫୫୭ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଯୋଜନା କରାଯାଇଛି। ସେଥିପାଇଁ ୬୬, ୯୪୦ କ୍ୱିଂଟାଲ ସରକାରୀ ଧାନ ବିହନ ଆବଶ୍ୟକ ବୋଲି କୃଷି ବିଭାଗ ପକ୍ଷରୁ ଇଣ୍ଡେନ ଦିଆଯାଇଥିବା ବେଳେ ରାଜ୍ୟ ବିହନ ନିଗମ ଦ୍ୱାରା ୪୫, ୯୧୮ କ୍ୱିଂଟାଲ ଧାନ ବିହନ ଯୋଗାଇଦେବାକୁ ଧାର୍ଯ୍ୟ କରିଥିବା ଜଣାପଡିଛି। ତନ୍ମଧ୍ୟରୁ କଳାହାଣ୍ଡି ଜିଲ୍ଲାକୁ ୨୧, ୧୨୬ କ୍ୱିଂଟାଲ ଧାନ ବିହନ ରିହାତି ଦରରେ ଯୋଗାଇ ଦିଆଯାଇଥିବା ଜଣାପଡିଛି। ସେହିପରି ରିହାତି ବିହୀନ ଭାବେ କୃଷି ବିଭାଗର ସ୍ୱୀକୃତିପ୍ରାପ୍ତ ବିହନ ଉତ୍ପାଦନକାରୀ ମାନଙ୍କ ଠାରୁ ୧୪, ୬୦୦ କ୍ୱିଂଟାଲ ଏବଂ ବେସରକାରୀ ଧାନ ବିହନ ବିକ୍ରୟକାରୀ ସଂସ୍ଥା ମାନଙ୍କ ଠାରୁ ୫, ୫୭୦ କ୍ୱିଂଟାଲ ଧାନବିହନ ଯୋଗାଇ ଦିଆଯାଇଥିବା ଜଣାପଡିଛି।

ଆକଳନ ଅନୁସାରେ ମୋଟ ୬୬, ୯୪୦ କ୍ୱିଂଟାଲ ମଧ୍ୟରୁ ସମୂଦାୟ ୪୧, ୨୯୬ କ୍ୱିଂଟାଲ ଧାନ ବିହନ ଯୋଗାଣ ହୋଇଥିବା ବେଳେ ଆହୁରି ୨୫, ୬୪୪ କ୍ୱିଂଟାଲ ଧାନ ବିହନର ଆବଶ୍ୟକତା ରହିଛି। ବାସ୍ତବ ପକ୍ଷେ ଚାଷୀ ମାନଙ୍କ କହିବା ମୁତାବକ ଜିଲ୍ଲାରେ ପ୍ରାୟ ୯୨, ୭୫୦ କ୍ୱିଂଟାଲ ଧାନ ବିହନର ଆବଶ୍ୟକତା ରହିଛି। ଧାନ ବିହନର ଉତ୍କଟ ଅଭାବ ଯୋଗୁ ଅନ୍ୟାନ୍ୟ ଦିଗରୁ ଚଢା ଦରରେ କ୍ୱିଂଟାଲ ପିଛା ୩୫୦୦/- ଟଙ୍କାରୁ ଅଧିକ ମୂଲ୍ୟ ଦେଇ କିଣିବାକୁ ଚାଷୀ ବାଧ୍ୟ ହେଉଛି। କୃଷି ବିଭାଗର ଅଜାଣତରେ ବହୁ ବିହନ ବିକ୍ରୟକାରୀ ସଂସ୍ଥା ଜିଲ୍ଲାସାରା ଚଢାଦରରେ ଧାନ ବିହନ ବିକ୍ରି କରୁଥିବା ବେଳେ ସେମସନଙ୍କ ଉପରେ କୌଣସି ପ୍ରକାର ଅଙ୍କୁଶ ନାହିଁ। ଫଳତଃ ଅନେକ କ୍ଷେତ୍ରରେ ଚାଷୀ ଶୋଷଣର ଶୀକାର ହେଉଛି। ଅନ୍ୟପକ୍ଷରେ ସହଳ କିସମ ଧାନ ବିହନ ମିଳିପାରୁନଥିବା ହେତୁ ଅନେକ କ୍ଷେତ୍ରରେ ଚାଷୀ ବିଲମ୍ବ କିସମ ର ଧାନ ବିହନ କିଣୁଥିବା ବେଳେ ଚାଷର କ୍ଷତି ସହିବାକୁ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। କଳାହାଣ୍ଡି ଜିଲ୍ଲା କୃଷି କ୍ଷେତ୍ରରେ ଏକ ନମ୍ବର ମାନ୍ୟତା ପାଇଥିବା ବେଳେ ଏଭଲି ଧାନ ବିହନର କୃତ୍ରିମ ଅଭାବ ଦେଖାଦେଇଥିବା ହେତୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *