କଳାହାଣ୍ଡି ରେ ଆବଶ୍ୟକୀୟ ଡାକ୍ତର ଅଭାବରୁ ଲୋକେ ଅନ୍ୟତ୍ର ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି ।

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା )ସ୍ୱାସ୍ଥ୍ୟସେବା ଭଲି ମୌଳିକ ଅଧିକାର ମଧ୍ୟ ଠିକ ଭାବେ କଳାହାଣ୍ଡି ବାସୀ ପାଇପାରୁନାହାନ୍ତି । ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ଭିତିଭୂମି କ୍ରମଶଃ ବଢିବାରେ ଲାଗିଛି, ହେଲେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଅଭାବରୁ କଳାହାଣ୍ଡି ବାସୀ ଆଜି ମଧ୍ୟ ଅନ୍ୟତ୍ର ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ୧୬ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୧୩୪ ଜଣ ଡାକ୍ତର ନିଯୁକ୍ତ ହୋଇଥିବାର ଜଣାପଡିଛି,ଫଳତଃ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସରକାରୀ ସ୍ୱାସ୍ଥ୍ୟ ସେବା ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଯାଇଥିବା ଅନୁମାନ କରାଯାଉଛି । ସମଗ୍ର ଜିଲ୍ଲା ସାରା କେଉଁଠି ଡାକ୍ତର ଥିଲେ ଶଯ୍ୟା ନାହିଁ ତ ଆଉ କେଉଁଠି ଶଯ୍ୟା ଥିଲେ ଡାକ୍ତର ନାହାନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ପ୍ରାୟ ଅଧିକାଂଶ ଡାକ୍ତରଖାନାରେ କୋଠାବାଡି ନିର୍ମାଣ କରାଯାଇଥିଲେ ସୁଦ୍ଧା ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଅଭାବରୁ ରୋଗୀ ସେବା ବ୍ୟାହତ ହେଉଥିବା ଦେଖାଯାଉଛି । ବହୁ ପ୍ରାଥମିକ ସ୍ୱାସ୍ୟ୍ଥକେନ୍ଦ୍ରରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡୁଥିବାରୁ ଫାର୍ମାସିଷ୍ଟ ଭରସାରେ ତ ଆଉ କେଉଁଠି ପିଅନ ଜଗିରହୁଛି ସ୍ୱାସ୍ଥ୍ୟ କେନ୍ଦ୍ର । ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀକୁ ଆଡଜଷ୍ଟ କରିଚଳାଇନେବାର ବ୍ୟବସ୍ଥା କରାଯାଇଛି । ଫଳତଃ ଜିଲ୍ଲାରୁ ପ୍ରତିଦିନ ଶହ ଶହ ରୋଗୀ ପଡୋଶୀ ବିଶାଖାପାଟଣା, ରାୟପୁର,ବିଳାସପୁର ତଥା କଟକ,ଭୂବନେଶ୍ୱର ଆଦି ଅନେକ ସ୍ଥାନକୁ ସାମାନ୍ୟ ଚିକିତ୍ସା ପାଇଁ ମଧ୍ୟ ଯିବାକୁ ବାଧ୍ୟ ହେଉଛନ୍ତି । ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ପ୍ରତ୍ୟହ ତିନିଟି ସରକାରୀ ବସ ଯାତାୟତ କରୁଛି ।
କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକ ଅଧିନସ୍ଥ ୨୨୩୬ ଟି ଗ୍ରାମ ଓ ୪ଟି ସହରାଂଚଳରେ ମୋଟ ୧୬ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଗୋଟିଏ ଜିଲ୍ଲା ଡାକ୍ତରଖାନା,ଗୋଟିଏ ଉପଖଣ୍ଡ ଡାକ୍ତରଖାନା ସମେତ ୧୭ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି),୬୪ ଟି ନୁ୍ୟ ପିଏଚସି ତଥା ୨ଟି ଅନ୍ୟ ଡାକ୍ତରଖାନା ଏବଂ ୨୪୧ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି । ଏହି ସମସ୍ତ ଡାକ୍ତରଖାନାରେ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଠାରୁ ସର୍ଜନ ତଥା ଏମବିବିଏସ ଆଦି ୨୧୬ ଜଣ ଡାକ୍ତର ନିଯୁକ୍ତି ହେବା ସ୍ଥଳେ ୧୩୨ ଜଣ ଡାକ୍ତର ଥିବା ବେଳେ ୮୪ ଟି ପଦବୀ ଖାଲି ପଡିଛି । ସେହିପରି ୩୪ ଟି ଷ୍ଟାଫ ନର୍ସ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ୨ଟି,କହିଳା ସ୍ୱାସ୍ଥ୍ୟ କର୍ମୀ ୧୩ ଟି ,ରେଡିଓଗ୍ରାଫର ୨ଟି ଏବଂ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ୬୮ ଟି ପଦବୀ ଖାଲିପଡିଛି । ସମଗ୍ର ଜିଲ୍ଲାରେ ୪୬ ଗୋଟି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଦବୀ ଥିବା ବେଳେ ମାତ୍ର ୧୨ ଜଣ ଡାକ୍ତର ଅବସ୍ଥାପିତ ହୋଇ କାମ କରୁଥିବା ଜଣାପଡିଛି । ଜୁନାଗଡ,କେସିଙ୍ଗା ଆଦି ସହରାଂଚଳରେ ଥିବା ସିଏଚସି ମାନଙ୍କରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡି ରହିଛି । ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ଜୁନାଗଡ ଓ କେସିଙ୍ଗା ଭଲି ସହରାଂଚଳରୁ ରୋଗୀ ମାନଙ୍କୁ କେବଲ ରେଫର କରି ଭବାନୀପାଟଣା ପଠାଇ ଦିଆଯାଉଥିବାରୁ ସେଠାରେ ଶଯ୍ୟା ଅଭାବରେ ରୋଗୀମାନେ ତଳେ ପଡିରହି ଚିକିତ୍ସିତ ହେବାକୁ ବାଧ୍ୟ ହୋଇଥାନ୍ତି । ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଥିବା ରୋଗ ନିଦାନ କେନ୍ଦ୍ରରେ କୋଟି କୋଟି ଟଙ୍କା ମୂଲ୍ୟର ସଟିସ୍କାନ,ଅଲଟ୍ରାସାଉଣ୍ଡ ଆଦି ଅନେକ ଯନ୍ତ୍ରପାତି ଥିଲେହେଁ ଅଭିଜ୍ଞ ଟେକନିସିଆନ ଅଭାବରୁ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । କଳାହାଣ୍ଡି ଜିଲ୍ଲାର ୨୨୩୬ ଟି ଗ୍ରାମ ମଧ୍ୟରୁ ୫୩୫ ଟି ଗ୍ରାମ ଅତ୍ୟନ୍ତ ଦୁର୍ଗମ ଏବଂ ତନ୍ମଧ୍ୟରୁ ୩୪୨ ଟି ଗ୍ରାମ ବର୍ଷ ସାରା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ବେଳେ ସେସବୁ ଅଂଚଳରେ ସ୍ୱାସ୍ଥ୍ୟ ସେବା ପହଂଚି ପାରୁନାହିଁ । ଏସବୁ ଅଂଚଳରେ ଆଜି ମଧ୍ୟ ଗୁଣିଗାରେଡି,ଦେବାଦେବୀ ହିଁ ଚିକିତ୍ସା ପାଇଁ ଭରସା । ଏପରିକି ପ୍ରସୂତି କିମ୍ବା ଗୁରୁତର ମାଙ୍କୁ ନଦୀନାଳ ଝରଣା ପାର କରିବାକୁ ସଂପର୍କୀୟ ମାନଙ୍କ ଦ୍ୱାରା ୧୫/୨୦ କି.ମି. ଦୂରତାକୁ ବୋହି ଆଣିବାକୁ ପଡିଥାଏ । ସେସବୁ ଅଂଚଳରେ ପ୍ରାଥମିକ ଚିକିତ୍ସା ସେବା ମଧ୍ୟ ଯୋଗାଇବାରେ ବିଭାଗ ଫେଲ ହୋଇଯାଇଛି । ମୋଟାମୋଟି ଭାବେ ସରକାର କଳାହାଣ୍ଡି ବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଟିକକ ମଧ୍ୟ ସଠିକ ଭାବେ ଯୋଗାଇ ଦେଇପାରୁନାହାନ୍ତି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *