କଳାହାଣ୍ଡି

କଳାହାଣ୍ଡି ରାଜନୀତି ସରଗରମ ; ଭକ୍ତ ଦାସ ନିଜେ ଲଢିବେ ନା ନିଜ ପୁଅକୁ ରାସ୍ତା ଛାଡିବେ ।

କଳାହାଣ୍ଡି – (ଓଡିଆପୁଅ) ରାଜ୍ୟ କଂଗ୍ରେସର ନୂତନ କଳେବର ହେବା ପରେ ପ୍ରଭାରୀ ଜିତେନ୍ଦ୍ର ସିଂ ଙ୍କ ୨୦୧୯ ନିର୍ବାଚନ ପାଇଁ ନୂଆ ଫର୍ମୁଲା ୱାନ ଫାମିଲି ୱାଲ ଟିକେଟ ଘୋଷଣା ହେବା ପରେ କଂଗ୍ରେସ ନେତୃତ୍ୱ ମହଲରେ ରାଜ୍ୟ ସାରା ଚର୍ଚ୍ଚା ଯୋର ଧରିଛି । ରାଜ୍ୟର ବହୁ ହେଭିୱେଟ କଂଗ୍ରେସ ନେତା ଙ୍କ ପାରିବାରିକ ରାଜନୀତି ନେଇ କଂଗ୍ରେସ ଦଳରେ କମ୍ପନ ସୃଷ୍ଟି ହେବାରେ ଲାଗିଛି । ରାଜ୍ୟ ସ୍ତରରେ ବିଶ୍ୱାଳ ବ୍ରଦର୍ସ ରୁ ଜଣେ ଦିଲ୍ଲୀ ତ ଆଉ ଜଣେ ରାଜ୍ୟ ରେ ପ୍ରତିନିଧିତ୍ୱ କରୁଥିବା ବେଳେ ଜେନା ପରିବାରରେ ଏବେ ପୁଅ ରାଜନୀତି କରିବାକୁ ସଜବାଜ ହେଉଥିଲେ । ସେହିପରି ନରସିଂହ ମିଶ୍ର, ଭକ୍ତ ଦାସ ଭଲି ବହୁ ହେଭିୱେଟ ନେତା ନିଜ ନିଜ ଉତରାଧିକାରୀ ମାନଙ୍କୁ ରାଜନୀତି ମଇଦାନକୁ ଆଣିବାକୁ ମନ ବଳାଇଥିବା ଜଣାପଡିଛି । ଇତି ମଧ୍ୟରେ କେନ୍ଦ୍ରିୟ କଂଗ୍ରେସ ସଂପାଦକ ଓ ପ୍ରବକ୍ତା ଭାବେ କାର୍ଯ୍ୟ କରିସାରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ ନେତା ଭକ୍ତ ଦାସ ନିଜ ପୁଅ ସାଗର କୁ ରାଜନୀତି ମଇଦାନକୁ ଓହ୍ଲାଇବାକୁ ଏକ ପ୍ରକାର ଯୋଜନା କରିସାରିଥିଲେ । ଭବାନୀପାଟଣା ସହର ସମେତ ଆଖପାଖ ସମସ୍ତ ଅଂଚଳରେ ନିଜ ପୁିଅର ଫଟୋ ଚିତ୍ର ସହ ଅଭିନନ୍ଦନ ପୋଷ୍ଟର ସବୁ ଲଗାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ ଜାରି ରଖିଛନ୍ତି । ଗୋଟିଏ ପଟେ ନିଜେ ପାର୍ଲିଆମେଂଟକୁ ଯିବା ସହିତ ଅନ୍ୟପଟେ ନିଜ ପୁଅକୁ ରାଜ୍ୟ ବିଧାନସଭାକୁ ପଠାଇବକୁ ମଧ୍ୟ ଚେଷ୍ଟିତ । ହେଲେ ଗୋଟିଏ ପରିବାର ଗୋଟିଏ ଟିକଟ ଯୋଜନା ଲାଗୁ ହେଲେ ତାଙ୍କୁ ଯେକୌଣସି ପ୍ରକାରେ ଗୋଟିଏ ଟିକଟ ମିଳିବା ଏକ ପ୍ରକାର ନିଶ୍ଚିତ । ଅନ୍ୟପକ୍ଷରେ ଭକ୍ତ ଦାସ ନିଜେ ପିସିସି ଟିମରେ ରାଜ୍ୟ ପ୍ରଚାର କମିଟୀ ର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ରାଜ୍ୟସାରା ନିର୍ବାନ ପ୍ରଚାର କରିବା ଦାୟୀତ୍ୱ ତାଙ୍କ କାନ୍ଧରେ । ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କ ମତରେ ଭକ୍ତଦାସ ନିଜେ ପ୍ରାର୍ଥୀ ହେଲେ ନିର୍ବାଚନ ପ୍ରଚାରରେ ଅସୁବିଧା ହୋଇପାରେ, ତେଣୁ ଏହାର ସୁଯୋଗ ନେଇ ନିଜ ପୁଅକୁ ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଅବସ୍ଥାପିତ କରି ସେ ରାଜ୍ୟ ସାରା ପ୍ରଚାର କରିବେ ଏବଂ ସୁଯୋଗ ଦେଖି ନିଜେ ପ୍ରଚାର କରି ଜିତାଇଥିବା ବିଧାୟକ ମାନଙ୍କ ର ସମର୍ଥନ ପାଇ ଆଗାମୀ ରାଜ୍ୟସଭା ନିର୍ବାଚନରେ ସିଧା ପାର୍ଲିଆମେଂଟକୁ ଯିବେ ବୋଲି ଯୋଜନା କରୁଥିବା ଆଲୋଚନା ହେଉଛି । ଜିତେନ୍ଦ୍ର ସିଂ ଙ୍କ ନୂଆ ନୀତି କାମ ଦେଲେ ଭକ୍ତଦାସ ଙ୍କ ପାଇଁ ନିର୍ଣ୍ଣାୟକ ସମୟ ହେବ ବୋଲି ଆଲୋଚନା ହେଉଛି । ଯଦି ସେ ନିଜେ ଠିଆ ହେବେ ତାହେଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ କଂଗ୍ରେସ ଛାଡିବା ପରେ ଭବାନୀପାଟଣା ସଦର ବିଧାନସଭା କ୍ଷେତ୍ର ପାଇଁ ଦଳ ନୂଆ ଚେହେରା ଖୋଜୁଥିବା ଆଲୋଚନା ହେଉଛି । ଏଥିପାଇଁ ଅନେକ ଆଶାୟୀ ଥିବା ଜଣାପଡିଛି । ଯଦିଓ ସାଗରକୁ ବିଧାୟକ ପ୍ରାର୍ଥୀ କରାଯାଏ ତେବେ ସେହି ଆଶାୟୀ ମାନେହୁଏତ ତାଙ୍କୁ ନିର୍ବାଚନରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଭକ୍ତଦାସଙ୍କ କଳାହାଣ୍ଡି ଜିଲ୍ଲାରେ ଆଗଭଲି ଆଉ ପତିଆରା ନାହିଁ କହିଲେ ଚଳେ । କେନ୍ଦ୍ର ମନ୍ତ୍ରୀ ହେବା ପରେ ଲାଗି ଲାଗି ତିନି ଥର ସେ ନିର୍ବାଚନରେ ହାରିଯାଇଥିବା ଏବଂ ଗତ ୨୦୦୯ ମସିହାରେ ତକ୍ରାଳୀନ ସାଂସଦ ସ୍ୱର୍ଗତ ବିକ୍ରମ ଦେଓଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁଁ ହାରୁ ହାରୁ ଜିତି ଯାଇଥିବା ମଧ୍ୟ ଆଲୋଚନା ହୋଇଥିଲା । ପରବର୍ତୀ ସମୟରେ ୨୦୧୪ରେ ଭକ୍ତ ଦାସ ସ୍ୱର୍ଗତ ଦେଓଙ୍କ ପୁଅଙ୍କ ଠାରୁ ବିଜେଡି ହାୱାରେ ହାରିଯାଇଥିଲେ । ବର୍ତମାନ କଂଗ୍ରେସର ସ୍ଥିତି ସେତେଟା ଭଲ ନାହିଁ କହିଲେ ଚଳେ ଏବଂ ସମଗ୍ର ଜିଲ୍ଲାରେ ପ୍ରାୟତଃ ସଂଗଠନ ହିଁ ନାହିଁ । ଗତ ୨୦୦୯-୧୪ ମଧ୍ୟରେ ଭକ୍ତଦାସ ବହୁ ପ୍ରତିଶୃତି ପାଳନ କରିପାରିନଥିବାରୁ ଲୋକେ ଅସନ୍ତୋଷ ରହିଥିବା ମଧ୍ୟ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏହାଛଡା ଭକ୍ତଦାସଙ୍କ ଦୃଢ ସମର୍ଥକ ତଥା ନିର୍ବାଚନ ପରିଚାଲନାରେ ମୂଖ୍ୟ ଭୂମିକା ନେଉଥିବା ଅନେକ ବ୍ୟକ୍ତି ଦଳରେ ନାହାନ୍ତି କିମ୍ବା ମୃତୁ୍ୟ ବରନ କଲେଣି । ହାତଗଣତି କିଛି ସମର୍ଥକଙ୍କୁ ନେଇ ଭକ୍ତ ଦାସ ଏବେ ଆଗାମୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବାର ଯୋଜନା କରୁଥିବା ବେଳେ ସେ କେତେ ଦୂର ସଫଳ ହେବେ ତାହା ସମୟ ହିଁ କହିବ । ଏଥିପୂର୍ବରୁ ଜିଲ୍ଲା କଂଗ୍ରେସର ସାଂଗଠନିକ ସ୍ଥିତିକୁ ନେଇ ଦଳୀୟ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଥିଲା ଏବଂ ସେତେବେଳେ ସଂଗଠନକୁ ନେଇ ଭକ୍ତଦାସ ମୂଖ୍ୟ ଚର୍ଚ୍ଚାରେ ଥିଲେ । ଏହା ବ୍ୟତୀତ ଯଦିଓ କଳାହାଣ୍ଡି ଲୋକସଭା ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ତଥାପି ଭକ୍ତ ଦାସଙ୍କ ଲୋକପ୍ରିୟତା ଯୋଗୁଁ ତାଙ୍କୁ ଭୋଟର ମାନେ ଜିତାଇଥିଲେ । କିନ୍ତୁ ଭକ୍ତ ଦାସ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତଥା ନିଦ୍ଧିଷ୍ଟ ସଂପ୍ରଦାୟକୁ ସମର୍ଥନ କରି ସହରରେ ରେଲି କରାଇବା ପରେ ତାଙ୍କ ପ୍ରତି ଅନ୍ୟ ମାନଙ୍କ ମନରେ ଗଭୀର ରେଖାପାତ କରିସାରିଛି । ଦିନଥିଲା ଭକ୍ତଦାସ କଳାହାଣ୍ଡିର ଜନମାନସର ନେତା ଥିଲେ ଏବଂ ଦଳମତ, ସଂପ୍ରଦାୟ ଓ ଗୋଷ୍ଠୀଗତ ରାଜନୀତିର ଉଦ୍ଧ୍ୱର୍ରେ କଳାହାଣ୍ଡି ବାସୀଙ୍କ ସମର୍ଥନ ଯୋଗୁଁ କେନ୍ଦ୍ରମନ୍ତ୍ରୀ ହୋଇପାରିଥିଲେ । ଦିନଥିଲା ଅତି ରୁକ୍ଷ ବ୍ୟବହାର କରିବା ସହିତ ପ୍ରତିଶୋଧ ମନୋଭାବ ରଖି କାର୍ଯ୍ୟ କରୁଥିବା ହେତୁ ଲୋକେ ଅତିଷ୍ଠ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା । ତାପରେ ନିଜ ଭାବମୂର୍ତୀ ବଦଳାଇବା ସହ ନିର୍ମଳ ଭାବମୂର୍ତି ଓ ଜନହିତକର ମନୋଭାବ ନେବା ପରେ ପୁନର୍ବାର ଲୋକେ ଗ୍ରହଣ କରିନେଇ ସମର୍ଥନ ଜଣାଇ ଆଉଥରେ ସାଂସଦ ଭାବେ ଜିତାଇଥିଲେ । କିନ୍ତୁ ବିଗତ ଦିନରେ ତାଙ୍କର କାର୍ଯ୍ୟକଳାପ ନିମନ୍ତେ ଲୋକେ ଏଥର ଭାବିଚିନ୍ତି ସମର୍ଥନ ଜଣାଇପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତପ୍ରକାଶ କରୁଛନ୍ତି । କେହି କେହି ତାଙ୍କୁ ପୁନର୍ବାର ବିଧାନସଭା କ୍ଷେତ୍ରରେ ଲଢି ରାଜ୍ୟ ରାଜନୀତି କରିବାକୁ ପରାମର୍ଶ ଦେଉଥିବା ମଧ୍ୟ ଆଲୋଚନା ହେଉଛି । ଭକ୍ତଦାସ ଭଲି ଲଢୁଆ ନେତା କଳାହାଣ୍ଡିରେ ବିରଳ ବୋଲି ମଧ୍ୟ ଆଲୋଚନା ହୋଇଥାଏ । ଏଭଲି ଏକ ଘଡିସନ୍ଧି ମୂହୁର୍ତରେ ଭକ୍ତଦାସ ନିଜେ ନିର୍ବାଚନରେ ଅବତୀର୍ଣ୍ଣ ହେବେ କି ତାଙ୍କ ପୁଅକୁ ରାସ୍ତା ଛାଡିଦେଇ ଆଗାମୀ ରାଜ୍ୟସଭା ପ୍ରତି ଥୋପ ପକାଇବେ ଏବଂ ଲୋକେ କିପରି ଗ୍ରହଣ କରିବେ ତାହା ଆଗାମୀ ସମୟ ହିଁ କହିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top