କଳାହାଣ୍ଡି ଜିଲ୍ଲାପାଳଙ୍କୁ ସରପଂଚ ସଂଘ ପକ୍ଷରୁ ଦାବି

କଳାହାଣ୍ଡି -(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବାରେ ଅହେତୁକ ବିଲମ୍ବ ହେଉଥିବା ସହିତ ରାସନ କାର୍ଡ ଯୋଗାଣରେ ଅବହେଲା, ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ତଥା ଭତା ମିଳିବାରେ ଅସୁବିଧା ଆଦି ଅନେକ ସମସ୍ୟା ହେଉଥିବାରୁ ଗ୍ରାମପଂଚାୟତ ସ୍ତରରେ ନାନାପ୍ରକାର ଅସୁବିଧା ଦେଖାଯାଉଥିବା ନେଇ କଳାହାଣ୍ଡି ଜିଲ୍ଲା ସରପଂଚ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ନଅ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ଗତ ବୁଧବାର ଦିନ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜିଲ୍ଲା ସରପଂଚ ସଂଘ ର ଏକ ବୈଠକ ସମଗ୍ର ୧୩ ଟିଯାକ ବ୍ଲକର ସରପଂଚ ମାନଙ୍କୁ ନେଇ ଅନୁଷ୍ଠିତ ହେବାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରପଂଚ ମାନଙ୍କ କହିବାନୁସାରେ ଏମଜିଏନଆରଜିଏସ କାର୍ଯ୍ୟ ସାରି ସେଥିରେ ଶ୍ରମିକ ମାନଙ୍କୁ ମଜୁରୀ ମିଳିବାରେ ବିଲମ୍ବ ହେଉଥିବାରୁ ସେଥିପ୍ରତି ତୁରନ୍ତ ବ୍ୟବସ୍ଥା କରାଯାଉ। ଏସଇସିସି ତାଲିକାରେ ପଛରେ ନାମଥିଲେ ଗୃହହୀନ ପରିବାର ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ମଧ୍ୟ ଘରଖଣ୍ଡିଏ ପାଇପାରୁନାହାନ୍ତି। ଏଭଲି ପରିସ୍ଥିତିରେ ଗ୍ରାମାଂଚଳରେ ଥିବା ଗରିବ ନିଃସହାୟ ଲୋକଙ୍କୁ ସରପଂଚମାନେ ସାହାଯ୍ୟ ମଧ୍ୟ କରିପାରୁନାହାନ୍ତି। ତେଣୁ ସରପଂଚ ମାନଙ୍କୁ ସେସବୁର ତତକ୍ଷଣାତ ସାହାଯ୍ୟ କରିବାକୁ ସୁଯୋଗ ଦେବାକୁ ମଧ୍ୟ ଦାବି କରାଯାଇଛି। ଗ୍ରାମ୍ୟ ସ୍ତରରେ ଗ୍ରାମପଂଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ସରପଂଚ ମାନଙ୍କ କ୍ଷମତାକୁ ସଂକୁଚିତ କରାଯାଉଥିବା ସେମାନେ ଅଭିଯୋଗ କରିବା ସହିତ ସରପଂଚ ଓ ପିଇଓଙ୍କ ମିଳିତ ପଦକ୍ଷେପରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ସଂପାଦନ କରାଯିବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏହା ପୂର୍ବରୁ ଜୁନାଗଡ ବ୍ଲକ ସରପଂଚ ମାନଙ୍କ ପକ୍ଷରୁ ଜୁନାଗଡ ବିଡିଓଙ୍କ ପାଖରେ ମଧ୍ୟ ସ୍ୱତନ୍ତ୍ର ଭାବେ ଏକ ଦାବି ପତ୍ର ଦାଖଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *