କଳାହାଣ୍ଡି; ଆଶଙ୍କାରେ ଜାରିଙ୍ଗ ମେଡିକାଲ କଲେଜ ଓ ହସପିଟାଲ: ମେଡିକାଲ କଲେଜ ସ୍ଥାପନରେ ବ୍ୟାଘାତ ସୃଷ୍ଟି କରିଥିବା ଜନସଲ ଏ ରାଜା ଗିରଫ

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ହେଲେ ଏହି ଅଂଚଳର ଲୋକେ ନିଜ ଦ୍ୱାର ଦେଶରେ ଉତମ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ବହୁ ଆଶା ବାନ୍ଧିଥିଲେ। ଅନେକ ଥର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ କରାଯିବାକୁ ଦାବି ଉପସ୍ଥାପନ କରିଥିଲେ। ବହୁ ବାଧାବିଘ୍ନ ସହ୍ୟ କରିବାପରେ ୨୦୦୪ ମସିହାରେ ରାଜ୍ୟ କେବିନେଟ ମଂଜୁର ପ୍ରାପ୍ତ ହେବା ପରେ ଜୁନାଗଡ-ଭବାନୀପାଟଣା ଜାତୀୟ ରାଜପଥ ପାଶ୍ୱର୍ରେ ଜାରିଙ୍ଗ ଠାରେ ସରକାର ୨୫ ଏକର ଜମି ଯୋଗାଇଦେବା ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୨୫ କୋଟି ଟଙ୍କା ଅନୁଦାନ ଦେଇ ଓଡିଶା ସରକାର ତାମିଲନାଡୁର ସେଲଭାମ ଏଜୁକେସନାଲ ଟ୍ରଷ୍ଟ କୁ ମେଡିକାଲ କଲେଜ ସ୍ଥାପନ ଦାୟୀତ୍ୱ ଦେଇଥିଲେ। ଦାୟୀତ୍ୱ ନେବା ପରେ ସେଲଭାମ ଟ୍ରଷ୍ଟ ସର୍ଦ୍ଦାର ରାଜା ମେଡିକାଲ କଲେଜ ଓ ରିସର୍ଚ୍ଚ ସେଂଟର ନାମରେ ମେଡିକାଲ କଲେଜ ସ୍ଥାପନ କରିବାକୁ ପଦକ୍ଷେପ ନେଇଥିଲା। ସେହି ବର୍ଷ ଅକ୍ଟୋବର ୧୪ ତାରିଖରୁ ମାତ୍ର ୧୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲି ମେଡିକାଲ କଲେଜ ପକ୍ଷରୁ ରୋଗୀ ସେବା ଆରମ୍ଭ କରାଯାଇଥିଲା। ମେଡିକାଲ କଲେଜ ପାଇଁ ଆବଶ୍ୟକ ହେଉଥିବା କଲେଜ ବିଲଡିଂ, କ୍ଲାସରୁମ, ଅଫିସ, ଲେବୋରାଟୋରୀ, ଲାଇବ୍ରେରୀ, ଛାତ୍ର ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ, ଷ୍ଟାଫ କ୍ୱାଟର ଇତ୍ୟାଦି ନିର୍ମାଣ କରାଯିବା ପରେ ୨୦୧୦ ନଭେମ୍ବର ୩୦ ତାରିଖରେ ମେଡିକାଲ କଲେଜ ଖୋଲିବା ପାଇଁ ଆବେଦନ କରାଯାଇଥିଲା। ୨୦୧୦ ରୁ ୨୦୧୨ ମଧ୍ୟରେ ତିନି ଥର ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ)ର ପ୍ରତିନିଧି ମାନେ ପରିଦର୍ଶନ କରି ଆବଶ୍ୟକ ଡାକ୍ତର, ପ୍ରଫେସର, ସହକାରୀ ପ୍ରଫେସର, ତଥା ଅନ୍ୟାନ୍ୟ ଷ୍ଟାଫ ନିଯୁକ୍ତି କରିବାକୁ ପରାମର୍ଶ ଦେଇଥିଲେ। ତେବେ ବହୁ ଘାତ ପ୍ରତିଘାତ ପରେ ୨୦୧୩ ରେ ଏମସିଆଇ ଏହି ମେଡିକାଲ କଲେଜକୁ ଅନୁମତି ଦେବା ସହ ୨୦୧୩-୧୪ ଓ ୨୦୧୪-୧୫ ଶିକ୍ଷା ବର୍ଷରେ ମୋଟ ୧୨୪ ଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖା ସହିତ ପାଠପଢା ଆରମ୍ଭ ହୋଇଥିଲା। ଅଥଚ ମେଡିକାଲ ପାଠ୍ୟକ୍ରମର ଅଧ୍ୟାପନା ପାଇଁ ଯେଉଁଭଲି ଅଭିଜ୍ଞ ପ୍ରଫେସର, ସହକାରୀ ପ୍ରଫେସର, ଫାକଲଟି ତଥା ଅନ୍ୟାନ୍ୟ କର୍ମଚାରୀ ଏବଂ ଆବଶ୍ୟକୀୟ ଭିତିଭୂମି ରହିବା ବିଧେୟ ସେପରି ନଥିବାରୁ ଛାତ୍ରଛାତ୍ରୀମାନେ ପ୍ରଥମ ଓ ଦ୍ୱିତୀୟ ବର୍ଷ ପାଠପଢାରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବା ସହ ୨୦୧୫ ଜୁନମାସ ଠାରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଆନ୍ଦୋଳନ ତୀବ୍ରତର ହେବାରୁ ସେଲଭାମ ଚାରିଟେବୁଲ ଟ୍ରଷ୍ଟ ବିରୁଦ୍ଧରେ ଜୁନାଗଡ ଥାନାରେ ଏତାଲା ଦିଆଯିବା ସହ ମେଡିକାଲ କଲେଜର ପରିଚାଲନା ଦାୟୀତ୍ୱ ଉକ୍ତ ସଂସ୍ଥା ଠାରୁ କାଢି ନିଆଯାଇଥିଲା। ସରକାର ପକ୍ଷରୁ ପିପିପି ମୋଡରେ ଏହି ମେଡିକାଲ କଲେଜର ପରିଚାଲନା ଦାୟୀତ୍ୱ ଦେବାକୁ ଯୋଜନା କରୁଥିଲେ। ଅନ୍ୟ ପକ୍ଷରେ ମେଡିକାଲ ପଢିବାକୁ ନାମ ଲେଖାଇଥିବା ୧୨୪ ଜଣ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ପାଇଁ ହାଇକୋର୍ଟ ଓ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟ ଘରୋଇ ମେଡିକାଲ କଲେଜ ଓ ହସପିଟାଲ ଗୁଡିକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ସେଲଭାମ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏମସିଆଇ କୁ ମିଥ୍ୟା କାଗଜାତ ଦାଖଲ କରିଥିବା ଅଭିଯୋଗରେ ସିବିଆଇ ଚଢଓ କରାଯାଇଥିବା ବେଳେ ସୁପ୍ରିମ କୋର୍ଟ ପକ୍ଷରୁ ଜରିମାନା କରାଯାଇଥିବା ପ୍ରକାଶ। ଇତି ମଧ୍ୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଉକ୍ତ କଲେଜର କୋଠା ଓ ଆସବାବ ପତ୍ର ଗୁଡିକର ମୂଲ୍ୟାଙ୍କନ କରିବା ସହିତ କୋଠାବାଡି ତଥା ଅନ୍ୟାନ୍ୟ ସାମଗ୍ରୀ କେଉଁ ଅବସ୍ଥାରେ ଅଛି ସେସବୁର ଆକଳନ କରିଯାଇଥିବା ଜଣାପଡିଛି। ଦୀର୍ଘ ଦୁଇବର୍ଷ ହେବ ଏହି ଜାରିଙ୍ଗ ମେଡିକାଲ କଲେଜ ଏକପ୍ରକାର ଭୂତକୋଠିରେ ପରିଣତ ହୋଇ ଯାଇଥିବା ବେଳେ ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଓ ହସପିଟାଲ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ରାଜନୈତିକ ଦୁର୍ବଳତା ହେତୁ ଏହାର ପୁନରୁଦ୍ଧାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନଥିବା ମଧ୍ୟ ଜିଲ୍ଲାବାସୀଙ୍କ ମନରେ ଗଭୀର ଆଘାତ ଦେଉଛି।

ଗତ ସପ୍ତାହରେ କ୍ରାଇମ ବ୍ରାଂଚ ଅର୍ଥନୈତିକ ଶାଖା ପକ୍ଷରୁ ସେଲଭାମ ଟ୍ରଷ୍ଟର ଅଧ୍ୟକ୍ଷ ଜନସଲ ଏ ରାଜାଙ୍କୁ ତାମିଲନାଡୁରେ ଗିରଫ କରି ଜୁନାଗଡ କୋର୍ଟରେ ହାଜର କରାଇଥିବା ଜଣାପଡିଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ କିନ୍ତୁ ସରକାରଙ୍କ ଉଦ୍ୟମ ତଥା ଜିଲ୍ଲାବାସୀଙ୍କ ହାତପାଆନ୍ତାରେ ଉତମ ଚିକିତ୍ସା ସୁବିଧା ପାଇବା ଆଶା କେବଳ ଆଶାରେ ହିଁ ରହିଯାଇଛି। ମେଡିକାଲ କଲେଜ ସ୍ଥାପନ ହେଲେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ ବୋଲି ଜିଲ୍ଲା ବାସୀ ଯେଉଁ ଆଶା ରଖିଥିଲେ ତାହା ସମ୍ଭବପର ହୋଇପାରିନାହିଁ। ଚିକିତ୍ସା ସେବା ପାଇଁ କଳାହାଣ୍ଡି ବାସୀ ଆଜି ମଧ୍ୟ ପଡୋଶୀ ରାଜ୍ୟ ମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି।

Leave a Reply

Your email address will not be published. Required fields are marked *