କଳାହାଣ୍ଡି ଆଦିବାସୀଙ୍କ ଅନନ୍ୟ ପରମ୍ପରା, ଟୋକୀ ପର୍ବ ଅନୁଷ୍ଠିତ

କଳାହାଣ୍ଡି (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାର ସୁଉଚ୍ଚ ମାଳଭୂମି, ଘଂଚ ବନାନୀ ସମେତ ବିଭିନ୍ନ ସମତଳ ଅଂଚଳରେ ଆଦିବାସୀମାନେ ବସବାସ କରନ୍ତି। ପ୍ରକୃତି କୋଳରେ ଜନ୍ମ ହୋଇ ପ୍ରକୃତି ଭିତରେ ନିଜକୁ ହଜାଇ ଆଦିବାସୀମାନେ ଜୀବନଯାପନ କରିଥାନ୍ତି। ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଦୈନନ୍ଦିନ ଜୀବିକା ନିର୍ବାହ କରୁଥିବା ଏହି ଆଦିବାସୀମାନେ ପ୍ରକୃତି ଉପାସକ। ମାଟିମାଁ, ପାଣି ପବନ, ବଣ ଜଙ୍ଗଲ, ହେଉଛି ସେମାନଙ୍କର ଜୀବନ ଜୀବିକାର ମୁଖ୍ୟ ଉପାଦାନ। ସେଥିପାଇଁ ପ୍ରକୃତି ଉପାସନାରେ ବ୍ରତୀ ଏହି ଆଦିବାସୀମାନେ ମାଟି କୁ ଧରଣୀ ମାଁ ଓ ସୂର୍ଯ୍ୟ ଦେବତାଙ୍କୁ ପିତା ବୋଲି ସମ୍ବୋଧନ କରି ପୂଜା ଅର୍ଚ୍ଚନା କରିଥାନ୍ତି। ମାଟିମାଁ ଖୁସିହେଲେ ବା ଶାନ୍ତ ହେଲେ ପ୍ରଚୁର ଫସଲ ଉତ୍ପାଦିତ ହୋଇପାରିବ ବୋଲି ବିଶ୍ୱାସ କରି ବର୍ଷର ବଭିିନ୍ନ ସମୟରେ ଆଦିବାସୀମାନେ ପ୍ରକୃତି ଉପାସନାକୁ ନେଇ ଅନେକ ଯାନିଯାତ୍ରା ଆୟୋଜନ କରିଥାନ୍ତି।

ସେହିଭଲି କୃଷି କାର୍ଯ୍ୟ ଶେଷ ହେବା ପରେ ପୌଷ ପୂର୍ଣ୍ଣିମା ଦିନ ଆଦିବାସୀମାନେ ଧରଣୀମାଁଙ୍କ ପାଖରେ ଟୋକୀ ପର୍ବ ପାଳନ କରିଥାନ୍ତି। ଧରଣୀ ମାଟିମାଁ ଉପାସନାର ଏକ ଅନନ୍ୟ ପର୍ବ ଏହି ଟୋକି ପର୍ବ। ମାଟିମାଁ କୁ ଶାନ୍ତ କଲେ ମାଟିର ଉର୍ବରତା ଶକ୍ତି ବୃଦ୍ଧି ହେବା ସହ ସୁନାର ଫସଲ ଉତ୍ପାଦନ ହୋଇଥାଏ ବୋଲି ଆଦିବାସୀମାନଙ୍କର ଅଗାଧ ବିଶ୍ୱାସ ରହିଛି। ଅନାଦି କାଳରୁ ପାଳନ ହୋଇଆସୁଥିବା ଏହି ଟୋକି ପରବରେ ପୂର୍ବକାଳରେ ଧରଣୀ ମାଟିମାଁକୁ ଶାନ୍ତ କରିବା ପାଇଁ ଆଦିବାସୀମାନେ ଏକ କୁଅାଁରୀ କନ୍ୟାକୁ ଧରଣି ଖୁଣ୍ଟରେ ବଳି ଦେଉଥିବା ଜନଶୃତି ରହିଛି। କୁଆଁରୀକନ୍ୟା ବା ଟୋକୀ କୁ ବଳି ଦେଉଥିବା ପରବ ହୋଇଥିବାରୁ ଏହି ପରବକୁ ଟୋକୀ ପରବ ବୋଲି କୁହାଯାଏ। ୧୮୯୫ ମସିହା ପରେ ପରେ ରାଜା ରାଜୁଡା ଶାସନ ଅମଳରେ କଳାହାଣ୍ଡି ଗଡଜାତ ରାଜ୍ୟରେ ନରବଳି ପ୍ରଥାକୁ ତକ୍ରାଳୀନ ରାଜା ଉଚ୍ଛେଦ କରିବା ପରେ ଏହି ଟିକୀ ପରବରେ କୁଆଁରୀ କନ୍ୟା ବଦଳରେ ଏକ ମାଈ ମେଣ୍ଢାକୁ କୁଅାଁରୀ କନ୍ୟାର ପ୍ରତୀକାତ୍ମକ ଭାବେ ଧରଣୀ ଖୁଣ୍ଟରେ ବଳି ଦିଆଯାଉଛି। ଆଦିବାସୀ ଅଂଚଳରେ ଟୋକୀପରବକୁ ଅତି ଆଗ୍ରହର ସହିତ ପାଳନ କରିଥାନ୍ତି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳରେ ଆଦିବାସୀମାନେ ବସବାସ କରୁଥିବା ବେଳେ ବିଶେଷ କରି ଥୁଆମୂଲ-ରାମପୁର, କଲମପୁର, ଜୟପାଟଣା, ଲାଞ୍ଜିଗଡ ଆଦି ବ୍ଲକ ଅଂଚଳରେ ବସବାସ କରୁଛନ୍ତି।

ଆଦିବାସୀ ମାନେ ବସବାସ କରୁଥିବା ସବୁଯାକ ଗ୍ରାମରେ ପ୍ରତିବର୍ଷ ଏହି ଟୋକୀ ପର୍ବ ହୋଇନଥାଏ। ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ବର୍ଷରେ ଏହି ଟୋକୀପର୍ବ ପାଳନ କରାଯାଇଥାଏ। ଟୋକୀ ପରବରେ ପୌଷମାସ ପୂର୍ଣ୍ଣିମାର ପାଖାପାଖି ଶେଷ ଗୁରବାର ଠାରୁ ରବିବାର ପର୍ଯ୍ୟନ୍ତକୁ ପ୍ରାଧାନ୍ୟ ଦିଆଯାଇଥାଏ। ବୁଧବାର ଦିନ ଜଙ୍ଗଲ ମଧ୍ୟକୁ ଯାଇ ଆବଶ୍ୟକୀୟ ପତ୍ର, କାଠ, ଡାଳ ଇତ୍ୟାଦି ରୀତି ନୀତି ଅନୁସାରେ ସଂଗ୍ରହ କରାଯାଇତାଏ। ଗୁରବାର ଦିନ ଗୁଡି ଚଗା ଅନୁଷ୍ଠିତ ହୋଇଥାଏ। ଏହି ଗୁଡି ଚଗା ହେଉଛି ଟୋକୀ ପରବର ଆଦ୍ୟ ପର୍ବ। ଯୋଉଁ ଗ୍ରାମରେ ଟୋକୀ ପର୍ବ ପାଳନ କରାଯାଏ ସେହି ଗ୍ରାମର ଆଖପାଖ ଆଦିବାସୀ ଗ୍ରାମ ଗୁଡିକୁ ନିମନ୍ତ୍ରଣ କରାଯାଇଥାଏ। ଏହି ଗୁଡି ଚଗା ଦିନ ସମସ୍ତ ନିମନ୍ତ୍ରିତ ଆଦିବାସୀ ସେମାନଙ୍କ ନିଜ ନିଜ ଗ୍ରାମର ମାଟି ଦେବତାଙ୍କ ପ୍ରତୀକ ଲାଠି ଧରି ବଜା ବାଜଣା ସହ ଟୋକୀପର୍ବ ହେଉଥିବା ଗ୍ରାମକୁ ଆସିଥାନ୍ତି। ସେଠାରେ ସେହି ଗ୍ରାମର ଜାନୀ ବା ପୂଜାରୀଙ୍କ ସମେତ ସମସ୍ତେ ଦେବୀ ପୀଠ ବା ଦେପ୍ତା ଗୁଡି କୁ ଯାଇଥାନ୍ତି। ଆଦିବାସୀ ପରମ୍ପରା ଅନୁଯାୟୀ ସେମାନଙ୍କ ଦେବୀକୁ ଏକ ଉଚ୍ଚ ସ୍ଥାନରେ କୁଡିଆ ଘର କରି ରଖିଥାନ୍ତି ସେହି ଦେବୀ ପୀଠ ବା ଦେବତା ଆସ୍ଥାନକୁ ଦେପ୍ତା ଗୁଡି କୁହାଯାଇଥାଏ। ଏହି ଉଚ୍ଚ ସ୍ଥାନରେ ଥିବା ଦେବୀ ଆସ୍ଥାନକୁ ଚଢି କରି ଯାଇ ପୂଜା କରିବାକୁ ହିଁ ଗୁଡି ଚଗା ବୋଲି କୁହାଯାଇଥାଏ। ଏଠାରେ ନିମନ୍ତ୍ରିତ ଅତିଥି ମାନଙ୍କୁ ଏକ ଖଟରେ ବସାଇ ଗାଁଲୋକେ କାନ୍ଧରେ ଖଟବୋହି ନଚାଇ ନଚାଇ ଦେପ୍ତା ଗୁଡି ଚାରିପାଖେ ପରିକ୍ରମା କରାଯାଇଥାଏ। ଏହି ଦିନ ଗ୍ରାମର ଗୁରୁ ବୁଢାଙ୍କୁ ରୀତି ନୀତିରେ ପୂଜା କରିବା ସହିତ ଗୁରୁଜନ ମାନଙ୍କୁ ମଧ୍ୟ ଧତାରୀତି ପୂଜା କରାଯାଇଥାଏ। ଏହି ଦିନ ଦେବି ପୀଠରେ ବ୍ୟବହୃତ ଟାଙ୍ଗି, ଟାଙ୍ଗିଆ, କଡରୀ(ଛୁରୀ) ଇତ୍ୟାଦି ଅସ୍ତ୍ର ଶସ୍ତ୍ର କୁ ପାରମ୍ପରିକ ଶୈଳିରେ ପୂଜା କରିବା ସହିତ ମାନସିକ ଅନୁସାରେ ବିଭିନ୍ନ ପଶୁପକ୍ଷୀ ବଳି ଦିଆଯାଇଥାଏ। ପରଦିନ ଶୁକ୍ରବାର ଦିନ ସୁଖରେ ଖାଇବା ପିଇବା ହିସାବରେ ଆରାମରେ ଖାଇପିଇ ମସ୍ତି କରିଥାନ୍ତି ଆଦିବାସୀ ମାନେ। ଶନିବାର ଦିନ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆନନ୍ଦରେ ଧାଇଁବା ବା ଗ୍ରାମ ପରିକ୍ରମା କରିବା ଆୟୋଜିତ ହୋଇଥାଏ। ରବିବାର ଦିନ ଟୋକୀପରବ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଗୁରବାରରେ ଗୁରୁ ପୂଜା, ଶୁକ୍ରବାର ଦିନ ସୁଖରେ ଖାଇବା, ଶନିବାର ଦିନ ଧାଇଁବା ଓ ଶେଷରେ ରବିବାର ଦିନ ଟୋକୀପରବ ହିଁ ଆଦିବାସୀ ମାନଙ୍କ ଚିରାଚରିତ ରୀତି ନୀତି।

ଟୋକୀପରବ ହେବାର ରବିବାର ଦିନ ସକାଳୁ ଗ୍ରାମର ଜାନୀ, ପୂଜାରୀ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିବା ସହିତ ବିଭିନ୍ନ ଗ୍ରାମରୁ ଆସିଥିବା ଦେବାଦେବୀଙ୍କ ପ୍ରତୀକ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାରମ୍ପରିକ ବାଦ୍ୟ ବଜାଇ ନୃତ୍ୟ ର ତାଳେ ତାଳେ ଗ୍ରାମର ଗୌନ୍ତିଆ ଘରୁ ପଜା ପାଇଁ ଉଦ୍ଦିଷ୍ଟ ଟୋକୀକୁ ଧଳା କପଡାରେ ଗୁଟାଇ ଆନି ଧରଣୀ ଗୁଡିକୁ ଶୋଭାଯାତ୍ରାରେ ନେଇଥାନ୍ତି। ପୂଜାର୍ଚ୍ଚନା ପରେ ଟୋକୀ କୁ ଦେବୀ ପୀଟରେ ବଳି ଦିଆଯାଇଥାଏ। ହେଲେ ଟୋକୀ ର ପ୍ରତୀକ ଭାବେ ଏବେ ମାଈ ମେଣ୍ଢାକୁ ହିଁ ବଳି ଦିଆଯାଉଛି। ବଳି ପରେ ସେଠାରେ ବିଭିନ୍ନ ଗ୍ରାମରୁ ଆସିଥିବା ଆଦିବାସୀମାନେ ନିଜ ନିଜ ବୀରତ୍ୱ ପ୍ରକାଶ କରି ସେହି ମେଣ୍ଢାର ମାଂସକୁ କାଟି ନେବାକୁ ପ୍ରଚେଷ୍ଟା କରିଥାନ୍ତି। ଏହି ବଳି ମାଂସ ନେବାକୁ ଏକ ପ୍ରକାର ପ୍ରତିଯୋଗୀତା ଲାଗିରହେ। ପୂଜାରେ ବଳିପଡିଥିବା ଏହି ମେଣ୍ଢା ମାଂସକୁ ନେଇ ନିଜ ଗ୍ରାମର ଚାଷ ଜମିରେ ପୋତିଲେ ଧରଣୀ ମାଁ ଶାନ୍ତ ହୋଇ ମାଟି ଅଧିକ ଉର୍ବର ହେବା ସହ ପ୍ରଚୁର ଫସଲ ଉତ୍ପାଦନ ହୋଇଥାଏ ବୋଲି ଆଦିବାସୀ ମାନଙ୍କ ଦୃଢ ବିଶ୍ୱାସ। ଟୋକୀପରବ ସରିବା ପରେ ସୋମବାର ଦିନ ଆଦିବାସୀ ମାନଙ୍କ ଧାଙ୍ଗଡି ଦୋଲା ପର୍ବ ଅନୁଷ୍ଠିତ ହୋଇଥାଏ। ଏହିଦିନ ଆଦିବାସୀ ଧଙ୍ଗଡା ବା ଅବିବାହିତ ଯୁବକ ଏବଂ ଆଦିବାସି ଧାଙ୍ଗଡି ବା ଅବିବାହିତ ଯୁବତୀ ମାନେ ମୁକ୍ତ ଆକାଶରେ ଖୋଲା ମନରେ ନାଚ ଗୀତରେ ମସଗୁଲ ହୋଇଯାଇଥାନ୍ତି। ଏହି ଧାଙ୍ଗଡି ଦୋଲାରେ ଆଦିବାସୀ ଯୁବକ ଯୁବତୀ ନିଜ ନିଜ ମନ ପସନ୍ଦର ଜୀବନ ସାଥି ଚୟନ କରିଥାନ୍ତି। ବିଶେଷ କରି ପରବ ଦିନ ଯୋଉଁ ମେଳା ହୋଇଥାଏ ସେହି ମେଳାରେ ଆଦିବାସୀ ଧାଙ୍ଗଡି ବସିଥିବା ବେଳେ ଆଦିବାସୀ ଧଙ୍ଗଡା ଯଦି ପସନ୍ଦ କଲା ତେବେ ସେ ତାର ବେକରେ ଗୁଡାଇ ହୋଇଥିବା ଗାମୁଛାକୁ ଧାଙ୍ଗଡି ଉପରେ ପକାଇ ଦେଇଥାଏ। ଯଦି ଧାଙ୍ଗଡିର ସେହି ଧାଙ୍ଗଡା ପ୍ରତି ଇଚ୍ଛା ହୋଇଥାଏ ତେବେ ଧାଙ୍ଗଡି ସେହି ଗାମୁଛାକୁ ନିଜ ବେକରେ ପକାଇଲେ ତାହା ଉଭୟଙ୍କର ପସନ୍ଦ ହୋଇଥିବା ମାନିନିଆ /ଯାଇଥାଏ। ଯଦି ଉକ୍ତ ଧାଙ୍ଗଡାକୁ ପସନ୍ଦ ହୋଇନଥାଏ ତେବେ ସେହି ଗାମୁଛାକୁ ଦୂରକୁ ଫିଙ୍ଗି ଦେଲେ ତାହା ନାପସନ୍ଦର ସୂଚନା ମିଳିଯାଉଥିବା ଜଣାପଡିଯାଏ। ମୋଟା ମୋଟି ଭାବରେ ଆଦିବାସୀ ସଂପ୍ରଦାୟରେ ଟୋକୀ ପରବ ଏକ ମୁଖ୍ୟ ପର୍ବ ଏବଂ ଧରଣୀ ପେନୁ ବା ମାଟି ମାଁ କୁ ସନ୍ତୁଷ୍ଟ କରିବାର ଏକ ଅନନ୍ୟ ପର୍ବ ଅଟେ। ଆଦିବାସି ମାନେ ଏହି ପରବକୁ ଅତି ଆନନ୍ଦର ସହିତ ପାଳନ କରିଥାନ୍ତି। ଧାଙ୍ଗଡି ଦୋଲା ପରେ ଆରଦିନ ପୂଜାରେ ବ୍ୟବହୃତ ଟାଙ୍ଗି ଟଙ୍ଗିଆକୁ ଯତା ସ୍ଥାନରେ ଓହଲାଇ ଦିଆଯାଇଥାଏ। ଏହାକୁ ଟାଙ୍ଗିଓଲା କୁହାଯାଏ।

ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ପଣ୍ଡିଗାଁ, ଖଣ୍ଡି ଡଙ୍ଗରୀଗୁଡା, ଇଚ୍ଛାପୁର ତଥା ଜୟପାଟଣା ବ୍ଲକର ନାଗଫେଣି, ଜୟପାଟଣା ଓ ଟିଙ୍ଗୋପଖାନ ଠାରେ ଏବଂ ଜୁନାଗଡ ବ୍ଲକର ପଖନାଗୁଡା, ଲଖନାପଡା ତଥା ଲାଂଜିଗଡ ବ୍ଲକ, ଗୋଲାମୁଣ୍ଡା ବ୍ଲକ, ଥୁଆମୂଲ ରାମପୁର ବ୍ଲକର ର ବିଭିନ୍ନ ଗ୍ରାମ ଗୁଡିକରେ ଟୋକୀପର୍ବ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *