କଳାହାଣ୍ଡି ; ଅଗଷ୍ଟ କ୍ରାନ୍ତୀ ଦିବସରେ ସରପଂଚ ଓ ୱାର୍ଡ ମେମ୍ବରଙ୍କ ବିଶାଳ ଶୋଭାଯାତ୍ରା।

କଳାହାଣ୍ଡି ୦୯/୦୮/୨୦୧୮ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାନସଭାକ୍ଷେତ୍ର ଅନ୍ତର୍ଗତ ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅଧିକାଂଶ ଗ୍ରାମପଂଚାୟତ ୱାର୍ଡ ସଭ୍ୟ-ସଭ୍ୟା ତଥା ସରପଂଚ ମାନଙ୍କ ତରଫରୁ ଏକ ଛଅ ଦଫା ଦାବି ପତ୍ର ମାନ୍ୟବର ଓଡିଶା ସରକାରଙ୍କୁ ଜୁନାଗଡ ବିଡିଓଙ୍କ ମାଧ୍ୟମରେ ଦାଖଲ କରାଯାଇଛି। ଗଣତନ୍ତ୍ରର ତୃଣମୂଳ ସ୍ତରର ପ୍ରତିନିଧି ଭାବେ ଜନସାଧାରଣ ନିର୍ବାଚିତ କରିଥିବା ୱାର୍ଡ ସଭ୍ୟ-ସଭ୍ୟା ତଥା ସରପଂଚ ମାନଙ୍କ ଏକ ବିରାଟ ସମାବେଶ ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଦାବି ପତ୍ର ଦେବାପରେ ସ୍ଥାନୀୟ ଆରଏମସି ବଜାର ପ୍ରାଙ୍ଗଣରେ ପହଂଚିଥିଲା। ଜୁନାଗଡ ଓକିଲ ସଂଘ ସଭାପତି ହିମାଂଶୁ ବରାଡ ଙ୍କ ଆହ୍ୱାନରେ ୱାର୍ଡ ସଭ୍ୟ-ସଭ୍ୟା ତଥା ସରପଂଚ ମାନେ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମାତା ଲଙ୍କେଶ୍ୱରୀ ମନ୍ଦିରରେ ଅଗଷ୍ଟ କ୍ରାନ୍ତୀ ଦିବସରେ ଏକତ୍ରୀତ ହୋଇ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ଜୁନାଗଡ ଏନଏସି ଅଧ୍ୟକ୍ଷା ତଥା ତାଙ୍କର ସହଯୋଗୀ ମାନେ ମଧ୍ୟ ସାମିଲ ଥିବା ଦେଖାଯାଇଥିଲା। ଜୁନଗଡ ବ୍ଲକ ସରପଂଚ ସଂଘର ସଭାପତି ତଥା ରାଜପୁର ସରପଂଚ ଶିବ ଭୋଇ, ମହିଚଲା ସରପଂଚ ଅଜୟ ବେହେରା ପ୍ରମୂଖଙ୍କ ସମେତ ଅନେକ ସରପଂଚ ଏବଂ ୱାର୍ଡ ସଭ୍ୟ-ସଭ୍ୟା ନିଜ ଦାବି ଅନୁସାରେ ପ୍ଳାକାର୍ଡ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ସମ୍ମୁଖରେ ବାଜାରୋଷଣୀ ପଥଚାରୀ ମାନଙ୍କୁ ବେଶ ଆକୃଷ୍ଟ କରୁଥିବାର ଦେଖାଯାଇଥିଲା। ୱାର୍ଡ ସଭ୍ୟ-ସଭ୍ୟା ତଥା ସରପଂଚଙ୍କ ମାସିକ ଭତା ବୃଦ୍ଧି, ୱାର୍ଡ ମଧ୍ୟରେ ହେଉଥିବା ଉନ୍ନୟନ କାର୍ଯ୍ୟରେ କାଉଂଟର ସ୍ୱାକ୍ଷର ଅଧିକାର, ୱାର୍ଡ ସଭ୍ୟ-ସଭ୍ୟା ମାନଙ୍କ ବିକାଶ ପାଣ୍ଠି ଗଠନ, ଗ୍ରାମ୍ୟସ୍ତରରେ ସମସ୍ତ ଖାଦ୍ୟ ଯୋଜନାରେ ତଦାରଖ ଦାୟୀତ୍ୱ ପ୍ରଦାନ, ୱାର୍ଡ ସଭ୍ୟ-ସଭ୍ୟା ଙ୍କ ଦ୍ୱାରା ଅନ୍ତତଃ ଗୋଟିଏ ବିଜୁ ପକ୍କାଘର ପ୍ରଦାନ ଅଧିକାର, ରାଜଧାନୀରେ ପଂଚାୟତ ପ୍ରତିନିଧିଙ୍କ ପାଇଁ ଅତିଥି ଭବନର ବ୍ୟବସ୍ଥା କରାଯିବା ଭଲି ଛଅ ଗୋଟି ଦାବି ଉପସ୍ଥାପନ କରୁଥିବାର ପ୍ରକାଶ। ଦୀର୍ଘ ବର୍ଷ ପରେ ୱାର୍ଡ ସଭ୍ୟ-ସଭ୍ୟା ମାନେ ଏକତ୍ରୀତ ହୋଇଥିବାର ସେମାନଙ୍କ ମନରେ ଉତ୍ସାହ ବଢି ଯାଇଥିବା ଦେଖାଯାଇଥିଲା। ଅନ୍ତତଃ ପକ୍ଷେ ୱାର୍ଡ ସଭ୍ୟ-ସଭ୍ୟା ମାନେ ଗ୍ରାମପଂଚାୟତ ସ୍ତରରେ ବିକାଶ ଧାରାର ମୁଖ୍ୟ ଭୂମିକା ତୂଲାଉଥିବା ବେଳେ ସେମାନଙ୍କ ପାଇଁ ମାସିକ କେବଲ ୨୪୦ ଟଙ୍କା ଭତା ହିଁ ଦିଆଯାଉଥିବା ପ୍ରକାଶ। ଏଭଲି ସ୍ଥଳେ ୱାର୍ଡ ସଭ୍ୟ-ସଭ୍ୟା ମାନଙ୍କ ଉନ୍ନତି ପାଇଁ କେହିଜଣେ ହେଲେ ଆଗକୁ ଆସି ଆମକୁ ଏକତ୍ରୀତ କରିପାରିଛି ତେଣୁ ଆମେ ଆଜି ଏକାଠି ହୋଇଛୁ ବୋଲି ଗ୍ରାମାଂଚଳର ୱାର୍ଡ ସଭ୍ୟ-ସଭ୍ୟାମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜୁନାଗଡଠାରେ ସ୍ଥାନୀୟ ବିଧାୟକ କ୍ୟାପଟେନ ମିଶ୍ରଙ୍କ ଅନୁପସ୍ଥିତିରେ ତାଙ୍କର ନିକଟତମ ସହେଯାଗୀ ଭାବେ ପରିଚିତ ହିମାଂଶୁ ବରାଡଙ୍କ ନେତୃତ୍ୱରେ ଜୁନାଗଡ ବିଧାନସଭାକ୍ଷେତ୍ର ଅନ୍ତର୍ଗତ ନିର୍ବାଚିତ ଗ୍ରାମପଂଚାୟତ ପ୍ରତିନିଧି ମାନଙ୍କ ସମାବେଶ ହେବା ଘଟଣା ନିଶ୍ଚିତ ଭାବେ ରାଜନୈତିକ ସମୀକରଣର ଏକ ନୂଆ ଅଧ୍ୟାୟର ଅୟମାରମ୍ଭ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ବିଧାୟକ ଶ୍ରୀ ମିଶ୍ର ରାଜଧାନୀରେ ଶହୀଦ ସ୍ତମ୍ଭ ସ୍ଥାପନକୁ ନେଇ ବ୍ୟସ୍ତ ଥିବା ଜଣାପଡିଛି। ଗତ ୨୦୧୪ ସାଧାରଣ ନିର୍ବାଚନ ପରେ ବିଧାୟକ କ୍ୟାପଟେନ ମିଶ୍ର ସର୍ବଦା ତୃଣମୂଳସ୍ତରକୁ ପହଂଚିବାକୁ ଉଦ୍ୟମ ଜାରି ରଖିଥିବା ଏବଂ ସୋସିଆଲ ମିଡିଆରେ ସର୍ବଦା ଆଗରେ ରହିଆସିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ସମୟରେ ଯେଉଁମାନେ ସାଙ୍ଗରେ ଥିଲେ କାଳକ୍ରମେ ସେମାନେ ଆଉ ନଥିବା କୁହାଯାଉଛି। ସେହିପରି ଭାବେ ନିର୍ବାଚନ ପୂର୍ବରୁ ଟିକଟ ଆଣିବାକୁ ନେଇ ଟଣାଓଟରା ମଧ୍ୟରେ ମତଭେଦ ଥିବା ସମସ୍ତଙ୍କୁ ସାମିଲ କରି କ୍ୟାପଟେନ ଜୁନାଗଡ ସହରରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଉଥିବା ସୋସିଆଲ ମିଡିଆରେ ଆଲୋଚନା ହେଉଥିବା ଜଣାପଡିଛି। ଆଗାମୀ ୨୦୧୯ ନିର୍ବାଚନରେ କ୍ୟାପଟେନ ମିଶ୍ର ଲୋକସଭା ପ୍ରାର୍ଥୀ ହେବା ପ୍ରାୟ ଚୂଡାନ୍ତ ବୋଲି ଚର୍ଚ୍ଚା ହେବା ପରେ ବିଧାୟକ ପଦବୀ ପାଇଁ ଆଶାୟୀ ମସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି। ସେହିପରି ହିମାଂଶୁ ବରାଡ ପୂର୍ବରୁ ଲୋକସଂପର୍କ ରକ୍ଷା କରିଆସୁଥିବା ବେଳେ ବର୍ତମାନ ବିଧାୟକଙ୍କ ସହ ସାମିଲ ଥିବା ଜଣାପଡିଛି। ହେଲେ ଜୁନାଗଡ ନିର୍ବାଚନ ମଣ୍ଡଳୀ ଉପରେ ଭବାନୀପାଟଣାରୁ ଦୁଇ ତିନି ଜଣ ନେତା ଆଖି ପକାଇଥିବା ଜଣାପଡିବା ପରେ ହିମାଂଶୁ ବାବୁ ନିଜସ୍ୱ ସ୍ଥିତି ବଜାୟ ରଖିବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଜୁନାଗଡ ନିର୍ବଚନୀକ୍ଷେତ୍ରରେ ସ୍ଥାନୀୟ ପ୍ରାର୍ଥୀ ଦେବା ବିଷୟକୁ ବହୁ ଲୋକ ସମର୍ଥନ ଦେଉଥିବା ବେଳେ ଖୋଦ ବିଧାୟକ ନିଜେ ଭବାନୀପାଟଣା ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କୁ ସୁଯୋଗ ଦେବାର ଚିନ୍ତା କରୁଥିବା କର୍ମୀ ମହଲରେ ଆଲୋଚନା ହେଉଛି। ନିଜ ଅଂଚଳର ବ୍ୟକ୍ତିଙ୍କୁ ବିଧାୟକ ଭାବେ ଦେଖିବା ପାଇଁ ଜନସାଧାରଣରେ ଆଲୋଚାନ ହେଉଥିବା ବେଳେ ବର୍ତମାନ ବିଧାୟକଙ୍କ ସହେଯାଗୀଙ୍କ ଦ୍ୱାରା ଯଦିଓ ସବୁ କାର୍ଯ୍ୟ ହୋଇପାରିବ ତେବେ ଲୋକେ କାହିଁକି ବିଧାୟକଙ୍କୁ ସାକ୍ଷାତ ପାଇଁ ଭବାନୀପାଟଣା ଯିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ହେଲେ କାହା ମୁଣ୍ଡରେ ଶିକା ଛିଣ୍ଡିବ ତାହା ଆଗାମୀ ସମୟ ହିଁ କହିବ। ସେ ଯାହା ହେଉନା କାହିଁକି ଏହି ଅବସରରେ ୱାର୍ଡ ସଭ୍ୟ-ସଭ୍ୟା ମାନେ ଏକତ୍ରିତ ହୋଇ ନି ଦାବି ଉପସ୍ଥାପନ କରିପାରିଲେ ତାହା ସେମାନଙ୍କ ମାନରେ ଗଭୀର ରେଖାପାତ କରିଥିବା ବେଳେ ଆଗକୁ ଏହାର ପ୍ରଭାବ ନିଶ୍ଚୟ ପଡିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *