କଳାହାଣ୍ଡିର ସୁଯୋଗ୍ୟ ସନ୍ତାନ ବିନୟ ବେହେରା ଆଇପିଏସ ଆଉ ନାହାନ୍ତି

କଳାହାଣ୍ଡି- ୧୨-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଗତ ୩୧ ଅକ୍ଟୋବର ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଜି ପଦବୀରୁ ଅବସର ନେଇଥିବା ଆଇପିଏସ ଅଫିସର ବିନୟ ବେହେରା ଗତ କାଲି ଶନିବାର ରାତ୍ର ପ୍ରାୟ ୧୦.୩୦ମି ସମୟରେ ଭୁବନେଶ୍ୱରସ୍ଥିତ ଆଦିତ୍ୟ କେଆର ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୮୨ ବ୍ୟାଚର ଆଇପିଏସ ଅଫିସର ବିନୟ ବେହେରା ଭଞ୍ଜନଗର ଏସଡିପିଓ ଭାବେ ତାଙ୍କ ପୋଲିସ ଚାକିରୀ ଜୀବନ ଆରମ୍ଭ କରି ମୟୁରଭଞ୍ଜ, ପୂରୀ, କଳାହାଣ୍ଡି ଏସପି ଭାବେ କାର୍ଯ୍ୟ କରି ତାଙ୍କର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପାରିଥିଲେ। ନିଜର ସଚ୍ଚୋଟ ଓ ସ୍ପଷ୍ଟବାଦିତା ଗୁଣ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେଉଥିବା ବେଳେ କେତେକାଂଶରେ ତାଙ୍କୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡିଥିଲା। ସୂଚନା ପ୍ରଯୁକ୍ତି ବିଭାଗ ଆଇଜି ଭାବେ କାର୍ଯ୍ୟ କରିବା ସହ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇ ଆର୍ଥôକ ଅନାଟନ ମଧ୍ୟରେ ଗତି କରୁଥିବା ରାଜ୍ୟ ପରିବହନ ନିଗମର ସିଏମଡି ଭାବେ ଅବସ୍ଥାପିତ ହୋଇଥିବା ବେଳେ ଏହି ନିଗମର ଆର୍ଥିକ ସଂସ୍କାର ମୂଲକ କାର୍ଯ୍ୟମାନ କରି ନିଗମକୁ ଲାଭଜନକ ସଂସ୍ଥା ଭାବେ ଗଢି ତୋଳି ପାରିଥିଲେ। ଗତ ୨୦୦୫ ମସିହାରେ ଓଡିଶାରେ ପୋଲିସ କମିଶନରେଟ ବ୍ୟବସ୍ଥା ଆରମ୍ଭ ହେବାପରେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୋଲିସ କମିଶନରେଟରେ ପ୍ରଥମ ପୋଲିସ କମିଶନର ଭାବେ ଅବସ୍ଥାପିତ ହୋଇଥିବା ବେଳେ ନିଜର ସ୍ପଷ୍ଟ ବାଦିତା ଏବଂ ଦାୟୀତ୍ୱ ସମ୍ପନ୍ନ ପୋଲିସ ଅଫିସର ଭାବେ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ସେହି ପଦବୀରୁ ହଟାଇ ଦିଆଯାଇଥିଲା। ହୋମଗାର୍ଡ ଓ ଅଗ୍ନିଶମ ବିଭାଗ ଏଡିଜି ଭାବେ ଅବସ୍ଥାପିତ ହୋଇଥିବା ବେଳେ ସେଠାରେ ହିଁ ଡିଜି ପଦବୀକୁ ପଦୋନ୍ନତି ପାଇଥିଲେ। ଗତ ୩୧ ତାରିଖ ଦିନ ଅବସର ନେବା ଅବସରରେ ଅଗ୍ନିଶମ ଓ ହୋମଗାର୍ଡ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ସେ ଭାବ ବିହ୍ୱଳ ହୋଇ ତାଙ୍କର ପୋଲିସ ସେବା ଶେଷ ହୋଇଯାଇଥିବା ଏବଂ ଅବସର ସମୟରେ ପଶୁପକ୍ଷୀମାନଙ୍କ ପାଇଁ କାମ କରିବାକୁ ଇଚ୍ଛୁକ ଥିବା ପ୍ରକାଶ କରିଥିଲେ। ଇଚ୍ଛାଥିଲେ ସୁଦ୍ଧା ସେ ରାଜ୍ୟ ପୋଲିସ ଡିଜି ହୋଇପାରିନଥିା ଯୋଗୁଁ କୌଣସି ଅବଶୋଷ ନଥିବା ମଧ୍ୟ ପ୍ରକାଶ କରିଥିଲେ।

ସ୍ୱର୍ଗତ ବେହେରା ୧୯୫୭ ମସିହା ଅକ୍ଟୋବର ୧୦ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ଗ୍ରାମରେ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ତୃତୀୟ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ। ପିଲା ଦିନୁ ସେ ବାହାରେ ରହି ପାଠ ପଢୁଥିଲେ ସୁଦ୍ଧା ନିଜ ପୈତୃକ ଗ୍ରାମକୁ ଏପରିକି ନିଜ ପିତାଙ୍କ ଜନ୍ମ ଗ୍ରାମ କାଶୀବାହାଲକୁ ମଧ୍ୟ ଛାଡୁନଥିଲେ। ବର୍ଷକୁ ଅନ୍ତତଃ ଥରେ ମଧ୍ୟ ସେ ନିଶ୍ଚିତ ଭାବେ ଆସି ସମସ୍ତଙ୍କ ସହ ମିଳମିଶା କରୁଥିଲେ। ପୋଲିସ ଚାକିରୀ ଭଲି ଦାୟୀତ୍ୱ ସହିତ ସେ ବହୁତ ସୁନ୍ଦର ଗୀତ ଗାଇବା ସହିତ ସୁନ୍ଦର ଅଭିନୟ ମଧ୍ୟ କରୁଥିଲେ।ପଶୁପକ୍ଷୀଙ୍କ ଉପରେ ଗବେଷଣାତ୍ମକ ଲେଖା ମାନ ବିଭିନ୍ନ ସମୟରେ ପ୍ରକାଶ କରୁଥିଲେ।

ଗତ ୧ ତାରଖ ଠାରୁ ତାଙ୍କର ହୃଦରୋଗ ଜିତ ସମସ୍ୟା ଦେଖା ଦେବାରୁ ସେ ଭୁବନେଶ୍ୱରସ୍ଥିତ ଆଦିତ୍ୟ କେଆର ହସପିଟାଲ ରେ ଚିକିତ୍ସିତ ହେଉଥିଲେ। ନିମୋନିଆ ବଢିଯିବା ପରେ ସେ ଆସିୟୁରେ ଭର୍ତି ହୋଇଥିବା କୁହାଯାଉଥିଲା। ଗତ କାଲି ସଂଧ୍ୟାରେ ସମସ୍ୟା ଜଟିଳ ହେବାରୁ ତାଙ୍କୁ ଅଧିକ ଯତ୍ନ ର ସହ ଚିକିତ୍ସା କରାଯାଉଥିବା ବେଳେ ରାତ୍ର ୧୦.୩୦ ପାଖାପାଖି କାର୍ଡିଆକ ଆରେଷ୍ଟ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ପୂରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜାପଡିଛି।

କଳାହାଣ୍ଡି ଗଡଜାତ ସମୟରେ ଭରଦ୍ୱାଜ ବଂଶଜ ଗଙ୍ଗାରାମ ବେହେରା କୋକସରା ବ୍ଲକ ଅନ୍ତର୍ଗତ କାଶିବାହଲ ଗ୍ରାମରେ ରହୁଥିବା ବେଳେ ତାଙ୍କର ୫ପୁଅଙ୍କ ଠାରୁ ୯ଜଣ ନାତି ଥିଲେ। ଗଙ୍ଗାରାମ ଭରଦ୍ୱାଜ ବେହରୋଙ୍କ ୯ନାତିଙ୍କର ମୋଟ ୨୭ ଜଣ ପୁତ୍ର ଥିବା ବେଳେ ବିନୟ ସେମାନଙ୍କ ମଧ୍ୟରୁ ନବମ ଥିଲେ। ହେଲେ ଅକସ୍ମାତ ଏଭଲି ଅହେତୁକ ଅସମୟରେ ବିନୟ ଙ୍କ ଦେହାନ୍ତରେ ସମସ୍ତେ ସ୍ତବ୍ଧ ହୋଇଯାଇଥିବା ଜଣାପଡିଛି। ୨୭ ଭାଇଙ୍କ ମଧ୍ୟରୁ ଜଣକର ଏଭଲି ଅକସ୍ମାତ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁନଥିବା ଜଣାପଡିଛି।

ଗତ ୨୦୦୯ ରେ କଳାହାଣ୍ଡି ଉତ୍ସବ ଅବସରରେ ବିନୟ ବେହେରାଙ୍କୁ ଭୂମିପୂତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କର ଏଭଲି ଅକସ୍ମାତ ବିୟୋଗରେ ସମଗ୍ର କଳାହାଣ୍ଡି କାହିଁକି ପଶ୍ଚିମ ଓଡିଶାରେ ଶୋକର ଛାୟା ଖେଲିଯାଇଛି। ଭଗବାନ ତାଙ୍କର ଅମର ଆତ୍ମାକୁ ସଦଗତି ଦିଅନ୍ତୁ ବୋଲି ସମସ୍ତଙ୍କ କାମନା ରହିଛି।

Leave a Reply

Your email address will not be published. Required fields are marked *