କଳାହାଣ୍ଡିର ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ଭାରରେ ଗର୍ଭବତୀ।

କଳାହାଣ୍ଡି-୨୩-୧୦ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)କଳାହାଣ୍ଡି ଜିଲ୍ଲାରେ ଜନନୀ ସୁରକ୍ଷା ଯୋଜନା ବାଟବଣା ହୋଇଯାଇଥିବା ଅଭିଯୋଗ ମାନ ହେଉଛି। ସରକାର ଗର୍ଭସ୍ଥ ଶିଶୁଙ୍କ ପାଇଁ ଯୋଜନା ଠାରୁ ଆରମ୍ଭ କରି ବାଲ୍ୟ, ଶୈଶବ, ଯୁବକ, ବୃଦ୍ଧାବସ୍ଥା ଶେଷରେ ମୃତ୍ୟୁ ହେଲେ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଗମନା ଗମନର ସୁବିଧା ନଥିବାରୁ ଲୋକେ ସେସବୁ ଯୋଜନାର ସୁଫଳ ପାଇପାରୁନାହାନ୍ତି। ଜନନୀ ମାନଙ୍କ ସୁରକ୍ଷା ପାଇଁ ଜନନୀ ସୁରକ୍ଷା ଯୋଜନା ତଥା ମମତା ଯୋଜନା ଆଦି ପ୍ରଣୟନ କରିବା ସହଁ ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ରାସ୍ତା ଘାଟ ଅଭାବରୁ ସେସବୁ ଦୁର୍ଗମ ସ୍ଥାନମାନଙ୍କୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନଥିବା ହେତୁ ଲୋକେ ନାହିଁନଥିବା ଅବସ୍ଥା ଭୋଗୁଥିବା ଅନେକ ଘଟଣା ଅତୀତରେ ଘଟି ସାରିଛି। ଗ୍ରାମାଞ୍ଚଳରେ ଏବଂ ବିଶେଷ କରି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ଲାଞ୍ଜିଗଡ ବ୍ଲକ ଭଲି ବଣପାହାଡ ଘେରା ଦୁର୍ଗମ ଅଞ୍ଚଳର ଲୋକେ ଅଧିକ ମାତ୍ରାରେ ସ୍ୱାସ୍ଥ୍ୟସେବା ପାଇବାରେ ବଞ୍ଚିତ ହୋଇଯାଉଥିବା ଅଭିଯୋଗ ହେଉଛି।

ଏହି ବ୍ଲକ ଅନ୍ତର୍ଗତ ମାଳିଯୁବାଙ୍ଗ ଗ୍ରାମପଞ୍ଚାୟତ ଭସାବାହାଲ ଗାଁର କିଶନଲାଲ ନାଏକଙ୍କ ଗର୍ଭବତୀ ସ୍ତ୍ରୀ ସୁଶୀଳା ଗତ ଶନିବାର ରାତି ୨ଟା ସମୟରେ ଗର୍ଭଯନ୍ତ୍ରଣା ଅନୁଭବ କରିବା ପରେ ଅନ୍ୟ ଉପାୟ ନପାଇ କିଶନଲାଲ ନିଜ ସମ୍ପର୍କୀୟ ରାମଚନ୍ଦ୍ର ମୁଣ୍ଡଛିନା ସହମିଶି ୪ କି.ମି.ଦୂର ରେ ଥିବା ଏଏନଏମ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ପୁଷ୍ପଲତା ଦେଇଙ୍କୁ ସହୟତା ମାଗିବାକୁ ଆସିଥିବା ବେଳେ ସ୍ୱସ୍ଥ୍ୟକର୍ମୀ ନଥିବାରୁ ଏବଂ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ନଥିବାରୁ ଏକ ଉଚ୍ଚ ସ୍ଥାନକୁ ଯାଇ ସେଠାରୁ ୧୦୨ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ। ଖରାପ ରାସ୍ତା ଯୋଗୁଁ ମାଲିଯୁବାଙ୍ଗ ପର୍ଯ୍ୟନ୍ତକୁ ଆମ୍ବୁଲାନ୍ସ ଆସିପାରିଥିବା ବେଳେ ଅଗତ୍ୟା ବାଧ୍ୟ ହୋଇ କିଶନଲାଲ ଓ ଅନ୍ୟମାନେ ମିଶି ଅଖାବସ୍ତାରେ ଦୋଳି ସଦୃଶ କରି ସୁଶୀଳାକୁ ସେହି ଭାରରେ ବସାଇ୪ କି.ମି.ଜଙ୍ଗଲ ରାସ୍ତାରେ ବୋହି ଆଣିବା ସହ ଆଶାକର୍ମୀର ସହୟତାରେ ଆମ୍ବୁଲାନ୍ସ ପାଖକୁ ନେଇ ସେଠାରୁ ଲାଞ୍ଜିଗଡ ଡାକ୍ତରଖାନାକୁ ପହଞ୍ଚାଇଥିଲେ। ସୁଶୀଳାଙ୍କ ଗର୍ଭବେଦନା ଠାରୁ ଭାରରେ ବୁହାହୋଇ ଜଙ୍ଗଲ ରାସ୍ତାରେ ନେବା ଯନ୍ତ୍ରଣା ଦ୍ୱୀଗୁଣିତ ହୋଇଯାଇଥିବା ପ୍ରକାଶ। ଡାକ୍ତରଖାନାରେ ଉତ୍ତମ ଚିକିତ୍ସା କରାଯାଇଥିବା କିଶନଲାଲ ଙ୍କ ସୂତ୍ରରୁ ପ୍ରକାଶ। ଗମନା ଗମନର ଅଭାବ ଯୋଗୁଁ ଲାଞ୍ଜିଗଡ, ଥୁରାମପୁର ଭଲି ଦୁର୍ଗମ ଅଞ୍ଚଳର ଲୋକେ ଏଭଲି ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ରୋଗୀଙ୍କୁ ଏଭଲି ଭାରରେ ବୋହିନେବା ସାଧାରଣରେ ପରିଣତ ହୋଇଯାଇଥିବା ହେତୁ ଦୁର୍ଗମ ଗ୍ରମ ମାନଙ୍କୁ ଚିହ୍ନଟ କରାଯାଇ ସେସବୁ ଗ୍ରାମ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟର ବ୍ୟବସ୍ଥା କରିବାକୁ ବୁଦ୍ଧୀଜିବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *