Home ଆମ ପର୍ବ ପର୍ବାଣୀ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ

59

କଳାହାଣ୍ଡି- ତା.୧୩.୧୦.୨୦୨୧ ( ଓଡିଆପୁଅ) କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ରାଜାରାଜୁଡା ଶାସନ ଅମଳରୁ କଳାହାଣ୍ଡି ରାଜତନ୍ତ୍ର ର ଅଧିଷ୍ଠାତ୍ରୀ ଦେବୀ ଭାବରେ ଜଗତଜନନୀ ମାଁ ମାଣିକେଶ୍ୱରୀ ରାଜପ୍ରାସାଦ ପାଶ୍ୱର୍ରେ ପ୍ରତିଷ୍ଠିତ ମନ୍ଦିରରେ ପୂଜା ପାଇଆସୁଛନ୍ତି । ମାଆଙ୍କର ମହିମା ଅନେକ । ଜନଶ୍ରୁତି ଅନୁସାରେ ପୁରାତନ କଳାହାଣ୍ଡି ରାଜ୍ୟର ରାଜଧାନୀ ବହୁ ପୁରାତନ ଜୁନାଗଡ ନଗରରେ ଥିବା ବେଳେ ସେଠାରେ ରାଜପରିବାରର ସଦସ୍ୟ ଦୂରାରୋଗ୍ୟରେ ପୀଡିତ ହେବାପରେ ଜୁନାଗଡ ନଗର ଛାଡିବାକୁ ବାଧ୍ୟ ହୋଇଥିଲେ । ସେହି ସମୟରୁ ରାଜପରିବାର ମାଣେକେଶ୍ୱରୀଙ୍କ ଶରଣାପନ୍ନ ହୋଇ ସୁସ୍ଥ ହେବାପରେ ନିଜର ଇଷ୍ଟଦେବୀ ରୂପେ ପୂଜା କରିଆସୁଥିଲେ । ପରବର୍ତୀ ପର୍ଯ୍ୟାୟରେ ମାଣିକେଶ୍ୱରୀ ସମଗ୍ର କଳାହାଣ୍ଡି ରାଜ୍ୟର ଅଧିବାସୀଙ୍କ ଇଷ୍ଟଦେବୀ ରୂପେ ପୂଜିତ ହୋଇଆସୁଛନ୍ତି । ରାଜା ପ୍ରଥମେ ଯୁଗସାଏପାଟଣା ଓ ପରେ ବର୍ତମାନର ଭବାନୀପାଟଣା ଠାରେ ରାଜଧାନୀ ପ୍ରତିଷ୍ଠା କରିବା ସହିତ ରାଜପ୍ରାସାଦ ସନ୍ନିକଟରେ ମାଣେକେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି । କୁହାଯାଏ ଯେ ମାଁ ମାଣିକେଶ୍ୱରୀ ଛିନ୍ନମସ୍ତା ରୂପରେ ଭବାନୀପାଟଣା ଓ ଥୁଆମୂଲ ରାମପୁର ଠାରେ ପୂଜା ପାଇ ଆସୁଛନ୍ତି । କାଳକ୍ରମେ ସମୟ ବଦଳୁଥିଲେ ହେଁ ମାଁଙ୍କ ପରମ୍ପରା ବଦଳୁ ନାହିଁ । ସମୟ ଅନୁସାରେ ମାଣିକେଶ୍ୱରୀ କେବଳ ରାଜପ୍ରାସାଦ ମଧ୍ୟରେ ସୀମିତ ନରହି ସମଗ୍ର ମାନବ ଜାତିର ଅଧଥଷ୍ଠାତ୍ରୀ ଦେବୀ ଭାବରେ ମାନ୍ୟତା ପାଇଛନ୍ତି ।
ପ୍ରତିବର୍ଷ ଦଶହରା ମସୟରେ ଶୁକ୍ଳପକ୍ଷ ମୂଳାଷ୍ଟମୀ ଦିନ ମାଣିକେଶ୍ୱରୀଙ୍କ ମସ୍ତକ ସ୍ଥାପନ କରାଯିବାର ବିଧି ରହିଛି ଏବଂ ସେହିଦିନଠାରୁ ମାଆଙ୍କ ପାର୍ବଣ ଆରମ୍ଭ ହୋଇଥାଏ । କୃଷ୍ଣ ପକ୍ଷ ଅଷ୍ଟମୀ ପୂଜା ପରେ ମଧ୍ୟରାତ୍ରରେ ସନ୍ଧିପୂଜା ହୋଇ ମାଆଙ୍କର ଛତର ବିଜୟ ଯାତ୍ରା ପର୍ବ ଆରମ୍ଭ ହୋଇଥାଏ । ଭବାନୀପାଟଣା ଉପକଣ୍ଠ ରେ ଥିବା ଜେନାଖାଲ ପାଖକୁ ମାଆଙ୍କର ଛତର ନିର୍ଦ୍ଧାରିତ ସେବକ ମାନଙ୍କ ଦ୍ୱାରା ନିଆଯାଇଥାଏ । ସେଠାରେ ପୂଜା ଅର୍ଚ୍ଚନା ଓ ଭୋଗ ଦେବାପରେ ବାଜା ରୋଷଣୀ ମାଧ୍ୟମରେ ମାଆଙ୍କର ଛତର ବିଜୟ ଯାତ୍ରା ହୋଇଥାଏ । କୁହାଯାଏ ମାଆ ପ୍ରତିବର୍ଷ ଥରେ ଭକ୍ତ ମାନଙ୍କୁ ଆଶୀର୍ବାଦ କରିବା ପାଇଁ ମନ୍ଦିର ବାହାରକୁ ଆସିଥାନ୍ତି ଏବଂ  ଜେନାଖାଲ ଠାରେ ପରଂପରା ଅନୁଯାୟୀ ଭୋଗ ହେବା ପରେ ସମସ୍ତଙ୍କୁ ଦର୍ଶନ ଦେଇ ପୁଣି ମନ୍ଦିରକୁ ଫେରିଥାନ୍ତି । ମାଣିକେଶ୍ୱରୀଙ୍କ ମହିମା ଅନେକ ଏବଂ ଅନେକ ପରଂପରା ରହିଛି । ମାଣିକେଶ୍ୱରୀ ମନ୍ଦିରରେ ଛଡାଯାଇଥିବା ପାରା ଉଡିଯାଇ ପାଂଚ କିଲୋମିଟର ଦୂରସ୍ଥ ଜେନାଖାଲ ଠାରୁ ଜନଗହଲି ବାଜା ରୋଷଣି ମଧ୍ୟରେ ଛତର ଉପରେ ବସି ମନ୍ଦିରକୁ ଫେରିବା ନିଶ୍ଚିତ ଭାବେ ଅଲୌକିକ ଘଟଣା ।  
ଚଲିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲେ ହେଁ ଭକ୍ତମାନେ ଆବେଗର ସହ ମାଆଙ୍କର ଛତର ଯାତ୍ରାକୁ ପାଳନ କରିବାର ଦେକାଯାଇଥିଲା । ଏପରିକି ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ରାସ୍ତା ସାରା ବଳି ଦିଆଯାଇଥିବାର ଦେଖାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ମାଣିକେଶ୍‌ବରୀ ଦେବୀଙ୍କ ଛତର ମନ୍ଦିରକୁ ପ୍ରତ୍ୟବର୍ତନ କଲାପରେ ମନ୍ଦିର ରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଛତର ଗ୍ରହଣ କରି ପୂଜାର୍ଚ୍ଚନା କରି ମନ୍ଦିରକୁ ପାଛୋଟି ନେଇଥିଲେ । ଜନସାଧାରଣଙ୍କ ଭକ୍ତି ଓ ଆବେଗ ଆଗରେ ସମସ୍ତ କଟକଣା ହାର ମାନିଯାଇଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.