କଳାହାଣ୍ଡିରେ ଲଗାଣ ବର୍ଷା: ହାତୀ ନଦୀରେ ବନ୍ୟା ପରିସ୍ଥିତି

କଳାହାଣ୍ଡି – ତା.୨୧/୦୭/୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)  ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ପରେ କଳାହାଣ୍ଡି ଜିଲ୍ଲା ସାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଶୁକ୍ରବାର ଦିନ ପ୍ରବଳ ବର୍ଷା ହେବା ପରେ କଳାହାଣ୍ଡିର ଲାଇଫଲାଇନ କୁହାଯାଉଥିବା ଇନ୍ଦ୍ରାବତୀର ମଙ୍ଗଳପୁର ହାତୀ ବେରେଜରେ ଜଳସ୍ତରର ସର୍ବୋଚ୍ଚ ସୀମା ୨୬୫ ମିଟରକୁ ଛୁଇଁଥିଲା। ପରିସ୍ଥିତି ଏତେ ଅସମ୍ଭାଳ ହୋଇଯାଇଥିଲାଯେ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବା ହେତୁ ହାତୀ ବେରେଜରୁ ପାଣି ପାୱାର ଚେନାଲରେ ପାୱାର ହାଉସ ପଟକୁ ପ୍ରବାହିତ ହେବାକୁ ଲାଗିଲା। ଫଳତଃ ବେରେଜର ୫ ଟି ଗେଟ ଖୋଲାଯାଇ ୮୯୭ କ୍ୟୁମେକ୍ସ ଜଳ ହାତୀ ନଦୀରେ ଛାଡି ଦିଆଯାଇଥିବା ବିଷୟ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସୂତ୍ରରୁ ପ୍ରକାଶ। ହାତୀନଦୀ ଓ ବାପୁଲ ନଦୀର ସଙ୍ଗମ ସ୍ଥଳରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳତଃ ଏହାର ଆଖପାଖ ଅଂଚଳ କ୍ଷତିଗ୍ରସ୍ତ ହେଉଛି। ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କଲମପୁର ବ୍ଲକର ବିରିପୁର, ମାଟିଖାଲ, ବାଲିଛଡା, କରମେଲି, ଖଣ୍ଡି ଡଙଗରିଗୁଡା ସମେତ ଜୁନାଗଡ ବ୍ଲକର ଚିଲିଗୁଡା, କେଟେନଗାଁ, ଅନ୍ତର୍ଲା, ଅମ୍ବାଦୁଲା, ପୁରୁଣାସର, ପଲାସ ଆଦି ଗାଁ ବିଶେଷ ପ୍ରଭାବିତ ହୋଇଛି। ଅନେକ ଘର ଭିତରକୁ ପାଣି ପଶିଯାଇଥିବା ବେଳେ ହାତୀନଦୀର ମୋଡ ସ୍ଥାନ ମାନଙ୍କରେ ଯଥା କୋଟେନଗାଁ, ଅନ୍ତର୍ଲା, ଚିଲିଗୁଡା ଭଲି ଅଂଚଳରେ ବନ୍ୟାଜଳ ଯୋଗୁଁ ନଦୀକୂଳ ଧଶି ଚାଷଜମି ସବୁ ନଦୀଗର୍ଭରେ ମିଶି ଯାଉଛି। ଜୁନାଗଡ ନିକଟରେ ପୁରୁଣା ପୋଳ ଉପରେ ପ୍ରାୟ ୪ /୫ ଫୁଟ ପାଣି ପ୍ରବାହିତ ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀ ମାନଙ୍କ ସୂତ୍ରରୁ ଜଣାପଡିଛି। ଏନଏଚ୨୬ ଉପରେ ହାଇଲେବୁଲ ବ୍ରିଜ ନିର୍ମାଣ ହେବାପରେ ଗତ ବର୍ଷଠାରୁ ଗମନାଗମନରେ ସେଭଲି କୌଣସି ପ୍ରତିବନ୍ଧକ ଦେଖାଦେଉନଥିଲେହେଁ ହାତୀନଦୀ ଫୁଲି ରହୁଥିଲେ ଜୁନାଗଡ ସହରର ଜଳନିଷ୍କାସନ ବ୍ୟବସ୍ଥା ଭୁଷୁଡି ଯାଉଥିବା ଦେଖାଯାଇଥାଏ। ଶୁକ୍ରବାର ରାତିରେ ଜୁନାଗଡ ଗ୍ୟାସ ଅଫିସ ସମେତ ତାଳବନ୍ଧପଡାର ତଳିଆ ଅଂଚଳ ଏବଂ କଲମପୁର ରାସ୍ତା ଅଂଚଳରେ ବନ୍ୟା ଜଳ ପ୍ରବାହିତ ହୋଇଥିବା ଜଣାପଡିଛି। ମ.ରାମପୁର -ଡମକର୍ଲାଖୁଂଟା ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ସମଗ୍ର ଜିଲ୍ଲାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ବିଭିନ୍ନ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଭବାନୀପାଟଣା-ଥୁ.ରାମପୁର ରାସ୍ତା, ମଙ୍ଗଳପୁର-ଥୁ.ରାମପୁର ରାସ୍ତା, କଲମପୁର-ଥୁ.ରାମପୁର ସିଙ୍ଘାରୀ ଘାଟି ରାସ୍ତା, ଥୁ.ରାମପୁର-ରାୟଗଡା ରାସ୍ତା, ଥୁ.ରାମପୁର-ମହୁଲପାଟଣା ରାସ୍ତା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ଅନେକ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଶନିବାର ସକାଳ ସୁଦ୍ଧା ବର୍ଷା ଜାରି ରହିଛି। ଅଦ୍ୟାବଧି ଜିଲ୍ଲାର ଥୁ.ରାମପୁର ବ୍ଲକରେ ସର୍ବାଧିକ ୨୮୮.୪ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୁନାଗଡ ବ୍ଲକରେ ୨୫୬, କେସିଙ୍ଗା ବ୍ଲକରେ ୨୩୭, ନର୍ଲା ବ୍ଲକରେ ୨୧୨.୭, ଜୟପାଟଣା ବ୍ଲକରେ ୨୧୦, କଲମପୁର ବ୍ଲକରେ ୨୦୦, ମ.ରାମପୁର ବ୍ଲକରେ ୧୯୯, କର୍ଲାମୁଣ୍ଡା ବ୍ଲକରେ ୧୯୧.୭, ଭବାନୀପାଟନା ବ୍ଲକରେ ୧୧୪.୪, କୋକସରା ବ୍ଲକରେ ୧୧୨.୨, ଲାଂଜିଗଡ ବ୍ଲକରେ ୮୩.୨, ଧର୍ମଗଡ ବ୍ଲକରେ ୭୧, ଗୋଲାମୁଣ୍ଡା ବ୍ଲକରେ ୫୪.୪ ମି.ମି. ବର୍ଷା ହୋଇଥିବା ଜଣାପଡିଛି। ଜିଲ୍ଲା ବ୍ୟାପି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ସକାଳୁ ମଙ୍ଗଳପୁର ଗାତୀ ବେରେଜରେ ଜଳସ୍ତର ଏଫଏସଏଲ ଲେବୁଲ ୨୬୫ମି. ଠାରୁ କମିଯାଇ ୨୫୯.୮ ରହିଥିବା ଏବଂ ବାମ କେନାଲରେ ୭ କ୍ୟୁମେକ୍ସ ଓ ହାତୀ ନଦୀରେ ୫ଟି ଗେଟ ମାଧ୍ୟମରେ ୮୩ କ୍ୟୁମେକ୍ସ ପାଣି ଛଡାଯାଉଥିବାର ବିଭାଗୀୟ ଯନ୍ତ୍ରୀଙ୍କ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *