କଳାହାଣ୍ଡିରେ ମହିଳା ମହାସଂଘର ଜିତାପଟ – ରୁପ୍ରା ଠାରେ ଥିବା ୧୧୦ ବର୍ଷର ପୁରୁଣା ମଦଭାଟି ଉଠିଲା

କଳାହାଣ୍ଡି- ୩/୦୭ (ଓଡ଼ିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଠାରେ ମହିଳା ମାନଙ୍କ ମଦ ବିରୋଧି ଆନ୍ଦୋଳନ ତୀବ୍ରତର ହେବା ପରେ ଶେଷରେ ସେମାନଙ୍କ ଜିତାପଟ ହୋଇଛି। ମହିଳା ମହାସଂଘର ଦୃଢ ଦାବୀ ସାମନାରେ ପ୍ରଶାସନ ମଧ୍ୟ ୧୧୦ ବର୍ଷ ପୁରୁଣା ଦେଶୀ ମଦଭାଟିକୁ ସେଠାରୁ ଉଠାଇନେବାକୁ ବାଧ୍ୟ ହୋଇଥିବା ଜଣାପଡିଛି। ମହିଳା ମହାସଂଘ ନେତ୍ରୀ ନଳୀନୀ ଦୀପ, ସୁଭଦ୍ରା ଏସଏଚଜିର ଶାନ୍ତି ସାହୁ ଓ ଝାନସିବାଇ ଏସଏଚଜିର ଡାଲିମ୍ବ ବିହାରୀ ଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ନାଏବ ସରପଂଚ ଦଧି ସାହୁ, ୱାର୍ଡ ସଭ୍ୟ ସୁବାସ ଖମାରୀ ତଥା ଅନ୍ୟାନ୍ୟ ବୁଦ୍ଧୀଜୀବୀ ମାନଙ୍କ ଦ୍ୱାରା ସେଠାରେ ଥିବା ଦେଶୀ ମଦଭାଟି ଓ ବିଦେଶୀ ମଦ ଦୋକାନ ଅନ୍ୟତ୍ର ଉଠାଇନେବାକୁ ଗତ ୩୫ ଦିନ ଧରି ନିରନ୍ତର ଭାବେ ଆନ୍ଦୋଳନ ଜାରି ରଖି ଥିଲେ। ଜିଲ୍ଲା ପ୍ରଶାସନ ମହିଳାମାନଙ୍କ ଦାବୀରେ ବାଧ୍ୟ ହୋଇ ଗତ ଗୁରବାର ୨୯ ତାରିଖ ଦିନ ଭବାନୀପାଟଣା ସଦର ଅବକାରୀ ଅଫିସର ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହ ଆସି ଦେଶୀ ଓ ବିଦେଶୀ ମଦଭାଟି ସ୍ଥାନାନ୍ତରିତ କରାଯିବ ବୋଲି ଘୋଷଣା କରିଥିବା ଜଣାପଡିଛି। ଦୀର୍ଘ ୧୧୦ ବର୍ଷ ଧରି ସେଠାରେ ଚାଲିଥିବା ଏହି ମଦଭାଟି ବନ୍ଦ କରାଯିବାକୁ ଘୋଷଣା ହେବା ପରେ ମହିଳା ମହାସଂଘ ଏହି ଦିନଟିକୁ ବିଜୟ ଦିବସ ରୂପେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିବା ପ୍ରକାଶ। ଏହି ଟଣାରୁ ଜିଲ୍ଲାର ଅନ୍ୟାନ୍ୟ ଅଂଚଳର ମହିଳା ମାନଙ୍କ ପାଇଁ ମଦ ବିରୋଧି ଅଭିଯାନ ଚଳାଇବା ପାଇଁ ଏକ ପ୍ରକାର ଉତ୍ସାହ ମିଳିଥିବା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *