କଳାହାଣ୍ଡିକୁ ପୁଣି ଅବହେଳା… ଓଡ଼ିଆ ବିଶ୍ୱବିଦ୍ୟାଳୟ ଦାବି ବିଚାରକୁ ନେଲେନି ସରକାର

ଭବାନୀପାଟଣା, ୩୧/୦୭ (ଓଡ଼ିଆ ପୁଅ): ବର୍ଷ ବର୍ଷ ଧରି ଅବହେଳା କରି ଆସିବା ଓ ଜିଲ୍ଲାବାସୀଙ୍କ ପ୍ରତ୍ୟେକଟି ନ୍ୟାଯ୍ୟ ଦାବିକୁ ଟାଳିବା ସତେ ଯେମିତି ରାଜ୍ୟ ସରକାରଙ୍କର ଏକ ଅଭ୍ୟାସ ହୋଇଯାଇଛି। ଲାଗୁଛି କଳାହାଣ୍ଡି ଯେମିତି ଓଡ଼ିଶାରେ ନାହିଁ। ଜିଲ୍ଲାର ୨୦ ଲକ୍ଷ ଲୋକଙ୍କ କିଛି ଗୁରୁତ୍ୱ ନାହିଁ ରାଜ୍ୟ ସରକାର ପାଖରେ। ଜିଲ୍ଲାର ରେକର୍ଡ୍ ପରିମାଣର ଅବକାରୀ ରାଜସ୍ୱ, ଇନ୍ଦ୍ରାବତୀଠାରୁ ଉତ୍ପନ୍ନ ବିଦ୍ୟୁତ୍, ସଡ଼କ ପରିବହନରୁ ଲକ୍ଷ ଲକ୍ଷ ଟଙ୍କାର ଆୟ, ଖଣି ରାଜସ୍ୱ, ସର୍ବୋପରି ସର୍ବାଧିକ ଧାନ ଉତ୍ପାଦନ କରି ଅଧିକାଂଶ ରାଜ୍ୟବାସୀଙ୍କ ପେଟକୁ ଦାନା ଯୋଗାଉଥିବା କଳାହାଣ୍ଡି ଆଜି ବି ରାଜ୍ୟ ସରକାର ପାଇଁ ହୋଇ ରହିଛି ଅଲୋଡ଼ା, ଅଖୋଜା ଆଉ ଚିର ଅସ୍ପୃଶ୍ୟ। ଏଥିଯୋଗୁଁ କେବଳ ପଶ୍ଚିମାଞ୍ଚଳ ନୁହେଁ କଳାହାଣ୍ଡିରେ ବି ଧିରେଧିରେ ଆଞ୍ଚଳିକତା ମୁଣ୍ଡ ଟେକୁଛି। ରାଜ୍ୟ ସରକାର ହିଁ ଏଇ ଆଞ୍ଚଳିକ ବିଭେଦତାର କାରଣ ସାଜିଛନ୍ତି। ପୂର୍ବରୁ ରେଳ ୱାଗନ୍ କାରଖାନା ସ୍ଥାନାନ୍ତର, ଜାରିଂ ମେଡ଼ିକାଲ କଲେଜକୁ ତଳିତଳାନ୍ତ କରି ଜିଲ୍ଲାବାସୀଙ୍କୁ ହତାଦର କରିଥିବା ରାଜ୍ୟ ସରକାର ଏବେ ପୁଣିଥରେ ସେଇ ସମାନ ଝଟକା ଦେଇଛନ୍ତି। ତେବେ ଏଇ ଝଟକା ଜିଲ୍ଲାର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି।

ଏହାକୁ ନେଇ ସାରା ଜିଲ୍ଲାରେ ବିରୋଧାଭାସ ପ୍ରକାଶ ପାଇଥିବାବେଳେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମୁହଁ ନଖୋଲିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏପରିକି ନିଜ ରାଜନୈତିକ ମୁନିବଙ୍କ କୋପଦୃଷ୍ଟିର ଶିକାର ନହେବାକୁ ସେମାନେ ଜିଲ୍ଲାବାସୀଙ୍କ ହକ୍ ପ୍ରତି ସୁଦ୍ଧା ନଜରଅନ୍ଦାଜ କରି ଦେଉଥିବା ଜିଲ୍ଲାରେ ଆଲୋଚନା ହେଉଛି। ସୂଚନା ଅନୁଯାୟୀ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ରାଜ୍ୟ ସରକାର ଏ ଦିଗରେ ଉତ୍ସାହିତ ହୋଇ ବିଭିନ୍ନ ପଦକ୍ଷେପ ନେବା ସହିତ ରାଜ୍ୟ ସଂସ୍କୃତି ବିଭାଗର ନାମ ପରିବର୍ତ୍ତନ କରି ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ନାମରେ ନାମିତ କରିବା ସହ ଏକ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ରାଜ୍ୟର ସବୁ ଜିଲ୍ଲାଠାରୁ ଅଧିକ ଓଡ଼ିଆ ବ୍ୟବହାର ହେଉଥିବା ଜିଲ୍ଲା କଳାହାଣ୍ଡିରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି ଉଠିଥିଲା। ଏଥିପାଇଁ ଜିଲ୍ଲାର ଅଗ୍ରଣୀ ଲେଖକ ଓ ବୁଦ୍ଧିଜୀବୀ ସଂଗଠନ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ତଥା ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ଲେଖି ଦାବି ସଂପର୍କରେ ଅବଗତ କରାଯାଇଥିଲା। ଏପରିକି ଦେଶରେ ରାଜଧାନୀଠାରୁ ଦୂରରେ ଥିବା ଏପରି କେତେକ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଯୁବ ଲେଖକ ସମାବେଶ। ତେବେ ଜିଲ୍ଲାବାସୀଙ୍କ ଏହି ଦାବିକୁ ସରକାର ବିଚାରକୁ ନେବା ତ ଦୂରର କଥା, ପତ୍ରର ପ୍ରାପ୍ତି ସ୍ୱୀକାର ମଧ୍ୟ କଲେ ନାହିଁ।

ଏବେ ସରକାର ପୁରୀ ଜିଲ୍ଲାର ସତ୍ୟବାଦୀରେ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସତ୍ୟବାଦୀ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାବେଳେ ଉତ୍କଳମଣି ଗୋପବନ୍ଧୁଙ୍କ ସ୍ମୃତି ବିଜଡ଼ିତ ଏହି ସ୍ଥାନର ସୁରକ୍ଷା କେବଳ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଦ୍ୱାରା କରାଯାଇ ପାରିବ ନାହିଁ। ଶାନ୍ତିନିକେତନ ସମୟରେ ଏଠାରେ ଥିବା ବକୁଳ ବନବିଦ୍ୟାଳୟକୁ ପୁନରୁଦ୍ଧାର କରି ଏହାକୁ ଏକ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନର ମାନ୍ୟତା ଦିଆଯିବା ଉଚିତ। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସ୍ମୃତି ରକ୍ଷା ପାଇଁ ନିଆଯାଉଥିବା ଭଳି ପଦକ୍ଷେପ ଓ ଅନୁଦାନ ସତ୍ୟବାଦୀକୁ ମଧ୍ୟ ପ୍ରଦାନ କରାଯାଉ। ଗୋପବନ୍ଧୁଙ୍କ ତ୍ୟାଗ ଓ ବଳିଦାନକୁ ସଜୀବ ରଖାଯିବାକୁ ସରକାର ଯେତେ ପଦକ୍ଷେପ ନେଲେ ମଧ୍ୟ କମ୍ ହେବ। ଏଣୁ ସେଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ବଦଳରେ କୌଣସି ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନ ଖୋଲିବାକୁ ପ୍ରଯତ୍ନ କରାଯାଉ ଏବଂ କଳାହାଣ୍ଡିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉ। ଏ ଦିଗରେ ରାଜ୍ୟ ସରକାର କଳାହାଣ୍ଡିବାସୀଙ୍କ ଦାବିକୁ ପୁନଃବିଚାର କରିବାକୁ କଳାହାଣ୍ଡି ଯୁବ ଲେଖକ ସମାବେଶ ତଥା ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ହେଉଛି। ଏନେଇ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ଜାରି କରାଯିବା ସହ ଜିଲ୍ଲାବାସୀଙ୍କ ଦାବି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *