ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟରେ ବିଭିନ୍ନ ସ୍ତରରେ ଥିବା କଳାକାରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାରଙ୍କୁ ସାମିଲ କରିବାକୁ ଉଦ୍ରମ ଆରମ୍ଭ ହୋିଛି। ସେଥି ପାଇଁ କଳାକାରମାନଙ୍କୁ ନିର୍ଦ୍ଧିଷ୍ଟ ଫର୍ମରେ ଆବେଦନ କରିବାକୁ କୁହାଯାଇଛି। ଯୋଗ୍ୟ କଳାକାରମାନଙ୍କୁ ମାସିକ ୧୨ଶହ ଟଙ୍କାର ଭତ୍ତା ପ୍ରଦାନ କରାଯିବ। ଜୁନମାସ ୧୬ତାରିଖ ଆବେଦନର ଶେଷ ତାରିଖ ଥିବାବେଳେ, ଏହାକୁ ଚଳିତ ମାସ ୧୬ତିାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କୋର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ତେବେ ୩୦ତାରିଖ ସୁଦ୍ଧା ଭଦ୍ରକ ଜିଲ୍ଲାର ସମସ୍ତ ୭ଟି ବ୍ଳକରୁ ମୋଟ ୯୦୩ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ। କିନ୍ତୁ ଆବେଦନ ସୀମା ବଢ଼ିବା ପରେ ଏହି ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ବର୍ତ୍ତମାନ ପ୍ରତ୍ରେକ ଦିନ ପ୍ରାୟ ୨୦ରୁ ୨୫ ବ୍ୟକ୍ତି ଆବେଦନ ଫର୍ମ ସହ ବିଭାଗୀୟ କାର୍ଯ୍ୟାଳୟରେ ଲାଇନ ଲଗାଉଛନ୍ତି। ତେବେ ନିର୍ଦ୍ଧାରିତ ତାରିଖ ବେଳକୁ ଆବେଦନକାରୀଙ୍କ ସଂଖ୍ୟା ୧୫ଶହ ଟପିବ ବୋଲି ଜିଲ୍ଲା ସଂସ୍କୃତି ବିଭାଗର ଭାରପ୍ରାପ୍ତ ଅଧିକାରୀ ଗୋଲଖଚନ୍ଦ୍ର ବେହେରା ଅନୁମାନ କରିଛନ୍ତି। ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଭଦ୍ରକ ଜିଲ୍ଲାରେ ମୋଟ ୨୩୦ଜଣ କଳାକାର ସରକାରୀ ଭତ୍ତା ପାଉଥିଲେ। ସେମାନଙ୍କ ମଧ୍ୟରୁ ୨୨୦ଜଣ ପୁରୁଷ ଓ ୧୦ଜଣ ମହିଳା ପେନସନ ପାଉଥିଲେ। ସେମାନଙ୍କ ମଧ୍ୟରେ ଘୋଡ଼ାନାଚ, ମୋଗଲତାମସା ଓ ସଂକୀର୍ତ୍ତନ ଦଳର କଳାକାର ଅର୍ନ୍ତଭୂକ୍ତ। ବିଭିନ୍ନବ୍ଲକରେ ଥିବା ବ୍ଳକ କଳା ସଂସ୍କୃତି ସଂଘ ମାଧ୍ୟମରେ ସରକାରଙ୍କର ବହୁ ସଚେତନତାମୂଳକ କାର୍ଯ୍ୟକ୍ରମରେ ଏସମସ୍ତ କଳାକାରଙ୍କୁ ନିୟୋଜିତ କରାଯାଉଥିଲା। ହେଲେ ବହୁ କଳାକାର ଆଜିବି ଭତ୍ତା ନପାଇ ଦୁସ୍ଥ ଜୀବନ ଅତିବାହିତ କରୁଥିବାର ଅଭିଯୋଗ ଅତୀତରେ ବାରମ୍ବାର ହୋଇ ଆସୁଥିଲା। ତେବେ ରାଜ୍ୟ ସରକାର ବାଦ ପଡ଼ିଥିବା କଳାକାରଙ୍କୁ ଚିହ୍ନଟ କରି ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଜିଲ୍ଲା ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କଳାକାରଙ୍କ ଭତ୍ତା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ବିଗତ ଦିନମାନଙ୍କରେ କର୍ମକ୍ଲାନ୍ତ ମଣିଷକୁ ଅବସର ବିନୋଦନର ଖୋରାକ ଯୋଗାଇ ଆସିଥିବା ବହୁ କଳାକାର ଆଜି ପର୍ଯ୍ୟନ୍ତ ପେନସନ ନପାଇ ଦୁଃସ୍ଥ ଜୀବନ ଅତିବାହିତ କରୁଛନ୍ତି। ତତ୍କାଳୀନ ଯାତ୍ରାଜଗତର ବଳିଷ୍ଠ କଳାକାର ଖଗେନ୍ଦ୍ର ନାୟକଙ୍କୁ ବିଳମ୍ବରେ ହେଲେ ମଧ୍ୟ ଭତ୍ତା ମିଳୁଛି। ରତିକାନ୍ତ ନାଥ, ଅମୂଲ୍ୟରତ୍ନ ସାହୁ, ରମାକାନ୍ତ ନାଥ, ବିଶ୍ୱନାଥ ନାୟ. ନରେନ୍ଦ୍ର ପ୍ରସାଦ ଦିକ୍ଷିତ, ରମାକାନ୍ତ ନାୟକଙ୍କ ପରି ବହୁ କଳାକାର ଆଜି ମଧ୍ୟ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି। ସେମାନେ ଅତୀତରେ ଗୋଟାଇଥିବା ବହୁ ମାନପତ୍ର, ପ୍ରଶଂସାପତ୍ର ଓ ଲୋକଙ୍କ ପ୍ରଶଂସା ଆଜି ସେମାନେଙ୍କ ପାଇଁ ମୂଲ୍ୟହୀନ ସାବ୍ୟବସ୍ତ ହୋଇଛି। ସେମାନେ ନିଜର ପରିଣତ ବୟସରେ ଏବେ ଦିନମଜୁରିଆ ସାଜିଛନ୍ତି। ଏହିପରି କେତେକ ଯୋଗ୍ୟ ଓ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା କଳାକାରଙ୍କୁ ଆର୍ଥୀକ ସହାୟତା ପାଇଁ ସରକାର ବର୍ତ୍ତମାନର ଯୋଜନା ଆରମ୍ଭ କରିଥିବାବେଳେ, ସରକାରଙ୍କ ଏହି ନୂତନ ଯୋଜନାରୁ ଫାଇଦା ନେବାକୁ ବହୁ ବ୍ୟକ୍ତି ଏବେ ସକ୍ରିୟ ହୋଇ ପଡ଼ିଥିବା ଓ ସେମାନଙ୍କୁ କେତେକ ଦଲାଲ ସହଯୋଗର ହାତ ବଢ଼ାଉଥିବା ଲକ୍ଷ୍ୟ କରାଯାଉଛି। କଳାକାର ଭାବେ ଯେଉଁମାନଙ୍କୁ କେହି କେବେ ଦେଖି ନାହାନ୍ତି, ସେମାନଙ୍କୁ ଏବେ ଦେଖିବାକୁ ମିଳୁଛଝି ଆବେଦନ ଫର୍ମ ସହ। ବିଭିନ୍ନ ଅନୁଷ୍ଠାନମାନଙ୍କରୁ ଜାଲ ପ୍ରମାଣ ଓ ପ୍ରଶଂସାପତ୍ର ଧରି ନିଜକୁ ଅସଲି କଳାକାରର ସ୍ୱୀକୃତୀ ପାଇବାକୁ ସେମାନେ ଏବେ ଉଦ୍ୟମ ଚଳାଇଛନ୍ତି। ଏହା ବ୍ୟତୀତ ରାଜନୈତିକ ଚାପ ପ୍ରୟୋଗ କରି ନିଜକୁ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନାରେ ସାମିଲ ହେବାକୁ ସେମାନେ ରିତିମତ ଉଦ୍ୟମ ଚଳାଇଛନ୍ତି। ତେଣୁ ନକଲି କଳାକାରମାନେ ଏହି ଯୋଜନା ପାଇଁ ଆବେଦନ କରିବା କାରଣରୁ ଅସଲି କଳାକାରମାନେ ଏହି ଯୋଜନାରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ କଳା ଉପରେ ସାମାନ୍ୟତମ ଜ୍ଞାନ ନଥିବା ବହୁ ବ୍ୟକ୍ତିବିଶେଷ ଏହି ଯୋଜନାରେ ସାମିଲ ହେବାକୁ ଆବେଦନପତ୍ର ଦାଖଲ କରୁଥିବା ସ୍ୱୀକାର କରିଛନ୍ତି ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ବେହେରା ଓ ଜିଲ୍ଲା ଲୋକ ସମ୍ପର୍କ ବିଭାଗର ବରିଷ୍ଠ ସହାୟକ ତାପସ କୁମାର ନାୟକ। କିନ୍ତୁ ଯାଞ୍ଚ ସମୟରେ ସମସ୍ତ ପ୍ରକାର ସ୍ୱଛତା ରକ୍ଷା କରାଯିବ ବୋଲି କହିଛନ୍ତି ସଂସ୍କୃତି ଅଧିକାରୀ ଶ୍ରୀ ବେହେରା।
