କଳମଛୁଇଁରେ ରଥଯାତ୍ରା ପାଳିତ

ତାଳଚେର, ୧୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସୁସଜ୍ଜିତ ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପହଣ୍ଡି ବିଜେ କରା ଯାଇଥିଲା। ବରିଷ୍ଠ ଶିକ୍ଷାବିତ୍ ଜଗନ୍ ମୋହନ ଗଡ଼ନାୟକ ରଥରେ ଛେରାପହଁରା କାର୍ଯ୍ୟ କରିଥିଲେ। ଅପରାହ୍ନ ୪ଟା ବେଳେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ତ୍ପୁରୁଣାସାହି, ବୁଢାବୁରୀ ସାହି ସଂକୀର୍ତନ ଦଳ ନାମ ପରିବେଷଣ କରିଥିଲେ। ଭକ୍ତ ମାନଙ୍କର ହରିବୋଲ, ହୁଳୁହୁଳି ଶବ୍ଦରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା। ବର୍ଷା ସତ୍ୱେ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୁତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ରଥ ମାଉସୀ ମା ମନ୍ଦିରରେ ସୁରୁଖୁରୁରେ ପହଂଚି ଯାଇଥିଲା। ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରଥଟଣାରେ ଭାଗ ନେଇଥିଲେ। ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ୍ ବାହିନୀ ଉପସ୍ଥିତ ଥିଲେ। ସେହିପରି ସୋଲଡା, ଜାମୁବାହାଳୀ, ଗୋପାଳପ୍ରସାଦ, ହାଣ୍ଡିଧୂଆ ଆଦି ଗ୍ରାମରେ ରଥଯାତ୍ରା ବହୁ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *