କଳମଛୁଇଁରେ ବିଏସଏନଏଲ୍ ସେବା ବ୍ୟାହତ

ତାଳଚେର, ୩୦/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତରେ ବିଏସ୍ଏନ୍ଏଲ୍ ସେବା ଗତ ଚାରି ଦିନ ଧରି ଠପ୍ ହୋଇଯାଇଛି। ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଅନୁଗୋଳ ଓ ଗୋପାଳପ୍ରସାଦ ଠାରେ କେବୁଲ କଟିଯିବାରୁ କଳମଛୁଇଁ, ମଝୀକା, ସୋଲଡା, ନାଥଗାଁ, ନତଡା, ଆମ୍ବପାଳ ପ୍ରଭୃତି ଗ୍ରାମର ଶତାଧିକ ଟେଲିଫୋନ ଅଚଳ ହୋଇପଡିଛି। ଏତଦ୍ ବ୍ୟତୀତ ବ୍ରଡବ୍ୟାଣ୍ଡ ସେବା ସଂପୂର୍ଣ୍ଣ ବ୍ୟାହତ ହୋଇଛି। ଯାହା ଫଳରେ ପଂଚାୟତ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ, କଲେଜ, ବ୍ୟାଙ୍କ ସହ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନଗୁଡିକ ଇଣ୍ଟରନେଟ୍ ସେବା ପାଇବାରୁ ବଂଚିତ ହୋଇଛନ୍ତି। ବ୍ୟାଙ୍କ ଗୁଡିକର ଲିଙ୍କ ନ ଥିବାରୁ ଗ୍ରାହକମାନେ ଆର୍ଥିକ ଦେଣନେଣ କରି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ତାଳଚେରସ୍ଥିତ ଏସଡିଓଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରିବାରୁ କାର୍ଯ୍ୟ ଚାଲିଛି ବୋଲି ଉତର ମିଳୁଛି। ତେଣୁ ତୁରନ୍ତ କେବୁଲ ସଂଯୋଗ କରି ବିଏସଏନଏଲ୍ ସେବା ଯୋଗାଇ ଦେବାକୁ ସର୍ବସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *