କଳମଛୁଇଁରେ ବାହୁଡ଼ା ଯାତ୍ରା ପାଳିତ

ତାଳଚେର, ୨୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ପବିତ୍ର ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବୈଷ୍ଣବ ଚନ୍ଦ୍ର ଶତପଥୀ, ରମେଶ ଚନ୍ଦ୍ର ମହାପାତ୍ର, ବଳରାମ ରଥ, ଶିଶିର କୁମାର ଦାସ ତିନି ଠାକୁରଙ୍କର ବିଧିପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଅପରାହ୍ନ ୪ଟା ବେଳେ ଶ୍ରୀଜିଉମାନଙ୍କୁ ଧାଡି ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା। ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକ ଛେରାପହଁରା କାର୍ଯ୍ୟ କରିଥିଲେ। ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମହିଳା ଭକ୍ତମାନେ ରଥ ଟାଣିଥିଲେ। ବଡଦାଣ୍ଡ ସାହି, ପୁରୁଣା ସାହି ପ୍ରଭୃତି ଗ୍ରାମର ନାମ ସଂକୀର୍ତନମଣ୍ଡଳୀ ଯୋଗ ଦେଇ ସଂକୀର୍ତନ ପରିବେଷଣ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ହରିବୋଲ, ହୁଳହୁଳି ଧ୍ୱନି ସହ ଜୟ ଜଗନ୍ନାଥ ଡାକରେ ସମଗ୍ର ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟା ସୁଦ୍ଧା ରଥ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଥିଲା। ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ କ୍ଷୀରି, ଖେଚୁଡି ଇତ୍ୟାଦି ଭୋଗର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରଥଯାତ୍ରା ପରିଚାଳନା କମିଟିର ସଭାପତି ବୀରବର ପ୍ରଧାନ, ସମ୍ପାଦକ ରାଘବ ଚନ୍ଦ୍ର ପ୍ରଧାନ, କାଠି ମହାନ୍ତି, ମଧୂସୂଦନ ମହାରଣା, ସୁବ୍ରତ ପ୍ରଧାନ, ଫକୀର ମୋହନ ସାହୁ ପ୍ରମୁଖଙ୍କ ସହ କଳମଛୁଇଁ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସେହିପରି ସୋଲଡା, ଗୋପାଳପ୍ରସାଦ, ଏଫ୍.ସି.ଆଇ, ଜାମୁବାହାଳୀ, ସାଉଥବଲଣ୍ଡା ସ୍ଥିତ ଶକ୍ତି ଶ୍ରୀକ୍ଷେତ୍ର, ହାଣ୍ଡିଧୂଆରେ ମଧ୍ୟ ବାହୁଡାଯାତ୍ରା ଆନନ୍ଦଉଲ୍ଲାସର ସହ ପାଳନ କରାଯାଇଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *