କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଦଣ୍ଡିତ

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜନୈକା କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଆଜି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମହଲତ ସା’ ସମସ୍ତ ସାକ୍ଷ୍ୟ ପ୍ରମାଣ ମୂଳେ ବିଭିନ୍ନ ଦଫାରେ ଏକ ବର୍ଷ ଏକ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଖବରରୁ ପ୍ରକାଶ ଗତ ୨୦୦୮ ମସିହା ନଭେମ୍ବର ୧୦ ତାରିଖ ଦିନ ସକାଳ ୭ଟା ସମୟରେ ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ ବରଂପୁର ଗ୍ରାମର ଜଣେ ୨ୟ ବର୍ଷ ବିଜ୍ଞାନର ଛାତ୍ରୀଙ୍କୁ ଟ୍ୟୁସନ ଯିବା ରାସ୍ତାରେ ସେହି ଗ୍ରାମର ଜଗନ୍ନାଥ ନାୟକଙ୍କ ପୁତ୍ର ରଘୁନାଥ ବିଭିନ୍ନ ଅଶାଳୀନ ଓ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲା। ଏହି ଘଟଣାରେ ସଂପୃକ୍ତ ଛାତ୍ରୀ ସହାୟତା ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଂଚିବା ବେଳକୁ ରଘୁନାଥ ସେ ସ୍ଥାନ ଛାଡି ପଳାଇଯାଇଥିଲା। ଏହି ଘଟଣାରେ ଛାତ୍ରୀ ଜଣକ ଆଗରପଡା ଥାନାରେ କେଶ୍ ନଂ ୮୩/୦୮ ମୂଳେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରି ମୁଦାଲା ରଘୁନାଥଙ୍କ ନାମରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ଯାହା ଜି.ଆର. ୧୭୭୯/୦୮ ମୂଳେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସା’ ବିଚାର କରି ଆଜି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମକଦ୍ଦମାଟିକୁ ସରକାରଙ୍କ ପକ୍ଷରୁ ଆଡିସ୍ନାଲ ପବ୍ଲିକ୍ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *