ଓଡ଼ିଶା

କର୍ଲାପାଟ ଅଭୟାରଣ୍ୟ ଅସୁରକ୍ଷିତ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ଅଭିଯୋଗ

କଳାହାଣ୍ଡି -୨୩ ମଇ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ବିଷୁବ ମଣ୍ଡଳୀୟ ପୂର୍ବଘାଟ ପର୍ବତମାଳାର ଅରଣ୍ୟର ଅଂଶ ବିଶେଷ କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ୧୭୫ ବର୍ଗ କି.ମି. ପରିବ୍ୟାପ୍ତ। ଏହି କର୍ଲାପାଟ ଜଙ୍ଗଲ ମଧ୍ୟରେ ପୋଡୁଚାଷ ଯୋଗୁଁ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ ମାଓବାଦୀ ଭୟରେ ଜଙ୍ଗଲ ସୁରକ୍ଷା ପ୍ରତି ଅଣଦେଖା କରୁଥିବା ଏବଂ ଦାୟୀତ୍ୱରେ ଅବହେଲା କରିବା ସହ ସେସବୁ ଅଭିଯୋଗରୁ ମୁକୁଳିବା ପାଇଁ ପରୋକ୍ଷରେ ନିଅାଁ ଲଗାଇଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଜଙ୍ଗଲରେ ନିଅାଁ ଲାଗିବା ଫଳରେ ବନ୍ୟଜନ୍ତୁ, ଔଷଧିୟ ବୃକ୍ଷ, ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ୍ୟବାନ ବୃକ୍ଷ ସବୁ ନଷ୍ଟ ହେବାରେ ଲାଗିଛି।

ଏହି କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥୁଆମୂଲ ରାମପୁର ବ୍ଲକ କର୍ଲାପାଟ ପଂଚାୟତର ପରମଂଜି, ବଣ୍ଡେଲଗୁଡା, କିଆପଦର, ଡାଲଗୁମା, ବଡଟିକ୍ରାଗୁଡା, କର୍ଲାପାଟ, ଭେଜିଗୁଡା, ଅମଠାଗୁଡା, କୁକୁରଭୂର୍ଷି, ଲାଇନଗୁଡ, ସାପମୁଣ୍ଡି ଆଦି ଅନେକ ଗାଁ ରହିଛି। ସେହିଭଲି ଭବାନୀପାଟଣା ସଦର ବ୍ଲକ ର ଶଗଡା ଗ୍ରାମପଂଚାୟତର ଶଗଡା, ଡାଲଗୁମା, ଖଙ୍ଗାରଗୁଡା, ରାକେଶତୁଣ୍ଡା, ନାଗଝୁରି, କାଦୋପଦର, ପରଲଙ୍ଗ, ବରାଖୋଜ, ଡାକିବଣ୍ଡେଲ, ପଏରାମାଲ, ଭୋଇଗୁଡା, ଖରବାହାଲି, କିଟପଦର, ଲାବଣସୁର, ଉଡଋଙ୍ଗ, ଓଲବାହାଲି, କାଶୀପଦର, ଆମବଲସା, ସର୍ଗିଚୁଆଁ, କିଟେନପଦର, ଲେଲେଙ୍ଗପଦର, ମୁଖାଗୁଡା, ଜାଖମ, ମେରକୂଳ, ଆମେଯାର, ବନ୍ଦକିର, ରାଜୁଗୁଡା ପ୍ରଭୃତି ଗାଁ ଏହି କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ରହିିଥିବା ଜଣାପଡିଛି। ଏସବୁ ଗ୍ରାମର ଅଧିବାସୀମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ, ପୋଡୁଚାଷ ଓ ପଶୁପାଳନ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଅଭୟାରଣ୍ୟ ଭିତରେ ସ୍ଥାନୀୟ ଅଧିବାସୀ ମାନେ ନିଜର ଜୀବିକା ଚଳାଇବା ପାଇଁ ବାଧ୍ୟ ହୋଇ ପୋଡୁଚାଷ ପାଇଁ ଏକର ଏକର ଜଙ୍ଗଲ କଟାଯାଇ ଚାଷୋପେଯାଗୀ କରୁଥିବା ଜଣାପଡିଛି। ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ମଧ୍ୟ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି। ସରକାର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ବୃଦ୍ଧି କରୁଥିବା କହୁଥିଲେହେଁ ସେସବୁ କେବଳ ନାମକୁ ମାତ୍ର ବୋଲି ଅଭିଯୋଗ ହେଉଛି।

ବିଗତ ୨୦୧୫-୧୬ ମସିହା ଠାରୁ କର୍ଲାପାଟ ଅଭୟାରଣ୍ୟ ଅଂଚଳରେ ଥିବା ଜଙ୍ଗଳରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଜଙ୍ଗଲ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ବନ୍ୟ ପଶୁପକ୍ଷୀ ମାନଙ୍କ ସୁରକ୍ଷା ଆଦି ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ କାର୍ଯ୍ୟ ସଂପାଦିତ ହୋଇଥିଲେହେଁ ବିଭାଗୀୟ ଅବହେଲା ଯୋଗୁଁ ସେସବୁ ନଷ୍ଟ ହେବାକୁ ବସିଲାଣି। ଅନ୍ୟ ପକ୍ଷରେ ଓଡିଶା ଫରେଷ୍ଟ ଫାୟାର ପ୍ରୋଟେକ୍ସନ ରୁଲ ୧୯୭୯ କାର୍ଯ୍ୟକାରୀ କ୍ଷେତ୍ରରେ ବିଭାଗୀୟ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଦୁର୍ବଳତା ଯୋଗୁଁ ଫରେଷ୍ଟ ମାନେଜମେଂଟରେ କୁପରିଚାଲନା, ବନବାସୀଙ୍କୁ ସଚେତନତା କରିବାରେ ଅବହେଲା ଆଦି ଅନେକ ଅନିୟମିତତା ଯୋଗୁଁ ଅଭୟାରଣ୍ୟ ଧ୍ୱଂସ ହେବାକୁ ବସିଲାଣି। ଅନିକ ସମୟରେ କାଠ ମାଫିଆଙ୍କ ସହିତ ଜଙ୍ଗଲ ବିଭାଗ ଅଧରକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମଧୟ ଜଙ୍ଗଲ ଧ୍ୱଂସ ହେଉଥିବା ଅବିଯୋଗ ହେଉଛି। ସଂରକ୍ଷିତ, ପ୍ରସ୍ତାବିତ ସଂରକ୍ଷିତ, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଜିଲ୍ଲାର ଉତର ଓ ଦକ୍ଷିଣ ବନଖଣ୍ଡରେ ବର୍ଷକୁ କୋଟି କୋଟି ଟଙ୍କା ଏଫଡିଏ, କାମ୍ପା, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯାଉଛି। ବିଭାଗୀୟ ଅଧରକାରୀଙ୍କ ଲାଭଖୋର ମନୋବୃତି ଯୋଗୁଁ ଜଙ୍ଗଲ ସୁରକ୍ଷା ବଦଳରେ ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାକୁ ବସିଲାଣି। ସରକାରଙ୍କ ଜଙ୍ଗଲ ସୁରକ୍ଷା ଅଭିଯାନ କେବଳ କାଗଜ କଲମରେ ଚାଲିଥିବା ବେଳେ କର୍ଲାପାଟ ଅଭୟାରଣ୍ୟ କଳାହାଣ୍ଡି ଭୂଗୋଳରୁ ଉଭାନ ହୋଇଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ। କର୍ଲାପାଟ ଅଭୟାରଣ୍ୟ ଅଂଚଳରେ ହୋଇଥିବା କାର୍ଯ୍ୟ ସବୁର ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top