ପୁରୀ, ୨୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନ କରିଛି ଶ୍ରୀକ୍ଷେତ୍ର ଜନସ୍ୱାସ୍ଥ୍ୟ ଶ୍ରମିକ ସଂଘ। ଏହି ଅବସରରେ ପୂର୍ବାହ୍ନରେ ପିଏଚଡି ଅଫିସ ନିକଟକୁ କର୍ମଚାରୀଙ୍କର ଶୋଭାଯାତ୍ରା ବହାରୀ ଷ୍ଟେସନ, ଭିଆପି ରୋଡ, ଟାଉନ ହଲ ଛକ ଦେଇ କଚେରୀ ନିକଟରେ ପହଁଚିଥିଲା। ଶୋଭାଯାତ୍ରା କଚେରୀ ନିକଟରେ ପହଁଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରୀକ୍ଷେତ୍ର ଜନ ସ୍ୱାସ୍ଥ ଶ୍ରମିକ ସଂଘ ଓ ଓଡିଶା ଜଳଯୋଗାଣ ପରିମଳ କର୍ମଚାରୀ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା। ସଂଘର ଶତାଧିକ କର୍ମଚାରୀ ରାସ୍ତାରେ ବିଭିନ୍ନ ସ୍ଲୋଗାନ ଦେଇ କଚେରୀ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଦୀର୍ଗ ୨୪ ବର୍ଷରୁ ଉଦ୍ଧ୍ୱ ସମୟ ହେବସ୍ଥାୟୀ ଭାବେ କାର୍ଯ୍ୟ କରିଥିବା ଅସ୍ଥାୟୀ କର୍ମଚାରୀ ମାନେ ସେମାନଙ୍କର ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି। ୨୦୦୯ ମସିହାରୁ ୱାର୍କ ଚାର୍ଜ ପଦବୀରେ କାର୍ଯ୍ୟ କରି ଥିବାରୁ ସେମାନଙ୍କ ସ୍ଥାୟିତ୍ୱ ସହ ପେନସନଭୁକ୍ତ କରିବା ପାଇଁ ଦାବି ହୋଇଛି। ଆଉଟ ସୋରସିଂ ଜରିଆରେ ଯେଉଁ କାର୍ଯ୍ୟ କରାଯାଉଛି ତାହାକୁ ତୁରନ୍ତ ବନ୍ଦ କରିବାକୁ ଶ୍ରମିକ ମାନେ ଦାବି କରିଛନ୍ତି। ସେମାନଙ୍କର ନ୍ୟାର୍ଯ୍ୟ ଦାବି ଗୁଡିକ ପୂରଣ ନହେଲେ ସମଗ୍ର ରାଜ୍ୟରେ ଜଳଯୋଗାଣକୁ ବନ୍ଦ କରି ଦିଆଯିବ। ସରକାର ସେମାନଙ୍କ କଥା ନ ଶୁଣିଲେ ମାର୍ଚ୍ଚ ୧୪ ରୁ ଲୋୟର ପିଏମଜି ରେ କାର୍ଯ୍ୟ ବନ୍ଦ କରାଯାଇ ଗଣଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି।
