ଓଡ଼ିଶା

କର୍ଣ୍ଣାଟକରେ ଓଡିଆ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କର୍ଣ୍ଣାଟକର ଗଭୀର ସମୁଦ୍ରରେ ମାଛ ମାରୁଥିବାବେଳେ ବୋଟରୁ ଖସିପଡି ଜଣେ ଓଡ଼ିଆ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଯାଇଛି। ଏପଟେ ସ୍ୱାମୀକୁ ହରାଇ ସ୍ତ୍ରୀ ଏକା ହୋଇଯାଇଥିବାବେଳେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି। ଏଭଳି ଏକ ଦୁଃଖଦ ଘଟଣା ବାସୁଦେବପୁର ଥାନା ସୁଦର୍ଶନପୁର ସୁଆଁ ଗ୍ରାମରେ ଘଟିଛି। ସଦାନନ୍ଦ ମଳିକଙ୍କ ପୁଅ ବୁଦ୍ଧିରାମ(୩୭) ଗଭୀର ସମୁଦ୍ର ଭିତରେ ପ୍ରାଣ ହରାଇଥିବା ଖବର ମିଳିଛି। ବୁଦ୍ଧିରାମ ମଳିକ ୬ ମାସ ତଳେ କର୍ଣ୍ଣାଟକର ଉଡୁି ଜିଲା ମାଲପେ ଥାନା ଅଞ୍ଚଳରେ ପିଙ୍କି ନାମକ ବୋଟରେ ମତ୍ସ୍ୟଜୀବୀ ଭାବେ କାମ କରୁଥିଲା। ମାଲପେ ମୁହାଣରୁ ସାଥୀଙ୍କ ସହ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଗତ ୨୩ ତାରିଖ ସକାଳେ ସମୁଦ୍ରର କାରୁଆ ଅଞ୍ଚଳରେ ବୁଦ୍ଧିରାମ ବୋଟରେ ଶୌଚ ହେଉଥିଲା। ଏହି ସମୟରେ ହାତରେ ଧରିଥିବା ଦଉଡିଟି ଖସି ଯିବାରୁ ସେ ସମୁଦ୍ରରେ ପଡି ଯାଇଥିଲା। ଏହି ଘଟଣା ଦେଖି ପାଖରେ ଥିବା ଅନ୍ୟ ସାଥୀମାନେ ଡାକ ପକାଇଥିଲେ। ବୋଟିଟି ବୁଲି ବୁଦ୍ଧିରାମକୁ ଉଠାଇବା ପୂର୍ବରୁ ସ୍ରୋତରେ ବହୁ ଦୂରକୁ ସେ ଭାସି ଯାଇଥିଲା। ସଂଜ୍ଞାହୀନ ଅବସ୍ଥାରେ ତାକୁ ଉଦ୍ଧାର କରି ମାଲପେ ମୁହାଣକୁ ଆଣିବା ପରେ ବୋଟର ମାଲିକ ରମେଶ ଭୋଶଲେ ବୁଦ୍ଧିରାମକୁ କର୍ଣ୍ଣାଟକର ମଣିପାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତାର ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁଦାଣ୍ଡ। ସ୍ୱାମୀକୁ ହରାଇ ସ୍ତ୍ରୀ ଭୂଇଁରେ ଲୋଟି ପଡିବା ଦୃଶ୍ୟ ସଭିଁଙ୍କୁ ବ୍ୟଥିତ କରିଛି। ବେସାହାରା ହୋଇ ପଡିଥିବା ସ୍ତ୍ରୀକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top