କମ୍ପାନୀଙ୍କ ଉପରେ ବାକିପଡିଛି ୩ ହଜାର କୋଟି ଟଙ୍କାରୁ ଅଧିକ ଜଳ ଟିକସ: ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର ୨ ଜୁନ୍ (ଓଡ଼ିଆ ପୁଅ) ବ୍ୟବସାୟିକ ଉଦ୍ଦେଶ୍ୟରେ ବିଭିନ୍ନ ନଦୀରୁ ଜଳ ଶୋଷୁଛନ୍ତି ବହୁ ଶିଳ୍ପସଂସ୍ଥା। କିନ୍ତୁ ଏଥିପାଇଁ ବର୍ଷ ବର୍ଷ ଧରି ସେମାନେ ଟିକସ ଦେଉନାହାନ୍ତି। ସରକାରୀ ଅଧିକାରୀଙ୍କ ଅପାରଗତା ଓ ସରକାରଙ୍କ କମ୍ପାନୀ ପ୍ରିତୀ ନୀତି ଯୋଗୁଁ କମ୍ପାନୀଗୁଡିକ ଉପରେ ହଜାର ହଜାର କୋଟି ଟଙ୍କାର ଜଳ ଟିକସ ବାକି ପଡିଛି। ଯାହା ଫଳରେ ରାଜ୍ୟର ବ୍ୟାପକ ରାଜସ୍ୱ ହାନୀ ହେଉଛି। ଏହି ମାମଲା ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଂଚିଛି। କମିଶନ ଏହା ଉପରେ ଉଦବେଗ ପ୍ରକାଶ କରିବା ସହିତ ଏହି ପ୍ରସଙ୍ଗରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଚାରି ସପ୍ତାହ ମଧ୍ୟରେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୦ରୁ ୨୦୧୭ ମଧ୍ୟରେ ୨୮୭ଟି କମ୍ପାନୀ ଜଳ ଟିକସ ନ ଦେଇ ସରକାରଙ୍କୁ ଠକି ଚାଲିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। ୨୦୧୭ ସୁଦ୍ଧା ଏହି କମ୍ପାନୀଗୁଡିକ ଉପରେ ୩୪୦୦ କୋଟି ଟଙ୍କାରୁ ଅଧିକ ବାକି ପଡିଛି। ସୁଧ ହିସାବ କଲେ ଏହା ପାଖାପାଖି ୫ ହଜାର କୋଟିକୁ ଛୁଇଁବ। ଅଫିସର, ଇଂଜିନିୟର ଓ କମ୍ପାନୀ ଅଧିକାରୀଙ୍କ ଅସାଧୁ ମେଂଟ ଯୋଗୁଁ ଉଦ୍ଦେଶ୍ୟମୂଳକ ଭାବେ ଏହି ଅର୍ଥ ଆଦାୟ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ସରକାରୀ ତଥ୍ୟ ଅନୁସାରେ ନାଲକୋ (ଅନୁଗୁଳ) ଉପରେ ୬୫୫ କୋଟି, ଜୟପୁର ସେବା ପେପର ମିଲ୍ ଉପରେ ୪୪୩ କୋଟି, ଚୌଦାରରେ ଥିବା ବାଲାରପୁର ଇଣ୍ଡଷ୍ଟ୍ରି ଉପରେ ୨୫୫ କୋଟି, ଦକ୍ଷିଣ ପୂର୍ବ ରେଳବାଇ, ଝରସୁଗୁଡା ଉପରେ ୨୧୧ କୋଟି, ନାଲକୋ ଦାମନଯୋଡି ଉପରେ ୧୪୭ କୋଟି, ବ୍ରଜରାଜନଗର ଓରିଏଂଟ୍ ପେପର ମିଲ ଉପରେ ୧୨୯ କୋଟି, ଯୋଡା ଟାଟା ଷ୍ଟିଲ୍ ଉପରେ ୯୩ କୋଟି, ଶ୍ୟାମ ଡିଆରଆଇ ପ୍ରାଲି ଉପରେ ୬୨ କୋଟି, ଭୂଷଣ ଲିମିଟେଡ୍ ଉପରେ ୫୦ କୋଟି, ଆରତି ଷ୍ଟିଲ୍ ଉପରେ ୪୦ କୋଟି, ବେଲପାହାଡ ଟାଟା ରିଫ୍ରାକ୍ଟୋରିଜ୍ ଉପରେ ୩୯ କୋଟି, ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଉପରେ ୩୯ କୋଟି ଟଙ୍କା ବର୍ଷ ବର୍ଷ ଧରି ବାକି ପଡିଛି।

କିଛି ମୁଖ୍ୟ କମ୍ପାନୀ ଉପରେ ବାକି ପଡିଥିବା ଟଙ୍କର ବିବରଣୀ

କମ୍ପାନୀ ନାମ ବାକି ପଡିଥିବା ଜଳ ଟିକସ କୋଟି ଟଙ୍କାରେ (୩୧ ଡିସେମ୍ବର, ୨୦୧୭ ସୁଦ୍ଧା) କେବେ ଠାରୁ ବାକି ପଡିଛି
Ballarpur Industries, Choudwar 255.21 30.5.2000
Arati Steel 40.07 March, 2013
Maheswary Ispat Limited 23.66 Nov. 20111
S.E.Railway, Jharsuguda 211.32 1.4.2000
Orient Paper Mills, Brajaraj Nagar 129.15 1.4.1999
M/s Bhusan Ltd. 50.26 Dec. 2004
Tata Refactories Ltd., Belapahad 39.08 1.4.1999
M/s  Shyam DRI  Pvt. Ltd. 62.24 Sept.2006
Rathi Steel & Power Ltd. 20.74
M/s ESPL Ltd. 13.68 Oct.2006
Sree Mahavir Ferro Alloys , Jiabahal 34.15 March, 2012
Adhunik Metaliks 29.72 Sept.2013
Vedanta Allumini Ltd. 10.86
Jindal Steel and Power Ltd. 39.50
NALCO, Angul 655.46 1.4.1999
Reliance Industries, Dhenkanal 26.52 1.4.1993
Bhusan Steel Limited 33.02
BRG Iron &Steel Co. Khuntuni 11.63 Oct.2010
Tata Steels, Joda 93.61 Jan., 1996
J.K.Corporation Limited, J.K.Pur 16.24 26.9.1994
Esar Steels India, Pvt. Ltd., Keonjhar 10.59
Sewa Paper Mill, Jeypore 443.83 2000
NALCO, Damanjodi 147.35 1.10.1999

ହଜାର ହଜାର କୋଟି ଟଙ୍କା ବାକି ପଡିବା ଫଳରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ। ତେଣୁ ଏହା ମାନବାଧିକାରକୁ ଉଲଂଘନ କରୁଛି। ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯାନୁଷ୍ଠାନ ପାଇଁ କମିଶନଙ୍କ ନିକଟରେ ଅଖଣ୍ଡ ନିବେଦନ କରିଥିଲେ। କମିଶନ ପିଟିସନର ଶୁଣାଣୀକରି ଜଳ ଟିକସ ଆଦାୟ ପାଇଁ କାହିଁକି ପଦକ୍ଷେପ ନିଆଯାଇନାହିଁ, ତାହା ଉପରେ ଜବାବ ରଖିବାକୁ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଟିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏପରି ଏକ ଗୁରୁତ୍ୱପୂର୍ଣ ବିଷୟ ଉପରେ ରାଜ୍ୟ ମାନବାଧିକାର କମିଶନ କିଛି ନିର୍ଦ୍ଦେଶ ଦେଇଥିଲେ ତାହାର କପି ଜାତୀୟ କମିଶନଙ୍କ ପଠାଇବାକୁ ମଧ୍ୟ ଓଏଚଆରସି ସଚିବଙ୍କୁ କୁହାଯାଇଛି। ଦୁଇ ଅଧିକାରୀ ଠିକ୍ ସମୟରେ ରିପୋର୍ଟ ଦାଖ ନ କଲେ ସେମାନଙ୍କୁ ବ୍ୟକ୍ତିଗତ ହାଜିରା କରାଯିବ ବୋଲି କମିଶନଙ୍କ ନିର୍ଦ୍ଦେଶନାମାରେ କୁହାଯାଛି।

Leave a Reply

Your email address will not be published. Required fields are marked *