କମ୍ପାଉଣ୍ଡରଙ୍କ ହାତରେ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସର୍ବନିମ୍ନ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଏହି ଜିଲାର ତିହିଡିବାସୀ। ସଂପ୍ରତି ତିହିଡି ବ୍ଲକ ଅଧୀନରେ ଥିବା କୌଣସି ଗୋଟିଏ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଲୋପାଥିକ ଡାକ୍ତର ନାହାନ୍ତି। ଆୟୁଷ ଡାକ୍ତରଙ୍କ ଉପରେ ଏବେ ରୋଗୀଙ୍କ ଚିକିତ୍ସ। ସଂପୂର୍ଣ୍ଣ ନିର୍ଭର କରୁଛି। ତିନି ନିର୍ବାଚନ ମଣ୍ଡଳୀରେ ବିଭାଜିତ ହୋଇ ନିଜର ଗୁରୁତ୍ୱ ହରାଇସାରିଥିବା କାରଣରୁ ତିହିଡିରେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସଂପୂର୍ଣ୍ଣ ତିହିଡି ବ୍ଲକରେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଲଗାଇ ମାତ୍ର ୩ ଜଣ ଏଲୋପାଥିକ ଡାକ୍ତର ଥିବା ବେଳେ ନିକଟରେ ସେମାନଙ୍କ ମଧ୍ୟରୁ ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜଣଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବା ଫଳରେ ଗୁଆମାଳରେ ଆଉ କେହି ଡାକ୍ତର ନାହାଁନ୍ତି। ଖାଲି ଯାହା ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମେଡିକାଲ ଅଫିସର ଏବଂ ଅନ୍ୟ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ରହିଛନ୍ତି। ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୫ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ତେବେ ଏଠାରେ ଡାକ୍ତର ଜଣକ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ରୋଗୀ ସେବା ଏକ ପ୍ରକାର ବନ୍ଦ ହୋଇଯାଇଛି। ଡାକ୍ତରଖାନାର କମ୍ପାଉଣ୍ଡରଙ୍କ ଉପରେ ରୋଗୀମାନେ ବର୍ତ୍ତମାନ ନିର୍ଭରଶୀଳ। ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଓଲଟା ଘଟିବାରେ ଲାଗିଛି। ଖୋଦ୍ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଜଣେ ମାତ୍ର ଡାକ୍ତର ଅଛନ୍ତି ଓ ସିଏ ପୁଣି ସ୍ତ୍ରୀ ରୋଗ ବିଶେଷଜ୍ଞ। ଗ୍ରାମାଞ୍ଚଳରେ ଯଦି ଅଭିଜ୍ଞ କ୍ୱାକ ନ ଥା’ନ୍ତେ ତେବେ ପରିସ୍ଥିତ ଅଣାୟତ ହୋଇପଡନ୍ତା ଏଥିରେ ସନ୍ଦେହ ନାହିଁ। ଜନସାଧାରଣ ନିଜ ଅଞ୍ଚଳରେ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ଫଳରେ ସେମାନେ ଭଦ୍ରକ ଓ କଟକ ଯାଇ ଘରୋଇ ଡାକ୍ତରଙ୍କୁ ରୋଗ ଦେଖାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରିକି ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚାକିରି କରୁଥିବା କେତେକ ଡାକ୍ତର ତିହିଡିକୁ ସପ୍ତାହରେ ଥରେ ଦୁଇଥର ଆସି ରୋଗୀ ଦେଖୁଛନ୍ତି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ବାଧ୍ୟ ହୋଇ ଲୋକେ ଲାଇନ ଲଗାଇ ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଅପେକ୍ଷା କରି ଏହି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି କରି ସ୍ଥାନୀୟ ଅଞ୍ଚଳର ସମାଜସେବୀ ଅଶୋକ କୁମାର ପାଢି ଜିଲାପାଳଙ୍କ ଠାରୁ ଆରମ୍ଭ କରି ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସାକ୍ଷାତ କରିସାରିଲେଣି। ତଥାପି କିଛି ଲାଭ ହୋଇନାହିଁ। ଏକ ଜନମଙ୍ଗଳ ରାଷ୍ଟ୍ରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପରି ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ଦିଗରେ ସରକାର ଆଗ୍ରହ ପ୍ରକାଶ କରିବା ପରିବର୍ତ୍ତେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଚେଷ୍ଟା କରିବା କେତେ ଯଥାର୍ଥ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *