କମାରଶାଳ ବଂଚିବାର ସାହାରା

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ବ୍ଲକ୍ ଆଡିଆ ପଂଚାୟତ ଅନ୍ତର୍ଗତ ଅଡାଳପଙ୍କସ୍ଥ ବେଲଗଢିଆ ଏପରି ଏକ ଗ୍ରାମ ଯେଉଁ ଗ୍ରାମରେ ବହୁ ବର୍ଷରୁ କମାର ସଂପ୍ରଦାୟ ବସବାସ କରିଆସୁଅଛନ୍ତି । ଆକଳନକୁ ନେଲେ ପାଖାପାଖି ୫୦ ପରିବାର ଏହି ସଂପ୍ରଦାୟର । ସେମାନେ ସେମାନଙ୍କର କୌଳିକ ବୃତ୍ତିକୁ ପାଥେୟ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ । ସମୟାନୁକ୍ରମେ ରୋଜଗାର ତୁଳନାରେ ଖର୍ଚ୍ଚକୁ ଦେଖି ସେମାନେ ଏହି ବେଉସାରୁ ଅପସରି ଯାଇ ଅନ୍ୟ ପନ୍ଥା ଅବଲମ୍ବନ କରିଛନ୍ତି । କିନ୍ତୁ ସେହି ଗ୍ରାମର ଧରଣୀଧର ଓଝା (୬୫) ଙ୍କର କହିବା ଅନୁସାରେ ସେ ୫୦ ବର୍ଷ ହେବ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ କରି ତାଙ୍କର ପରିବାର ପ୍ରତିପୋଷଣ କରିଆସୁଛନ୍ତି । କୋଦାଳ, ଦାଆ, ଗଇଁଚି, ଶାବଳ, ଟାଙ୍ଗିଆ, ନିହାଣ, ବଟାଳି, କରତ, ପନିକି, ଖିଲିକାତି, ବାରିସି ଇତ୍ୟାଦି ତିଆରି କରି ଚାଷୀମାନଙ୍କୁ ବିକି୍ର କରିବା ସହ ହାଟ ବାରିରେ ବନ୍ତ ଓ ଆଗରପଡା ସୁଭଦ୍ରା ମହତାବ ହାଟରେ ବିକି୍ର କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ସରକାରଙ୍କର କଟକଣା ଯୋଗୁଁ ଅଙ୍ଗାର, କୋଇଲାର ଅଭାବ ଦେଖାଦେଉଛି । ଚଢା ଦରରେ ଏହାକୁ ବଜାରରୁ କ୍ରୟ କରୁଥିବାରୁ ତାଙ୍କ ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି । ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି ବୋଲି ସେ କହିଛନ୍ତି । ଆଧୁନିକ ବଜାରରେ ତାଙ୍କ ମୂଲ୍ୟ ଠାରୁ କମ୍ ମୂଲ୍ୟରେ ଏହିସବୁ ଉପକରଣ ମିଳୁଥିବାରୁ ବେପାରୀମାନେ ସେମାନଙ୍କ ଠାରୁ ମୁହଁ ବୁଲାଇ ନେଉଛନ୍ତି । ଏଭଳି ସ୍ଥିତିରେ ବାହାର ରାଜ୍ୟ ରାଜସ୍ଥାନରୁ ରାଜସ୍ଥାନୀ କମାର ପରିବାର ଆମ ରାଜ୍ୟର ବିଭିନ୍ନ ଅଂଚଳକୁ ପଶିଆସିଛନ୍ତି । ବନ୍ତ ଅଂଚଳର କିଛି ସ୍ଥାନରେ ସେମାନଙ୍କର ଲୌହସାମଗ୍ରୀ ବିକି୍ର ହେଉଥିବାରୁ ତାଙ୍କ ବେପାର ମାନ୍ଦା ହେଉଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *