କମାରଯୋଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ, ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଲେ ସ୍ଥାନୀୟ ବାସିନ୍ଦା

ଯୋଡା- ତା ୧୫/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳ ଅନ୍ତର୍ଗତ କମାରଯୋଡାରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଦିନ ଧରି ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପରେ ଯୋଡା ପୌରାଞ୍ଚଳ ଏବଂ ଯୋଡା ବ୍ଲକର ଲକ୍ଷାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ତେବେ ଡାକ୍ତର ଏବଂ କର୍ମଚାରି ଅଭାବରୁ ଏଠାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇପଡିଥିବା ନେଇ ସୋମବାର ଦିନ ଠାରୁ ୯ନଂ ୱାର୍ଡ କାଉନସିଲର ଅଶୋକ ନାଏକଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକରେ ତାଲା ପକାଇ ଧାରଣାରେ ବସିରହିଥିଲେ। ଏହି ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଧାରଣାରେ ବସିଥିବା ଜନସାଧାରଣ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା, ଆବଶ୍ୟକ ସଂଖକ ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି କରିବା, ପର୍ଯ୍ୟପ୍ତ ପରିମାଣରେ ମାଗଣା ଔଷଧ ଯୋଗାଇଦେବା ପାଇଁ ଦାବି କରିଛନ୍ତି। ଦୀର୍ଘ ୧୮ ବର୍ଷ ହେବ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ନିର୍ମିତ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଡାକ୍ତର ଏବଂ କର୍ମଚାରୀ ଯୋାଗଇଦିଆନଯିବା ଫଳରେ ବିଭିନ୍ନ କମ୍ପାନୀ ମାଧ୍ୟମରେ କେତେକ ଠିକା କର୍ମଚାରୀଙ୍କ ଦ୍ୱାରା ଏହି ଡାକ୍ତରଖାନାଟି ପରିଚାଳିତ ହେଉଅଛି। ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ମାତ୍ର ୨ ଜଣ ଡାକ୍ତର ନିଯୁକ୍ତ ଫଳରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ଯୋଗାଇଦିଆଯାଇପାରୁନାହିଁ। କର୍ମଚାରୀମାନଙ୍କ ରହିବା ନିମନ୍ତେ ବାସଗୃହ ନଥିବାରୁ ସେମାନେ ଡାକ୍ତରଖାନାଠାରୁ ଦୂରରେ ରହୁଥିବା ଯୋଗୁଁ କୌଣସି ଆପାତକାଳିନ ସେବା ଯୋଗାଇଦିଆଯାଇପାରୁନାହିଁ। ପ୍ରତି ବର୍ଷ ଏହି ଡାକ୍ତରଖାନାଟିରେ ୩ ହଜାରରୁ ଉର୍ଦ୍ଧ୍ୱ ପ୍ରସୂତିଙ୍କର ପ୍ରସବ ଏବଂ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କୁ ଔଷଧ ଯୋଗାଇଦିଆନଯାଇ ବାହାରୁ ଖୋଲା ବଜାରରୁ କିଣିବାକୁ ବାଧ୍ୟ କରାଯାଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିବା ବେଳେ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ରାଜକୋଶକୁ ଯୋଡା ଖଣି କ୍ଷେତ୍ର କୋଟି କୋଟି ଟଙ୍କାର ରାଜସ୍ୱ ଦେଉଥିବା ବେଳେ ଏଠିକାର ବାସିନ୍ଦା ସେମାନଙ୍କର ସ୍ୱାସ୍ଥ୍ୟ ସେବା ଭଳି ମୌଳିକା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଖଣିଜ ପାଣ୍ଠିରେ ୨ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଗଚ୍ଛିତ ଥିଲେ ମଧ୍ୟ ସରକାର ଉକ୍ତ ଅର୍ଥର ସୁବିନିଯୋଗ କରିପରିନାହାନ୍ତି। ମଙ୍ଗଳବାର ଦିନ ଯୋଡା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଏକ ବୈଠକରେ ଏ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଜିଲ୍ଲାପାଳ ତୁରନ୍ତ ଜଣେ ଡାକ୍ତର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଆନ୍ଦୋଳନକାରିମାନେ କହିଛନ୍ତି। ଖବର ଲେଖାଯିବ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ଫାଟକ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *