କବି ମଂଜୁଳ ସୁରେନ୍ଦ୍ର ଦଳାଇଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

ଖଇରା, ୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଓ ଔପଦା ଅଂଚଳର ସୁନାମ ଧନ୍ୟ କବି ତଥା ଖଇରା ସାହିତ୍ୟ ସଂସଦର ଆଜୀବନ ସଭାପତି କବି ମଂଜୁଳ ସୁରେନ୍ଦ୍ର ଦଳାଇଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଡଗରପଡାସ୍ଥ ରାଣୀଗଢିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବି ଅନାଦି ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଦୀନକୃଷ୍ଣ ସାହିତ୍ୟ ସଂସଦର ସଂପାଦକ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ସ୍ୱର୍ଗତ ଦଳାଇଙ୍କର ବହୁମୁଖି ପ୍ରତିଭା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତାଭାବେ କବି ବ୍ରଜେନ୍ଦ୍ର ନାଥ ଗିରି, ସମ୍ମାନିତ ଅତିଥି ଭାବେ ରାଧାଶ୍ୟାମ ପଣ୍ଡା, ପ୍ରଫୁଲ୍ଲ ବିଶ୍ୱାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲେ ନାଟ୍ୟକାର ଲକ୍ଷ୍ମୀ ନାରାୟଣ ଦଳପତିରାୟ। ସ୍ୱର୍ଗତ ଦଳାଇଙ୍କ ଆବକ୍ଷ ପ୍ରତିମୂର୍ତ୍ତି ରାଣୀଗଡିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଡଗରପଡା ପଞ୍ଚାୟତ ସରପଞ୍ଚ ବାସନ୍ତିଲତା ମହାପାତ୍ର ଉନ୍ମୋଚନ କରିଥିଲେ। କବି ମଂଜୁଳ ସୁରେନ୍ଦ୍ର ଦଳାଇଙ୍କର ୪ ଖଣ୍ଡ କବିତା, ୩ ଖଣ୍ଡ ନାଟକ ଓ ୨ ଟି ଗଳ୍ପ ବହି ପ୍ରକାଶିତ ହୋଇଥିଲାବେଳେ ୧୫ ଖଣ୍ଡ ନାଟକ ଓ ୨୫ ଖଣ୍ଡ କବିତା ବହି, ବହୁ ଗୀତିନାଟ୍ୟ, ପାଣ୍ଡୁଲିପି ରହିଛି। ସ୍ୱର୍ଗତ ଦଳାଇ ଖଇରା ବ୍ଲକ ଡଗରପଡାଠାରେ ୦୩/୩/୧୯୩୪ ମସିହାରେ ଜନ୍ମ ଲାଭ କରି ତା ୦୮/୫/୨୦୧୬ରେ ମୃତ୍ୟୁ ବରଣ କରିଥିଲେ। ଜ୍ଞାନରଂଜନ ଦଳପତିରାୟ, ଚିତରଂଜନ ଦଳପତିରାୟ, ମନୋରଂଜନ ଦଳପତିରାୟ, ସନ୍ତୋଷ କୁମାର ଦଳପତିରାୟ, ବିବେକାନ୍ଦ ଦଳପତିରାୟ, ସୀମାରାଣୀ ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ। ଶେଷରେ ଶିଶୁ ସାହିତ୍ୟିକ ନିରଂଜନ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *