କନ୍ଧମାଳର ମହିଳା ଗୋଆରୁ ଉଦ୍ଧାର

ଫୁଲବାଣୀ, ୨୧ା୧୧(ଓଡ଼ିଆ ପୁଅ/ଅଶୋକ ମହାନ୍ତି); ଦୀର୍ଘ ଏକ ବର୍ଷ ହେଲା ନିଖୋଜ ଥିବା ଜଣେ ମହିଳାଙ୍କୁ କନ୍ଧମାଳ ଜିଲା ପୁଲିସ ଗୋଆରୁ ଉଦ୍ଧାର କରିଛି। ଜିଲା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗୋଆର ବାମ୍ବୋଲିନ ମାନସିକ ଚିକିତ୍ସା କେନ୍ଦ୍ରରୁ ଏହି ମହିଳାଙ୍କୁ ଉଦ୍ଧାର କରଥିବା ପୁଲିସ ସୁତ୍ରରୁ ଜଣାପଡିଛି। ତାଙ୍କର ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା। ପରେ ସଂପୃକ୍ତ ମହିଳାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଡିଏସପି ଚନ୍ଦ୍ର ଶେଖର ହୋତା ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଗୋଚ୍ଛାପଡା ଥାନା କାମପଦର ଗ୍ରାମର ସମ୍ପୃକ୍ତ ମହିଳାଙ୍କୁ ୨୦୧୬ ମସିହାରେ ୩ ଜଣ ଯୁବକ ନେଇଯାଇ ମଧ୍ୟପ୍ରଦେଶରେ ବିକ୍ରି କରି ଦେଇଥିଲେ। ପରିବାର ଲୋକେ ଏ ନେଇ ଥାନାରେ ଗତ ବର୍ଷ ଅଗଷ୍ଟ ମାସ ୧୭ ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ଏହି ଏତାଲା ଆଧାରରେ ୬୪/୧୬ରେ ଏକ ମାମଲା ରୁଜୁ କରିଥିଲା। ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କନ୍ଧମାଳରୁ ପୁଲିସ ଟିମ୍ ଯାଇ ମଧ୍ୟପ୍ରଦେଶର ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ମହିଳାଙ୍କୁ ପାଇ ପାରି ନ ଥିଲା। ତେବେ ପରେ ଯୁବତୀ ଜଣକ ଭୁଲବଶତଃ ଟ୍ରେନରେ ଯାଇ କୌଣସି ପ୍ରକାରେ ଗୋଆରେ ପହଂଚି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ମହିଳା ଜଣକ କେବଳ ଫୁଲବାଣୀ ନାଁ କହି ପାରିଥିଲେ। ସେଠାର ଡାକ୍ତର ଫୁଲବାଣୀ ଟାଉନ ଥାନାକୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶରେ ଡିଏସ୍ପି ଚନ୍ଦ୍ର ଶେଖର ହୋତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଗୋଆ ଯାଇ ମହିଳାଙ୍କୁ ଉଦ୍ଧାର କରି କନ୍ଧମାଳ ଆଣିଛି ବୋଲି ଡିଏସ୍ପି ହୋତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *