କଥା କାହାଣୀ-ଜହ୍ନିଫୁଲ କଷି ଧରିଚି…

ବୀଣାପାଣି ରାଜଗୁୁରୁ

ଜହ୍ନିଫୁଲ କଷି ଧରିଚି, ବାଉଳି ଉଠିଲେ ଜେଜେମା। ହସ ଲୁହ ସବୁ ଏକତ୍ର ହୋଇ ଉଛୁଳି ପଡୁଥିଲେ ତାଙ୍କ ଓଠରୁ। ଆଖିରେ ଖେଳୁଥିଲା ଏକ ନିଆରା ଚମକ। ଝଟପଟ ବିଛଣାରୁ ଉଠି, ପଡି ଏଘର ସେଘର, ବଡି ଦାଣ୍ଡ, ଛାତ ଉପର, ବୈଠକୀ ଘର, ସବୁ ତଲାସୀ ନେଲେ, ହେଲେ କଁଉଠି ସେ ପାଇଲେ ନାହିଁ ମାଉନୀ କୁ। ଜେଜେମା’ଙ୍କ ଗେଲ୍ହା ନାତୁଣୀ ମାଉନୀ। ସବୁରି ଓଠରେ ତାରି ନାଁ। ବିଶେଷ କରି ଜେଜେମା’ଙ୍କର। ମନେ ପଡିଯାଉଥିଲା ଜେଜେମାଙ୍କର ସେଦିନର ସଞ୍ଜବେଳ ର କଥା। ଦି ଚାରିପଦ ଯାହା ଶୁଣିଥିଲେ ସେ ମାଉନୀ ଠୁ।’ଜେଜେ ମା, ତମେ ତ କହୁଛ, ଜହ୍ନି ଫୁଲ ର ରଙ୍ଗ ସୁନାଠୁ ବି ରଙ୍ଗିଲା। କଥା ତ ସତ, ଆଖିଦେଖା ବି। ହେଲେ ଏ କଳା କିଟି ମିଟି ମଞ୍ଜି ରୁ, ସେମିତି ସୁନାରୀ ଫୁଲ କେମିତି ଫୁଟେ ଯେ?’ଜେଜେମା ହସି ହସି କହିଥିଲେ, ‘ଏବେ ତ ଥୟ ଧର, ସମୟ ଆସିଲେ କହିବିନି କି।’ଏବେ ସେଇ ସମୟ ଆସିଛି, ଜହ୍ନିଫୁଲ କଷି ଧରିଚି, ହେଲେ ଶୁଣିବାପାଇଁ ମାଉନୀ ମିଳୁନି। ଗଲା କୁଆଡେ ସେ ? ଏଯାଏ ଖୋଜାରୁ ବିରତ ହେଇନାହାନ୍ତି ଜେଜେ ମା’।ଠିକ ସେତିକିବେଳେ ମ୍ୟାଉଁ ମ୍ୟାଉଁ ହୋଇ ଘର ଭିତରକୁ କଳା ବିଲେଇ ଟା ପଶିଆସିଲା। ଚଉପଟ ଘୁରି ଆସି ଶୋଇଗଲା, ଠିକ ଜେଜେ ମାଙ୍କ ପାଦ ପାଖରେ। ଏମିତି ତାଙ୍କୁ ଲାଗିଲା ଯେମିତି ତାଙ୍କ ମାଉନୀ ବିଲେଇ ରୂପରେ ଆସି ତାଙ୍କ ପାଦତଳେ ଶୋଇ ପଡିଛି। ଜହ୍ନି ଫୁଲରେ କଷି ଧରିଚି ତ! ଆସିବ ତ।ହେଲେ ସତ କାହିଁ ଥାଏ ଭାବନାରେ? ଭାବନା ଖାଲି ଭାବନା, ଅହେତୁକୀ ସ୍ବପ୍ନ, ମନର ଭ୍ରମ ଖାଲି।

ଧୀରେ ଧୀରେ ଦିନ ପାହିଲା, ସଂଜ ହୋଇ ସକାଳ ସମ୍ଭାର ସହ ସଞ୍ଜ ଆସି ଜେଜେ ମା’ଙ୍କ ଦୁଆରେ ଠିଆହେଲା। ସଞ୍ଜ ରାଣୀର ଆସିବା ଟା ଜେଜେ ମାଙ୍କୁ ଭାରି ଭଲ ଲାଗିଲା। କଳା ବିଲେଇ ଟା ତାଙ୍କ ପାଦ ତଳୁ ଉଠି ଯାଇ ଚୁଲି ମୁଣ୍ଡରେ ଶୋଇଲା। ବାଡ଼ି ବଗିଚାରେ ଜହ୍ନିଫୁଲ ସବୁ ଫୁଟି ବାସିଲେ। ଜେଜେମା ବାଡିକୁ ଗଲେ। ଜହ୍ନିଫୁଲ ସବୁକୁ ଗୋଟି ଗୋଟି ନିଜର ସ୍ପର୍ଶ ଦେଲେ। ଅନୁଭବରେ ଆଣିଲେ ସେ ଫୁଲଙ୍କ ସ୍ପର୍ଶ କୁ। ଶିହରି ଉଠିଲା ତାଙ୍କ ଦେହ। କେତେ କଷି ଧରିଛି ଜହ୍ନି ଫୁଲରେ! ପ୍ରକୃତିର ବିଚିତ୍ରତା ପ୍ରତି ତାଙ୍କର ସନ୍ଦେହ ତାଙ୍କୁ ନେଇଯାଉଥିଲା ମାଉନୀ ପାଖକୁ। ପିତୃମାତୃହୀନ କୁନି ନାତୁଣୀ ମାଉନୀ। ଜନ୍ମରୁ ମାବାପଙ୍କ କୋଳ ହରାଇ ସେ ଜେଜେ ମାଙ୍କ କୋଳ ପାଇଥିଲା। ତା ଜାଣିବାରେ ଜେଜେ ମା ହିଁ ଥିଲେ ତା ର ମା, ବାପ, ଆଉ ସବୁକିଛି। ଆବାଲ୍ୟ ରୁ ସେ ଦୁଇଟି ଥିଲେ ତାର ଅତି ଆପଣାର। ଗୋଟିଏ ତା ଜେଜେମା ତା ସ୍ୱର୍ଗ, ଅନ୍ୟଟି ତା ଘର ସାମନାରେ ଫୁଟିଥିବା ଜହ୍ନିଫୁଲ। ଅଶିଣ ଯେବେ ଆସେ ମାଉନୀ ଓଠରେ ହସ ଜୁଆର ତୋଳେ। ହୃଦୟରେ ପ୍ରେମ ଖେଳେ ବାଗୁଡି। ଆତ୍ମାର କେଉଁ ଅଜଣା ଅକୁହା ଇଲାକା ରୁ ଛୁଟିଆସେ ଆନଂଦ ଭରା ମଦ ମନ୍ଦ୍ର ପବନ। ଛୁଇଁଯାଏ ତାକୁ। କିନ୍ତୁ ବେଳେ ବେଳେ ତା ମନରେ ସେଇ ଗୋଟିଏ ଅଝଟା ପ୍ରଶ୍ନ। ଏଡ଼େ କଳା ମଞ୍ଜିରୁ ଏମିତି ସୁନାଫୁଲ ଜନ୍ମ କେମିତି ନିଏ?

ଧୀରେ ଧୀରେ ମାଉନୀ ବଡ଼ ହେଲା।ତା ମନରେ ଉଠୁଥିବା ପ୍ରଶ୍ନ ର ବୀଜ ଦ୍ବୀପତ୍ରୀ ହେଲେ।କିଛି ଜେଜେମାଙ୍କ ଠୁ ଆଉ କିଛି କିଛି ଆସ ପାଶ ରୁ ଜାଣିଲା ଶୁଣିଲା, ଅନୁଭବରେ ଆଣିଲା।ତା ମା କୁଆଡେ ଥିଲା ତ୍ରିପଣ୍ଡ କାଳୀ।ବାପା ବି ତାହାଠୁ ବଳି।ଭାବିଲା, ସେ ପୁଣି କେମିତି ଏମିତି ହେଲା! ସୁନାଫୁଲ ! କଣ ତା ରହସ୍ୟ? ଜେଜେମା ତା ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କୁହନ୍ତି।’ହେ ମୋର ସୁନାଫୁଲ! କୋଇଲା ରୁ କେମିତି ହୀରା ଜନ୍ମେ? ଶାମୁକା କେମିତି ମୁକ୍ତା ପ୍ରସବିନୀ ହୁଏ।କେମିତି ଜନ୍ମାଏ କଳା ବାଦଲ ସ୍ଵର୍ଣ ଲତିକା ବିଜୁଳିକୁ?ଆଉ ପୁଣି କେମିତି ପଦ୍ମ ପଦ୍ମ ଜନ୍ମ ନିଏ ପଙ୍କ ରୁ?ତୋ ମା ବାପ ଦୁହେଁ ଦୁହିଁଙ୍କୁ ପ୍ରେମକରି ବାହାହେଲେ।ରୂପ ସେମିତି ଥିଲା ସିନା, ହେଲେ ତୋ ବୋଉର ଗୁଣ ଥିଲା ଅନୋଖା।ଲକ୍ଷେ ରେ ଗୋଟିଏ ବୋହୁ ଥିଲା ମୋର, ତୋର ସେ ବୋଉ।ତୋତେ ଜନ୍ମ ଦେବାକୁ ମେଡ଼ିକାଲ ଯାଇଥିଲା।ସେଇଠି ସେ ତୋତେ ଜନ୍ମ ଦେଇ ସ୍ୱାହା ହୋଇଗଲା କାଳ ର।ବାପା ତୋର ଏକା ହୋଇଗଲେ। ଥିଲେ ସେମିତି ଜୀଅନ୍ତା ଶବ ହୋଇ।ତାକୁ ବି ଦଇବ ସହିଲାନି, ନେଇଗଲା। ମୁଁ ସଂକୁନି ବଂଚିରହିଛି ଆଉ କଣ ସବୁ ଦେଖିବାକୁ କେଜାଣି?’

ସତ କହୁଥିଲେ ଜେଜେ ମା।ମାଉନୀ ର ପ୍ରଶ୍ନ ର ଉତ୍ତର ସେ ବ୍ୟଥାରେ ନୁହଁ କଥାରେ ଦେଉଥିଲେ।ସେ କହୁଥିଲେ କିଛି ତତ୍ତ୍ୱ କଥା ମାଉନୀ କୁ।’ସୁନା ଲୋ! ତୁ କାହିଁ ଏମିତି ପ୍ରଶ୍ନସବୁ ମତେ ପଚାରୁଛୁ, ଯାହାର ଉତ୍ତର ମୋ ପାଖରେ ଥାଇ ବି ନାହିଁ? ଏତିକି ଶୁଣୁ, ସବୁରି ଭିତରେ ପ୍ରେମର ନଈ ଟିଏ ସଦା ପ୍ରଚ୍ଛନ୍ନ ବହୁଥାଏ।ଭିତରେ ଭିତରେ ସେ ନଦୀ ସମୁଦ୍ରକୁ ଖୋଜୁଥାଏ।କେମିତି ସେ ତା ସହିତ ଜୁଡି ଏକାକାର ହେବ, ବ୍ରହ୍ମତ୍ୱ କୁ ପ୍ରାପ୍ତ ହୋଇ ପରମାତ୍ମାରେ ଲୀନ ହୋଇଯିବ, ସେଇ ଯୋଗାଡ଼ ରେ ନିଜକୁ ପ୍ରସ୍ତୁତ କରୁଥାଏ।ସେ ଜାଣିଥାଏ ସମୁଦ୍ର ଲୁଣିଆ, ତା ସହିତ ମିସିଲେ ସେ ତା ମଧୁରତ୍ୱ କୁ ହରେଇ ଦବ।ତଥାପି ସେ ତାକୁ ପାଇବାକୁ ବ୍ୟାକୁଳ ଥାଏ ଝିଅ!କାହିଁକିନା ତା, ର ଜନ୍ମ ତା ପାଇଁ।ଆଗରୁ ନିର୍ଦ୍ଧାରିତ।ତୋ ବୋଉ ତୋ ବାପାଙ୍କ ପ୍ରେମ କଣ ମୁଁ ଜାଣିଥିଲି।ଉପର ଟା ସିନା କଳା, ଭିତର ସୁନାପରି ଚକ ଚକ।ସେଇ ଭିତରୁ ତୋର ଜନ୍ମ।’ମାଉନୀ ବୁଝେ ସବୁ ତା ଜେଜେ ମା ର ତତ୍ତ୍ୱ କଥା।ଚୁପ ହୁଏ।

ସମୟ ବଦଳି ଲା।ମାଉନୀ କଢ଼ ରୁ ଫୁଲ ହେଲା।ବସିଲା।ବାସ୍ନାରେ ଦିଗ ଚହଟିଲା।ଦଳ ଦଳ ହୋଇ ଭଅଁର ଛୁଟିଲେ।ସେ ତା ଅଶିଣ ର ଜହ୍ନିଫୁଲ। ଜହ୍ନରେ ଫୁଟେ ଆଉ ବାସେ।ଦିନେ ସେ ଜହ୍ନିଫୁଲ ଟା କେଉଁଏକ ଭଅଁର ନୁଁହ ଜହ୍ନକୁ ପାଇଲା।ତା ସାଂଗ ହେଲା।ଜନମ ଜନ୍ମ ର ସାଥୀ ହେବାର ଶପଥ ନେଇଗଲେ ଦୁହେଁ।ଜେଜେମା ଜାଣିବା ଆଗରୁ ସେ ଜହ୍ନିଫୁଲ କଷି ଧରି ସାରିଥିଲା।ଭାବିପାରୁନଥିଲା ମାଉନୀ।ଆଗକୁ ତାର ହବ କଣ?ଜହ୍ନ ତାକୁ ଆଲୋକ ଦବ କି ଅନ୍ଧାର।ଜହ୍ନ ର ଜହ୍ନିଫୁଲ ସେ।ତା ଆଲୋକରେ ସେ କଷି ଧରିଚି।ସମୟ କିନ୍ତୁ ସାଥ ଦେଲାନାହିଁ।ବଡଘର ପୁଅ ର ପ୍ରେମ ରେ ଖେଳ ଥିଲା।ବାହୁଲ୍ୟ ଥିଲା।ଥିଲା ପାଗଳ ପଣ।ସେ ଜହ୍ନି ଫୁଲ ସହ ଖୁବ ଖେଳିଲା।ପାଗଳାମି କଲା।ଜେଜେମାଙ୍କ ଜହ୍ନିଫୁଲ ମାଉନୀ ପଡିଲା ଛନ୍ଦରେ।ଦିନେ ଅମାବାସ୍ୟା ଆସିଲା।ଅନ୍ଧକାର ଛାଇଗଲା ଜହ୍ନିଫୁଲ ର ଜୀବନରେ।ଆକାଶ ପୃଥିବୀ ସବୁ ଏକାଠି ହେଇଗଲେ।ଜହ୍ନ ଲୁଚିଗଲା ବାଦଲ କୋଳରେ। ଜହ୍ନିଫୁଲ କଷି ଧରିସାରିଲାଣି।ଆଉ କିଛି ଉପାୟ ବି ନଥିଲା ଜେଜେମାଙ୍କର।

ଦିନେ ହଠାତ ଜେଜେ ମାଙ୍କ ଆକାଶ ଅନ୍ଧାର ହୋଇଗଲା। ଝଡ଼ ମାଡିଆସିଲା ମାଉନୀ ଜୀବନକୁ।ସେ ଆଉ ସହି ପାରିଲାନି।ବିନା ଜହ୍ନରେ ସେ କେବେ ବି ଆଉ ଜହ୍ନିଫୁଲ ହୋଇ ଫୁଟି ପାରିବନି କି ମହକାଇ ପାରିବନି ତା ଜେଜେମାର ଆକାଶକୁ।ସେ ମୌଳିଗଲା।ଝାଉଁଳି ପଡିଲା ସେ ଝଡ଼ ର ଆଘାତରେ। ଏବେ ପୁଣି ସେ ଅଶିଣ ସଞ୍ଜ।ଆଖିମିଟିକା ମାରୁଛନ୍ତି ତାରାସବୁ ଆକାଶରେ।ଜହ୍ନିଫୁଲ ସବୁ କଷି ଧରି ସାରିଲେଣି।ହେଲେ ଲାଜ ରେ ବାଦଲ ତଳେ ମୁହଁ ଗୁଂଜି ଅନେଇରହିଛି ବେଇମାନ ଜହ୍ନ।

Leave a Reply

Your email address will not be published. Required fields are marked *