କବିତା

କଥାତ ନଥିଲା

କଥାତ ନଥିଲା ବନ୍ଧୁ,
ତୁମେ କେବେ ଅବା ଆସିବ ବୋଲି,
ତଥାପି କାହିଁକି ଚାହିଁ ବସଛି ମୁଁ
ତୁମ ପଥ ଏଠି,
ତୁମେ ଏବେ ସତେ ଆସିବ ଚାଲି।

ଶ୍ରାବଣ ବି କେବେ କହିତ ନଥିଲା
ନିଦାଘର ଶେଷେ ଆସିବ ସିଏ,
ବସନ୍ତ ବି କେବେ କହି କି ଯାଇନି
ଫଗୁଣେ ଆସିବ ମନକୁ ତୋଷିବ
ନାନା ରଙ୍ଗ ଫୁଲେ ସଜାଇ ଏ ଧରା
ମଳୟ ପବନେ ମହକାଇ ଯିବ
ଭସାଇ ପରାଣ ପ୍ରେମର ସୁଏ।
କଥା ତ ନଥିଲା ଆସିବ ବୋଲି,
ତଥାପି ତୁମର ପଥ ଚାହିଁଛି ମୁଁ
ଚାତକ ପରି।

ନିତି ସଂଜ ହେଲେ ସୁରୁଜ ଡୁବଇ
ପଶ୍ଚିମ ଆକାଶେ ନାଲିମା ବୋଳି,
ଜହ୍ନ ଉଇଁ ଆସେ ସଂଜ ନଉଁ ନଉଁ
ଡୁବି ଯାଏ ସିଏ,
ସକାଳ ସୁରୁଜ ଉଇଁବା ଆଗୁ,
ନା’ସୁରୁଜ କହେ ନା ଚନ୍ଦ୍ରମା କହେ
ଆସିବ ପୁଣି ସେ ଆସନ୍ତା କାଲି ।
କଥା ତ ନଥଲା ଆସିବ ବୋଲି,
ତଥାପି ଚାହିଛି, ଉଆଁସୀ ଆକାଶେ
ଚକୋର ପରି।

ତଥାପି ଫେରଇ ଯାଇଛି ଯିଏ
ଏଇତ ପ୍ରକୃତି ନିୟମ କହେ,
ତୁମେ ଚାଲିଗଲ ଏଇମିତି ଦିନେ
କହିକି ଯାଇନ କେତେ ଦିନେ ପରେ
ଆସିବ ଫେରି,
ତଥାପି ଆଶାରେ ଅନାଇ ବସିଛି
ତୁମେ ଦିନେ ସତେ ଫେରିକି ଆସିବ,
ଆକାଶେ ଚାହିଁଛି ଚାତକ ପରି।

ବିନୟ ମହାପାତ୍ର
ପଟିଆ, ଭୂବନେଶ୍ୱର, ଓଡିଶା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top