କଂଟାମାଳ ସବଜେଲ: ପଦ୍ମ ଘୁଚି ଘୁଚି ଯାଉଛି

ବୌଦ୍ଧ, ୧୬ା୦୬(ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) : ଦୀର୍ଘ ୨୦ ବର୍ଷର ଦାବି ପରେ କଂଟାମାଳ ଠାରେ ୨୦୦୨ ମସିହା ମେ ମାସ ୯ ତାରିଖ ଦିନ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଅଦାଲତ ସ୍ଥାପିତ ହେଲା। ଏହି ଅଦାଲତ ସ୍ଥାପିତ ହେବା ଫଳରେ ସାଧାରଣ ଲୋକ ବିଚାର ବିଭାଗୀୟ ସୁବିଧା ପାଇବା ପାଇଁ ବୌଦ୍ଧ ଜିଲା ସୀମାନ୍ତ ଖୁଂଟିଗୋରା ଠାରୁ ୧୨୦ କି.ମି. ଦୁର ବୌଦ୍ଧକୁ ଯିବା ବଦଳରେ ମାତ୍ର ୨୨ କି.ମି. ଦୁର କଂଟାମାଳ ଠାରେ ଏହି ସୁବିଧା ପାଇ ପାରିଲେ। ଭୌଗଳିକ ଦୃଷ୍ଟିକୋଣରୁ ଫୁଲବାଣୀ କନ୍ଧମାଳ ଜିଲାର ସୀମାନ୍ତ ଖଡ଼ଙ୍ଗ ନଦୀ କୂଳର ଲୋକମାନେ ମଧ୍ୟ ଏହି ସୁବିଧା କଂଟାମାଳରେ ପାଇପାରିଲେ। କଂଟାମାଳ ଏକ ଆଦିବାସୀ ଅଧୁସିତ ଅନୁନ୍ନତ ଅଂଚଳ ହୋଇଥିବାବେଳେ ଏଠାରେ ନାନା କୁସଂସ୍କାର ଭରି ରହିଥିବା ସାଙ୍ଗକୁ ଏ ଅଂଚଳରେ ଗଞେଇ ଚାଷ ତଥା ଚୋରା ବେପାର ଯୋଗୁଁ ଚୋରି, ରାହାଜନୀ, ଡ଼କାୟତି, ଦୁଷ୍କର୍ମ, ହତ୍ୟା ଭଳି ଅମାନୁଷିକ କାର୍ଯ୍ୟ କରିବାକୁ ଖୋରାକ ଯୋଗାଇବା ସହ ନାନା ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏହି କୋର୍ଟକୁ ବର୍ଷକୁ ପ୍ରାୟ ୫ ଶହରୁ ଉର୍ଦ୍ଧ କେସ ଆସୁଥିବା ବେଳେ ଏଥିରେ ଜଡ଼ିତ ଅଭିଯୁକ୍ତ ମାନଙ୍କୁ ବୌଦ୍ଧ ବିଚାର ବିଭାଗୀୟ ହାଜତ ତଥା ସବ ଜେଲକୁ ପଠାଯାଉଛି। ଏପରିକି ବୌଦ୍ଧ ଜେଲରେ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୬୦ ପ୍ରତିଶତ କଂଟାମାଳ ଅଂଚଳର ବୋଲି ଜଣାପଡ଼ିଛି। ବୌଦ୍ଧ ଜେଲରେ ଆବଶ୍ୟକ ସ୍ଥାନାଭାବ ଯୋଗୁଁ ଅଭିଯୁକ୍ତମାନେ ତଳେ ତଥା ପାଇଖାନା ସମ୍ମୁଖରେ କମ୍ବଳ ପକାଇ ଶୋଇବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏହି କୋର୍ଟରେ ଅଭିଯୁକ୍ତମାନଙ୍କ କେସ ଟ୍ରାଏଲ କରାଯାଉଛି ସତ କିନ୍ତୁ ସେମାନଙ୍କୁ କୋର୍ଟକୁ ଅଣାଯାଉ ନଥିବା ଜଣାଯାଇଛି। ସପ୍ତାହକୁ କେବଳ ତିନି ଦିନ ଅଭିଯୁକ୍ତମାନଙ୍କୁ କୋର୍ଟକୁ ଅଣାଯାଉଛି। ଆହୁରି ମଧ୍ୟ ଏହି କୋର୍ଟ ହାଜତରେ ଆବଶ୍ୟକ ସ୍ଥାନାଭାବ ଯୋଗୁଁ ଅଭିଯୁକ୍ତମାନଙ୍କୁ କୋର୍ଟଭ୍ୟାନରେ ହିଁ ବସି ରହିବାକୁ ପଡ଼ୁଛି। କୋର୍ଟଭ୍ୟାନରେ ଅଭିଯୁକ୍ତମାନଙ୍କୁ ବୌଦ୍ଧ ଜେଲରୁ ଦୀର୍ଘ ୮୦ କି.ମି. କଂଟାମାଳକୁ ବୁହା ହୋଇ ନିଆଯାଉଥିବା ଯୋଗୁଁ ସରକାରଙ୍କ ଅଜଥା ଖର୍ଚ୍ଚ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଅଭିଯୁକ୍ତମାନେ ବାଟରେ ଖସି ଯିବାର ଆସଙ୍କା ପ୍ରକାଶ ପାଉଛି। ଆହୁରି ମଧ୍ୟ ଜଣେ ଅଭିଯୁକ୍ତ କୋର୍ଟରୁ ଜାମିନ ପାଇବା ପରେ ସେହି ଦିନ ବୌଦ୍ଧ ଜେଲରୁ ବାହାରି ନପାରି ଅଜଥାରେ ବିଳମ୍ବ ଘଟୁଛି। ଏହି ସମସ୍ୟା ଗୁଡ଼ିକ ଯୋଗୁଁ ଦୀର୍ଘ ୧୬ ବର୍ଷ ହେବ କଂଟାମାଳ ଓଳିଲ ସଂଘ, ସମାଜସେବୀ, ସ୍ଥାନୀୟ ବୁଦ୍ଧିଜିବୀମାନେ ଏଠାରେ ଏକ ସବଜେଲ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟ ସରକାର ଏହି ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଗତ ଦୁଇ ବର୍ଷ ପୂର୍ବେ କଂଟାମାଳ ଓଳିଲ ସଂଘ ପକ୍ଷରୁ ସଭାପତି ଦୁତିଆ ଚରଣ ସାହୁ କଂଟାମାଳ ବିଧାୟକ ମହିଧର ରଣା, ବୌଦ୍ଧ ବିଧାୟକ ତଥା ଓଡ଼ÿିଶା ବିଧାନସଭା ବାଚସ୍ପତି ପ୍ରଦିପ କୁମାର ଅମାତ ଓ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ କଂଟାମାଳ ଠାରେ ସବଜେଲ ପ୍ରତିଷ୍ଠା କରାଯିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଦୀର୍ଘ ଦିନର ଦାବି ସତ୍ୱେ କଂଟାମାଳ ଠାରେ ସବଜେଲ ପ୍ରତିଷ୍ଠା ନ ହେବା ଫଳରେ ସ୍ଥାନୀୟ ଅଂଚଳବାସୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଥିବା ବେଳେ ଆସନ୍ତା ଦିନରେ ଏହା ଗଣ ଆନ୍ଦୋଳନର ରୁପ ନେବ ବୋଲି କଂଟାମାଳ ଓଳିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ବର୍ଷେ ପୂର୍ବରୁ ବ୍ରହ୍ମପୁର ଜେଲ ବିଭାଗ ଡ଼ିଆଇଜି କଂଟାମାଳ ଆସି ସବଜେଲ ପାଇଁ ସ୍ଥାନ ପରିଦର୍ଶରେ ଆସି ଫେରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଦିଗରେ କୌଣସି ଆଖି ଦୃସିଆ ଅଗ୍ରଗତି ହୋଇ ନଥିବା ଜଣାଯାଇଛି। ରାଜ୍ୟ ସରକାର ଏହି ଦାବି ଉପରେ ଯଥାଶିଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *