ଓଡ଼ିଶା

କଂଗ୍ରେସ ଓ ବିଜେପି ନୀରବ, ବିଜେଡି ତତ୍ପର

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଉ ୫ ମାସ ପରେ ସବୁଠି ବାଜିବ ପୌର ନିର୍ବାଚନର ବିଗୁଲ। ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ପୌର ନିର୍ବାଚନକୁ ସବୁ ଦଳର ଆଶାୟୀ ଓ ମଙ୍ଗୁଆଳମାନଙ୍କୁ ସାମ୍ନା କରିବାକୁ ପଡି। ଭଦ୍ରକ ଜିଲାରେ ଏଥର ୪ଟି ସ୍ଥାନରେ ହେବ ପୌର ନିର୍ବାଚନ। ପୂର୍ବରୁ ଦୁଇଟି ପୌରାଞ୍ଚଳ ଥିଲା ଭଦ୍ରକ ଓ ବାସୁଦେବପୁର। ଏଥର ଦୁଇଟି ଏନ୍ଏସି ନୂଆକରି ଗଠନ କରାଯାଇଛି। ଧାମନଗର ଓ ଚାନ୍ଦବାଲି ଏନ୍ଏସି ଘୋଷଣା ହେବା ପରେ ସେଠାରେ ନିର୍ବାଚନକୁ ଭୋଟର ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ନିର୍ବାଚନ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ଆରମ୍ଭ ହୋଇଗଲାଣି। ୱାର୍ଡ ପୁନର୍ଗଠନ, ୱାର୍ଡ ସଂରକ୍ଷଣ ଓ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ ଶେଷହୋଇ ଲୋକଙ୍କର ଅଭିଯୋଗ ଶୁଣାଣି ପରେ ଜିଲାପାଳଙ୍କର ମୋହର ବାଜି ଏହାର ଚୂଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଯାଇଛି। ଗୋଟିଏ ପଟରେ ପୌର ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥିବାବେଳେ ଅନ୍ୟପଟରେ ସବୁ ରାଜନୈତିକ ଦଳର ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଭଦ୍ରକ ଜିଲାରେ ପୌର ନିର୍ବାଚନକୁ ନେଇ ବିଶେଷକରି ବିଜେଡି ଶିବିର ଚଳଚଂଚଳ ହୋଇଉଠିଥିବାବେଳେ କଂଗ୍ରେସ ଓ ବିଜେପି ଶିବିରରେ ସେତେଟା ଉତ୍ସାହ ପରିଲକ୍ଷିତ ହେଉନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ଜିଲାର ନିର୍ବାଚନ ଫଳାଫଳ ପରେ ବିଜେପି ଶିବିର ଟିକେ ଉତ୍ସାହିତ ହୋଇଥିଲା। ମାତ୍ର ବିଜେପୁର ଉପନିର୍ବାଚନରେ ବିଜେଡିର ବାଜିମାତ ପରେ ରାଜ୍ୟ ବିଜେପି ଶିବିରରେ ପୁଣି ନୈରାଶ୍ୟ ଖେଳିଯାଇଛି। ଗତ କିଛିଦିନ ହେଲା ଅନ୍ୟ ଦଳର ନେତା ବିଜେଡି ଶିବିର ଆଡକୁ ଢଳୁଥିବା ବେଳେ ବିଜେପି ନିଜର ସ୍ଥିତି ବଜାୟ ରଖିବାକୁ ଉଦ୍ୟମ ଚଳାଇଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। କଂଗ୍ରେସର ରାଜ୍ୟ ନେତୃତ୍ୱ ଉପରେ ଭରସା କରିପାରୁ ନଥିବା ତୃଣମୂଳସ୍ତରର ନେତା ଓ କର୍ମୀମାନେ ଆଉ କାହା ସାହସ ଓ ସହଯୋଗରେ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବେ, ସେ ନେଇ ଚିନ୍ତାରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକରେ କଂଗ୍ରେସ ଦଳର କିଛି ନେତା ପୌର ନିର୍ବାଚନ ପୂର୍ବରୁ ବିଜେଡି ଦଳକୁ ଡିଆଁ ମାରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଭଳି ସୂଚନା ଯଦି ସତ୍ୟ ହୁଏ, ତେବେ ଭଦ୍ରକ ଜିଲାରେ ହେବାକୁ ଥିବା ପୌର ନିର୍ବାଚନରେ କଂଗ୍ରେସର ସ୍ଥିତି ଦୋହଲି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଜିଲାରେ ଦୁଇଟି ପୌର ପରିଷଦ ମଧ୍ୟରୁ ଭଦ୍ରକ ପୌର ପରିଷଦ ବିଜେଡି ଦଖଲରେ ରହିଥିବାବେଳେ ଏହାର ପୌରାଧ୍ୟକ୍ଷ ଅଛନ୍ତି ମାନସ କୁମାର ମହାନ୍ତି। ବିଜେଡିର ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପୁଣି ଏଥର ପୌର ନିର୍ବାଚନର ବୈତରଣୀ ପାର ହେବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ବିଜେଡିର ମିଶ୍ର ପର୍ବ ଦଳକୁ ବେଶ୍ ଶକ୍ତିଶାଳୀ କରିବାରେ ଲାଗିଛି। ଏପରି ସ୍ଥିତିରେ ଆଗାମୀ ପୌର ନିର୍ବାଚନକୁ ନେଇ କଂଗ୍ରେସ କର୍ମୀ ଆଶଙ୍କାରେ ରହିଛନ୍ତି। ଅନ୍ୟପକ୍ଷରେ ଜିଲା ସଦର ମହକୁମାରେ ବିଜେପି ଗତ ଗୋଟିଏ ବର୍ଷ ହେଲା ନୂଆ ନେତା ଖୋଜୁଥିବା ବେଳେ କାହା ନେତୃତ୍ୱରେ ଦଳ ନିର୍ବାଚନ ବୈତରଣୀ ପାର ହେବ, ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ଦଳୀୟ କର୍ମୀ। ସେହିପରି ବାସୁଦେବପୁର ପୌର ପରିଷଦ ଏବେ କଂଗ୍ରେସ ହାତରେ ରହିଥିବାବେଳେ ଅଶୋକ ଦାସ ପୌରାଧ୍ୟକ୍ଷ ଅଛନ୍ତି। ଅଗାମାୀ ଦିନରେ ବାସୁଦେବପୁର ଅବସ୍ଥା କଣ ହେବ, ତାହାକୁ ନେଇ ଏବେଠୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ବାସୁଦେବପୁରରେ କଂଗ୍ରେସ ତାର ସ୍ଥିତି ବଜାୟ ରଖିବ ନା ବିଜେଡିର ବିଧାୟକ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହାକୁ ନିଜ କରାୟତ କରିବେ, ତାହାକୁ କଳ୍ପନା ଜଳ୍ପନା ଆରମ୍ଭ ହେଲାଣି। ସେହିପରି ଚାନ୍ଦବାଲି ଏନ୍ଏସି ଏଥର ନୂଆ କରି ନିର୍ବାଚନ ହେବାକୁ ଥିବାବେଳେ ଏଠାରେ ବିଜେଡିର ସ୍ଥିତି ସୁଦୃଢ ଥିବାରୁ ବିଜେଡି ପୁଣି ଏନ୍ଏସି କବ୍ଜା କରିବ ବୋଲି ବିଧାୟକ ବ୍ୟୋମକେଶ ରାୟ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ବିଜେପିର ଟାଣୁଆ ନେତା ମନମୋହନ ସାମଲ ମଧ୍ୟ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ଏଠି କଂଗ୍ରେସର ନେତୃତ୍ୱ କନ୍ଦଳ ପାଇଁ କିଏ ଦଳର ମଂଗ ସମ୍ଭାଳିବ, ତାହାକୁ ନେଇ କର୍ମୀ ମହଲ ନିଶ୍ଚିତ ହୋଇପାରିନାହାଁନ୍ତି। ସେହିପରି ନୂଆ କରି ଧାମନଗର ଏନ୍ଏସି ନିର୍ବାଚନ ହେବାକୁ ଥିବାବେଳେ ପଂଚାୟତ ନିର୍ବାଚନରେ ବିଜେପି ୪ଟି ଜିଲା ପରିଷଦ ଜିତିବା ପରେ ବିଜେପି ଏଠି କିଛି ପ୍ରଭାବ ସୃଷ୍ଟି କରିଛି। ବିଶେଷକରି ବିଜେଡି ବିଧାୟକ ମୁକ୍ତି ମଣ୍ଡଳ ଓ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ବିଜେଡି ପାଇଁ ଚିନ୍ତାର ବିଷୟ ହୋଇଛି। ମୁକ୍ତି ଓ ଅଶୋକଙ୍କ ଯୁଦ୍ଧର ଯବନିକା ପକାଇବା ପାଇଁ ବିଜେଡିର ଉପର ମହଲରେ ମାନସମନ୍ଥନ ଆରମ୍ଭ ହୋଇଥିବା ବେଳେ ବିଜେପିର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏନ୍ଏସି ନିଜ ଦଖଲକୁ ନେବାକୁ ଗୋଟି ଚାଳନା କରୁଛନ୍ତି। କିନ୍ତୁ ଗୋଟିଏ କଥା ଏଠି ସ୍ପଷ୍ଟ ଯେ, ବିଧାୟକଙ୍କର ବିକାଶମୂଳକ କାମକୁ ନେଇ କିଛି ଲୋକ ତାରିଫ କରୁଥିବାବେଳେ ଧାମନଗର ଏନ୍ଏସି ବିଜେଡି ଦଖଲରେ ରହିବ ନାଁ ବିଜେପି ଦଖଲକୁ ଯିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top