ଜିଲ୍ଲା ପରିକ୍ରମା

ଔଷଧୀୟ ଉଦ୍ୟାନ ଓ ଜରାନିବାସ ପ୍ରତିଷ୍ଠା ସହ ନିଯୁକ୍ତି ଦେବା ଆଳରେ ମୂଲ୍ୟବାନ ଜମି ବିକ୍ରି ମାମଲା ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏକ ଔଷଧୀୟ ଉଦ୍ୟାନ ଓ ଜରାନିବାସ ପ୍ରତିଷ୍ଠା କରି ସେଥିରେ ନିଯୁକ୍ତି ଦେବାର ପ୍ରତିଶ୍ରୁତିରେ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଶାଗମାଛ ଦରରେ କ୍ରୟ କରିଥିବା ୧୩ ଏକର ମୂଲ୍ୟବାନ ଜମିକୁ ଜମି ମାଲିକଙ୍କ ଅଗୋଚରରେ ବିକ୍ରୟ କରିଦେଇଥିବା ଏକ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନର ସଂପାଦକଙ୍କ ଠାରୁ ନିଜ ଭିଟାମାଟି ଉଦ୍ଧାର କରିବା ନେଇ ଆଜି ବହୁ ବ୍ୟକ୍ତି ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏହି ଘଟଣାର ଏକ ବିଧିବଦ୍ଧ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗକାରୀ ଗ୍ରାମବାସୀମାନଙ୍କ ମଧ୍ୟରେ ଗଂଗାଧର ପଣ୍ଡା, ହେମନ୍ତ କୁମାର ଦାଶ, ରବିନ୍ଦ୍ର କୁମାର ପଣ୍ଡା, ମଦନ ମୋହନ ଦାଶ, ଦୟାନିଧି ପଣ୍ଡା, ପ୍ରଶାନ୍ତ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ବାବାଜୀ ସାହୁ, ମଧୁସୂଦନ ସାହୁ, ମଧୁସୂଦନ ବେହେରା, କରୁଣାକର ସାହୁ, ପୀତାମ୍ବର ସାହୁ, ରବିନ୍ଦ୍ର ସାହୁ ପ୍ରମୁଖ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ ଗୋପୀନାଥପୁର ଗ୍ରାମପଞ୍ଚାୟତର ଗୋପୀନାଥପୁର ଓ ତୂଳିପଦା ଗ୍ରାମର ଲୋକେ ୧୯୮୯ ମସିହାରେ ଲୋକଶକ୍ତି ନାମକ ଏକ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହାର ସଂପାଦକ ସେଠାରେ ଏକ ଔଷଧୀୟ ଉଦ୍ୟାନ, ଜରାନିବାସ ଓ ବୃକ୍ଷରୋପଣ କରିବା ଉଦ୍ଦେଶ୍ୟରେ ଡିସ୍ମିଲ୍ ପିଛା ୭୫ ଟଙ୍କାରେ ୧୩ ଏକର ଜମି ହାତେଇ ନେବାରେ ସକ୍ଷମ ହୋଇଥିଲେ। ଜମି କ୍ରୟବେଳେ ସେ କେତେକ ଲୋକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଓ ପ୍ରଲୋଭନ ମଧ୍ୟ ଦେଖାଇଥିଲେ। ଏହି ଜମି ନଦୀକୂଳରେ ହୋଇଥିବାରୁ ଏଥିରେ ସଂପୃକ୍ତ ଗ୍ରାମବାସୀମାନେ ବିଭିନ୍ନ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ। ସରକାରଙ୍କ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟୁତ ସଂଯୋଗ ସହିତ ଦଶ ଅଶ୍ୱ ଶକ୍ତି ମୋଟର ଦ୍ୱାରା ନଦୀରୁ ପାଣି ଉଠାଇ ସେମାନଙ୍କ ଜମି ପାଖରେ ଥିବା ପ୍ରାୟ ୨୫ ଏକର ଜମିରେ ପାଣି ଯୋଗାଣର ବ୍ୟବସ୍ଥା ହୋଇ ଜଳସେଚନ ହେଉଥିଲା। ପରବର୍ତ୍ତୀ ସମୟରେ ଏହି ଜଳସେଚନକୁ ସୁପରିଚାଳନା କରିବା ପାଇଁ ଗୋପୀନାଥଜୀଉ ପାଣି ପଂଚାୟତ ନାମରେ ଏକ ପାଣି ପଞ୍ଚାୟତ ଗଠନ କରାଯାଇଥିଲା। ଏଥିରେ ରବିନ୍ଦ୍ର କୁମାର ରାୟ ସଭାପତି ଓ ଗୋପୀନାଥ ଦାଶ ସଂପାଦକ ଭାବେ ରହିଥିଲେ। ମାତ୍ର ଲୋକଶକ୍ତି ନାମରେ ଆମଠାରୁ ନେଇଥିବା ୧୩ ଏକର ଜମି ସମେତ ପାଖରେ ଥିବା ୫ ଏକର ସରକାରୀ ଜମି ସମେତ ଜଳସେଚନ ପାଇଁ ବ୍ୟବହୃତ ପାଇପ୍, ବିଦ୍ୟୁତ ପମ୍ପ ଓ ବସାଯାଇଥିବା ଟ୍ରାନ୍ସଫର୍ମରକୁ ଶ୍ରୀ ରାୟ ୨୭ ଲକ୍ଷ ଟଙ୍କା ବିନିମୟରେ ଇତିମଧ୍ୟରେ ବିକ୍ରି କରିଦେଇଛନ୍ତି। ଏବଂ ଡିସ୍ମିଲ ପିଛା ୭୫ ଟଙ୍କାରେ ନେଇଥିବା ଜମିକୁ ସେ ୨ ହଜାର ଟଙ୍କାରେ ବିକ୍ରି କରି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଚାକିରୀରୁ ନିରାଶ କରିବା ସହ ସାମାଜିକ କର୍ମର ଦ୍ୱାହି ଦେଇ ଭଣ୍ଡାଇଛନ୍ତି। ଏଣୁ ସେମାନଙ୍କ ଜମିକୁ ଦେଇଥିବା ମୂଲ୍ୟ ନେଇ ଫେରସ୍ତ କରିବା କରାଇବା ସହ ଏଭଳି ଚଂଚକତା କାର୍ଯ୍ୟ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏବଂ ଏହି ଅଭିଯୋଗ ପତ୍ରର ନକଲ ସ୍ଥାନୀୟ ସାଂସଦ, ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରଦାନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top